ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସରିଥିଲା...! ସରିଥିଲା ୫୫ ନୂଆ ଏନ୍ଏସି ଘୋଷଣା!! ୯୬ ଲକ୍ଷ ପରିବାର, ୭୦ ଲକ୍ଷ ଏସ୍ଏଚଜିକୁ ହଜାରେ ଟଙ୍କା..!!! କିଛି କାମ ଦେଲାନି । ଅବିଶ୍ୱସନୀୟ । ଅକଳ୍ପନୀୟ । ଚମକାଇ ଦେଲା ଭୋଟ ଫଳ । ରାଜ୍ୟ ରାଜନୀତିରେ ବହିଲା ଅଣଚାଶ ପବନ । କ୍ଷମତା କେନ୍ଦ୍ରରେ ହେଲା ପୂରା ଓଲଟପାଲଟ । ଯାହା ସ୍ୱପ୍ନରେ କେହି କଳ୍ପନା କରିନଥିଲେ, ବିଦାୟୀ ବର୍ଷରେ ତାହା ହିଁ ବାସ୍ତବ ରୂପ ନେଲା । ଉପୁଡ଼ିଗଲା ମହାଦ୍ରୁମ ବିଜେଡି । ମୋଦି ସୁନାମିରେ ‘ବ୍ରାଣ୍ଡ୍ ନବୀନ’ ହୋଇଗଲା ବିଧ୍ୱସ୍ତ । ଚିତ୍ପଟାଙ୍ଗ ମାରି ମାଟି କାମୁଡ଼ିଲା ବିଜୁ ଜନତା ଦଳ । ରାଜ୍ୟ ଶାସନ ଗାଦିରେ ବସିଲା ବିଜେପି । କେବଳ ରାଜ୍ୟ କାହିଁକି, ସାରା ଦେଶ ଚମକି ପଡ଼ିଲା ନବୀନଙ୍କ ଏଭଳି ଦାରୁଣ ବିପର୍ଯ୍ୟୟରେ । ମୋଦି ସୁନାମି ଏତେ ଶକ୍ତିଶାଳୀ ଥିଲା ଯେ, ଅଟଳ ଅପରାଜେୟ ନବୀନ କଣ୍ଟାବାଞ୍ଜି ଯୁଦ୍ଧ ହାରିଗଲେ । ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଅଢ଼େଇ ଦଶନ୍ଧିର ନିରଙ୍କୁଶତାରେ ଲାଗିଲା ବ୍ରେକ୍ । ଦିନ କେଇଟା ପରେ ଇତିହାସ ରଚିଥାନ୍ତେ ନବୀନ । ଦେଶର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବାର ରେକର୍ଡ ତାଙ୍କରି ନାଁରେ ଇତିହାସ ଲେଖିଥାନ୍ତା । ମାତ୍ର ସମୟର ବିଡ଼ମ୍ବନା । ଇତିହାସ ରଚିବା ବଦଳରେ ନବୀନଙ୍କ ଶାସନ ପାଲଟିଗଲା ଇତିହାସ । ପ୍ରଥମ ଥର ଓଡ଼ିଶା ଦେଖିଲା ଡବଲ ଇଞ୍ଜିନ ସରକାର । ବିଧାନସଭା ଭଳି ଲୋକସଭା ଭୋଟରେ ବି ମୋଦି ମ୍ୟାଜିକ କଲା କମାଲ୍ । ୨୧ରୁ ୨୦ ଆସନ ପୋଛି ନେଲା ବିଜେପି । କୋରାପୁଟ ଆସନରେ କଂଗ୍ରେସର ସପ୍ତଗିରି ପୁଣି ନଟ୍ଆଉଟ୍ ରହିଲେ ।
ବର୍ଷ ଆରମ୍ଭରୁ ବିଜେଡି-ବିଜେପି ମେଣ୍ଟ ସମୀକରଣର ଚର୍ଚ୍ଚା ଦାନା ଧରିଲା । ବିଜେପି ରାଜ୍ୟ ନେତୃତ୍ୱ କିନ୍ତୁ ଜିଦ୍ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କୁ ବୁଝାଇ ଦେଲା । ଏଥର ପବନର ଦିଗ ବଦଳୁଛି । ‘ଅଣଓଡ଼ିଆ’ ଏବଂ ‘ଓଡ଼ିଆ ଅସ୍ମିତା’ ବଡ଼ ପ୍ରସଙ୍ଗ ହେଲାଣି । ଯଦି ବିଜେପି-ବିଜେଡି ମେଣ୍ଟ ହୁଏ, ଆମ ପାଇଁ ଆତ୍ମଘାତୀ ହେବ । ଲୋକଙ୍କ ଆବେଗର ଫାଇଦା ପାଇବ କଂଗ୍ରେସ । ବିଜେପି ହାଇକମାଣ୍ଡ ବି ରାଜ୍ୟ ନେତୃତ୍ୱର କଥାରେ ବୁଝିଗଲେ । ବାସ୍..! ଏଇଠି ଅଟକିଗଲା ମେଣ୍ଟ ସମୀକରଣ । ମୋଦି ଓ ନବୀନଙ୍କ ଧୂଆଁଧାର ଲଢ଼େଇ ଦେଖିଲା ଓଡ଼ିଶା । ମୋଦି ନବୀନଙ୍କୁ କ୍ଷମତାରୁ ତଡ଼ିବାକୁ ହୁଙ୍କାର ଛଡ଼ିଲେ । ଓଡ଼ିଶା ବରବାଦ୍, ନବୀନଙ୍କୁ ତଡ଼ ବୋଲି ଆହ୍ୱାନ ଦେଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ବିଜୟ ପାଇଁ ମାର୍ଗପ୍ରସ୍ତୁତ କଲେ । ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ଭାବେ ଲଢ଼ି ମଧ୍ୟ ସାରା ରାଜ୍ୟରେ ବିଜେପିର ପ୍ରଚାର ଓ ରଣକୌଶଳରେ ମୁଖ୍ୟ ଭୂମିକା ତୁଲାଇଲେ । ନବୀନ ବି ନିଜ ସୁପର ସୋ ମାଧ୍ୟମରେ ମନ ଜିଣିବାକୁ କଳ, ବଳ ଲଗାଇଲେ । ବିଜେପି ଓ ମୋଦିଙ୍କୁ ମିଛୁଆ ବୋଲି କଟାକ୍ଷ କଲେ । ବିଜେଡି ରଣନୀତିର ମଙ୍ଗ ଧରି ଭି.କେ.ପାଣ୍ଡିଆନ ବି ରାତିଦିନ ଏକ୍ କରି କୁଦି ପଡ଼ିଲେ ପ୍ରଚାର ମଇଦାନକୁ । ସାରା ଦେଶରୁ ବଛାବଛା ବିଜେପିର ତାରକା ପ୍ରଚାରକ ନବୀନଙ୍କ ଶାସନ ବିରୋଧରେ ଠୋ ଠା ଆକ୍ରମଣାତ୍ମକ ବାଣ ଛାଡ଼ିଲେ । ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ୍ଗେ ବି ଭୋଟ ଭିକ୍ଷାରେ ଆସି ବିକାଶ ପାଇଁ କଂଗ୍ରେସକୁ ବାଛିବାକୁ ନିବେଦନ କଲେ । ଛାତି ଧଡ଼ଧଡ଼ ଭିତରେ ଜୁନ୍-୪ରେ ବାହାରିଲା ଭୋଟ ଫଳ । ସ୍ତବ୍ଧ ହୋଇଗଲା ସାରା ରାଜ୍ୟ । ବିଜେପି ଓ ବିଜେଡିର ନେତା ମଧ୍ୟ ଇଭିଏମ୍ର ଭାଗ୍ୟଫଳକୁ ବିଶ୍ୱାସ କରିପାରିଲେନି । ବିଜେଡି ମାଟି କାମୁଡ଼ିଲା । ବିଜେପି ଶାସନ ଗାଦିକୁ ଆସିଲା । ଜାତୀୟ ଗଣମାଧ୍ୟମର ବ୍ରେକିଂ ନ୍ୟୁଜ୍ ପାଲଟିଲା ଓଡ଼ିଶା ।
କିଏ ହେବ ମୁଖ୍ୟମନ୍ତ୍ରୀ? ବିଜେପି ଶାସନକୁ ଆସିବା ଯେମିତି ଆକସ୍ମିକ ଥିଲା, ଠିକ୍ ସେମିତି ହାତୀ ସୁନା କଳସ ଢାଳିଲା ମୋହନ ଚରଣ ମାଝୀଙ୍କ ମୁଣ୍ଡରେ । ଭୋଟ ବିପର୍ଯ୍ୟୟ ପରେ ବିଜେଡି କ୍ୟାମ୍ପରେ ଛାଇଗଲା ନିରବତା । ବିପର୍ଯ୍ୟୟର କାରଣ ଖୋଜିବାକୁ ଆଗ୍ରହ ଦେଖାଇଲେନି ସୁପ୍ରିମୋ । ବିଜେଡିର ଦୁଇ ସାଂସଦ ମମତା ମହାନ୍ତ ଓ ସୁଜିତ୍ କୁମାରଙ୍କୁ ଶିକାର କଲା ବିଜେପି । ଆକ୍ରମଣ ବଦଳରେ ବିଜେଡି କିନ୍ତୁ ଆତ୍ମରକ୍ଷା ମୁଦ୍ରାରେ ରହିଲା । କଂଗ୍ରେସ ବିଧାନସଭାରେ ଦୁଇ ଅଙ୍କ ଛୁଇଁଲା । ହେଲେ ଭୋଟ ପରେ ମୁରବୀଶୂନ୍ୟ ହୋଇଗଲା । ୨୦୨୪ ଦେଖିଛି ରାଜନୈତିକ ଉତ୍ଥାନ ଓ ପତନ । ଜନତାଙ୍କ ଆଙ୍ଗୁଠିରେ ଥିବା ଭୋଟ୍ ମହାଶକ୍ତି ଯେ ଏମିତି ସବୁକିଛି ଓଲଟପାଲଟ କରିପାରେ, ତାହା ଦେଖାଇ ଦେଲା ଓଡ଼ିଶା ।
ପ୍ରସ୍ତୁତି: ସରୋଜ ସାହୁ, ମୁକେଶ ପରିଡ଼ା, ରାମଜୀବନ ଗୋଚ୍ଛାୟତ, ସ୍ମୃତିରଞ୍ଜନ ବିଶ୍ୱାଳ
ମୋଦିଙ୍କ ହୁଙ୍କାର
ଥରେ କି ଦି'ଥର ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଥର ଭୋଟ ଭିକ୍ଷା କରିବାକୁ ଆସିଥିଲେ ଓଡ଼ିଶା । ନବୀନ ଓ ବିଜେଡିକୁ ଧରାଶାୟୀ କରିବାକୁ ଜୋରଦାର ଆକ୍ରମଣ କଲେ । ଅମିତ୍ ଶାହ, ରାଜନାଥ ସିଂହ, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ଏସ୍.ଜୟଶଙ୍କର, ହିମନ୍ତ ବିଶ୍ୱଶର୍ମାଙ୍କ ଭଳି ବିଜେପିର ସବୁ ବଡ଼ ନେତା ବାରମ୍ବାର ଓଡ଼ିଶା ଆସିଲେ । ରାଜ୍ୟ ଦଖଲ କରିବାକୁ କଳ, ବଳ ଓ କୌଶଳ ଲଗାଇ ଦେଲେ । ପରିଶ୍ରମ ବ୍ୟର୍ଥ ଗଲାନି । ୨୪ ବର୍ଷର ମହାଦ୍ରୁମ ନବୀନ ସରକାରକୁ ଲୋକେ ଉପାଡ଼ି ଫିଙ୍ଗିଦେଲେ । ରାଜ୍ୟରେ ନିଜ ଦମ୍ରେ ଶାସନକୁ ଆସିଲା ବିଜେପି । ଜଣେ ନୁହଁ କି ଦି’ ଜଣ । ୩୦ ଜିଲ୍ଲା ଦାୟିତ୍ୱରେ ରହିଲେ ୩୦ ଅଭିଜ୍ଞ ବିଜେପି ନେତା । ବିଜେପିର ପ୍ରଚାର ଅଭିଯାନରୁ ବୁଥ୍ ପରିଚାଳନା, ସବୁକିଛି ଏହି କେନ୍ଦ୍ରୀୟ ନେତାମାନେ ପରିଚାଳନା କଲେ । ତାଙ୍କ ନିର୍ଦ୍ଦେଶ ଓ ପରାମର୍ଶରେ ଭୋଟ ଯୁଦ୍ଧ ଲଢ଼ିଲା ରାଜ୍ୟ ବିଜେପି । ମୋଦିଙ୍କ ଓଡ଼ିଆ ଅସ୍ମିତା କାର୍ଡ ଓଡ଼ିଶାବାସୀଙ୍କୁ ଛୁଇଁଲା । ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସର ସହ ଭବିଷ୍ୟବାଣୀ କଲେ, ଓଡ଼ିଶାରେ ବିଜେଡି ସରକାରର ଏକ୍ସପାରୀ ତାରିଖ ହେଉଛି ୪ ଜୁନ୍, ୨୦୨୪ । ୧୦ ଜୁନ୍ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ । ଓଡ଼ିଶା ମାଟିର ପୁଅ କିମ୍ବା ଝିଅ ହିଁ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବେ । ମୋଦିଙ୍କ ଗ୍ୟାରେଣ୍ଟି ଓ ଆବେଗଭରା ଭାଷଣ ଲୋକଙ୍କୁ ଛୁଇଁଲା । ବିଧାନସଭାରେ ପଦ୍ମ ଦଳକୁ ମିଳିଲା ଶାସନ ଗାଦି । ଲୋକସଭା ଲଢ଼େଇରେ ଢେର ଅଧିକ ସଫଳତା ମିଳିଲା । କେନ୍ଦ୍ରରେ ବିଜେପି ସରକାର ଗଠନରେ ଓଡ଼ିଶାର ଯୋଗଦାନ ହେଲା ସ୍ମରଣୀୟ । କଂଗ୍ରେସ ପାଇଁ ରାହୁଲ ଗାନ୍ଧି ବି ପ୍ରଚାରରେ ଆସିଥିଲେ । ମାତ୍ର ମୋଦି ଗ୍ୟାରେଣ୍ଟି ଆଗରେ ନବୀନ ପ୍ରତିଶ୍ରୁତି, ରାହୁଲଙ୍କ ଯାଦୁ ଫିକା ପଡ଼ିଗଲା।
ଧର୍ମେନ୍ଦ୍ରଙ୍କ ନିପୁଣ ରଣନୀତ
୨୦୧୪ରେ କେନ୍ଦ୍ର ମନ୍ତ୍ରୀ ହେବା ପରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଜେପିକୁ ବଳିଆନ କରିବାକୁ ଯେଉଁ ମିଶନ ଆରମ୍ଭ କରିଥିଲେ, ତାହା ଏଥର ସଫଳ ହେଲା । ଧର୍ମେନ୍ଦ୍ରଙ୍କ ମନ୍ତ୍ରରେ ଉତ୍ସାହିତ ନେତା, କର୍ମକର୍ତ୍ତା ୨୦୨୪ରେ ଦେଖାଇ ଦେଲେ ଦମ୍ । ବିଜେଡି ସରକାର ବିରୋଧରେ ଧର୍ମେନ୍ଦ୍ର ହିଁ ରାଜ୍ୟରେ ପ୍ରଥମେ ଆକ୍ରମଣ ଆରମ୍ଭ କରିଥିଲେ । ଧର୍ମେନ୍ଦ୍ର ବୁଣିଥିବା ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଏଥର ବିଜେଡି ସରକାରକୁ କ୍ଷମତାରୁ ଉପାଡ଼ି ଫିଙ୍ଗି ଦେଲା । ଅନ୍ୟପଟେ ଧର୍ମେନ୍ଦ୍ର ନିଜେ ଲୋକସଭା ମଇଦାନରେ ଓହ୍ଲାଇ ବିଜେଡିର ପାୱାରଫୁଲ୍ ସଂଗଠନ ନେତା ପ୍ରଣବ ପ୍ରକାଶ (ବବି) ଦାସଙ୍କୁ ଲକ୍ଷାଧିକ ଭୋଟରେ ପରାଜିତ କଲେ । ଖାଲି ସେତିକି ନୁହେଁ, ଜାତୀୟ ରାଜନୀତିରେ ବି ଧର୍ମେନ୍ଦ୍ରଙ୍କ ପତିଆରା ଆହୁରି ବଢ଼ିଲା । ଧର୍ମେନ୍ଦ୍ରଙ୍କ ହାତରେ ପୁଣି ଥରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ଧର୍ମେନ୍ଦ୍ର ଜାତୀୟ ଶିକ୍ଷା ନୀତିକୁ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବାର ଗୁରୁ ଦାୟିତ୍ୱ ତୁଲାଉଛନ୍ତି । କେବଳ ମନ୍ତ୍ରିମଣ୍ଡଳ ନୁହେଁ, ବିଜେପିର ସଂଗଠନରେ ବି ଧର୍ମେନ୍ଦ୍ରଙ୍କ ପ୍ରଭାବ ଆହୁରି ବଢ଼ିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ତାଙ୍କ ନାଁ ବି ଅନେକ ସମୟରେ ଚର୍ଚ୍ଚାକୁ ଆସିଛି । ହରିୟାଣା ଭଳି ରାଜ୍ୟରେ ଅସମ୍ଭବକୁ ସମ୍ଭବ କରି ବିଜେପିକୁ ସଫଳତା ଦେବାରେ ଧର୍ମେନ୍ଦ୍ରଙ୍କ ରଣନୀତି ସଭିଙ୍କୁ ଚକିତ କରିଛି ।
ପ୍ରତିଶ୍ରୁତିର ପାହାଡ
ହାତୀ ଦେବୁ...ଘୋଡ଼ା ଦେବୁ । ଆମକୁ ଦିଅ ଭୋଟ । ବିଦାୟୀ ବର୍ଷ ଦେଖିଥିଲା ଭୋଟ ଲଢ଼େଇ । ସାରା ରାଜ୍ୟରେ ଭୋଟ ମାୟାରେ ଲୋକ ହୋଇଥିଲେ ବାୟା । ନେତା ବି ନିଜ ସପକ୍ଷରେ ଭୋଟ ଟାଣିବାକୁ ପ୍ରତିଶ୍ରୁତିର ବର୍ଷା ଅଜାଡ଼ି ଦେଇଥିଲେ । ବିଜେପି ପ୍ରତିଶ୍ରୁତି ଦେଲା, କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବୁ । ଧାନ ଏମ୍ଏସ୍ପି ୩୧୦୦ ଟଙ୍କା ହେବ । ଭତ୍ତା ବଢ଼ାଇ ୩ ହଜାର କରିବୁ । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣା ବିଜୁଳି ଦେବୁ । ୨୦୨୯ ସୁଦ୍ଧା ରାଜ୍ୟରେ ସାଢ଼େ ୩ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବୁ । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବେ । ବିଜେଡି ବି ପଛରେ ପଡ଼ିଲାନି । ଗ୍ୟାରେଣ୍ଟି ଦେଲା ଏଥର ସରକାରକୁ ଆସିଲେ ୧୦୦ ୟୁନିଟ୍ ବିଜୁଳି ବିଲ୍ ସମ୍ପୂର୍ଣ୍ଣ ମାଗଣା । ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନ୍ସନ । ମହିଳା ଏସ୍ଏଚ୍ଜିଙ୍କୁ ବିନା ସୁଧରେ ୧୫ ଲକ୍ଷ ଯାଏଁ ସୁଧ ମିଳିବ । ଚାଷୀଙ୍କୁ ମିଳିବ ମାଗଣା ବିଜୁଳି । ମଧ୍ୟବିତ୍ତଙ୍କୁ ୨୦ ଲକ୍ଷ ଯାଏଁ ଘର ତିଆରି ଋଣ । ସ୍ୱୟମ ଯୋଜନାରେ ଋଣ ବଢ଼ି ୧ ଲକ୍ଷରୁ ହେବ ୨ ଲକ୍ଷ ଟଙ୍କା । କଂଗ୍ରେସ ବି ପ୍ରତିଶ୍ରୁତିର ଜାଲ ଫିଙ୍ଗିଲା । ଚାଷୀଙ୍କ ଋଣଛାଡ଼ ହେବ । ଧାନ ଏମ୍ଏସ୍ପି ୩ ହଜାର କରିବୁ । ୨୦୦ ୟୁନିଟ୍ ଯାଏଁ ବିଜୁଳି ଦେୟ ଛାଡ଼ । ଗୃହ ଲକ୍ଷ୍ମୀ ଯୋଜନାରେ ମହିଳାଙ୍କୁ ମାସିକ ୨ ହଜାର, ବେକାରଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବୁ । ୫ ଶହ ଟଙ୍କାରେ ଯୋଗାଇବୁ ଗ୍ୟାସ ସିଲିଣ୍ଡର । ପ୍ରତିଶ୍ରୁତିର ବର୍ଷା ମଧ୍ୟରେ କିନ୍ତୁ ବାଜି ମାରିନେଲା ପଦ୍ମ ଦଳ ।
ହାରିଗଲେ ନବୀନ
ବାଁ ହାତ ହଲାଇ ଦେଲେ ଭୋଟ ଅଜାଡ଼ି ହୋଇଯାଉଥିଲା । “ଆପଣମାନେ ଖୁସି ତ...” କହିଦେଲେ ତାଳି ବର୍ଷା ହେଉଥିଲା । ଯେଉଁ ‘ନବୀନ’ ନାଁ ରାଜ୍ୟ ରାଜନୀତିର ସବୁଠୁ ବଡ଼ ବ୍ରାଣ୍ଡ୍ ପାଲଟିଥିଲା, ଏଥର ମାତ୍ ଖାଇଗଲା । ୨୭ ବର୍ଷର ଲମ୍ବା ରାଜନୈତିକ କ୍ୟାରିୟରରେ ଲାଗିଲା ଗ୍ରହଣ । ଅପରାଜେୟ ନବୀନ ପ୍ରଥମ ଥର ପାଇଁ ହାରିଲେ ନିର୍ବାଚନ । କଣ୍ଟାବାଞ୍ଜିରେ ଲକ୍ଷ୍ମଣ ବାଗ୍ଙ୍କଠାରୁ ପରାଜିତ ହେଲେ ୫ ଥରିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ଆସନ ହିଞ୍ଜିଳିରେ ବହୁ କଷ୍ଟରେ ଜିତିଲେ । ଖାଲି ସେତିକି ନୁହେଁ, କାମ କଲାନି ନବୀନଙ୍କ ଯାଦୁ । ଲଗାତାର ୫ ଥର ସରକାର ଗଢ଼ିଥିବା ବିଜେଡି ପ୍ରଥମ ଥର କ୍ଷମତାଚ୍ୟୁତ ହେଲା । ବିଧାନସଭାରେ ଲଗାତାର ୧୦୦୍ମ ଆସନ ଜିତୁଥିବା ବିଜେଡି ଆସନ ସଂଖ୍ୟା ଏଥର ଅଧା ହୋଇଗଲା । ଦଳ ଅଟକିଗଲା ୫୧ରେ । ଲୋକସଭାରେ ବିଜେଡି ପୂରା ସଫା । ନବୀନଙ୍କ ପ୍ରଚାର, ନବୀନଙ୍କ ଭାଷଣ ଏଥର ନିର୍ବାଚନରେ ସବୁ କିଛି ଫିକା ପଡ଼ିଗଲା । ନିର୍ବାଚନରେ ପ୍ରଚଣ୍ଡ ଝଟ୍କା ପାଇବା ପରେ ପ୍ରଥମ ଥର ପାଇଁ ନବୀନ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ ଓହ୍ଲାଇଲେ । ହେଲେ ପରାଜୟ ପରେ ନବୀନ ଅଟକିଯାଇନାହାନ୍ତି । ଦଳର ସଂଗଠନକୁ ପୁଣି ଥରେ ଛିଡ଼ା କରାଇବାକୁ ନିୟମିତ ପ୍ରୟାସ ଚଳାଇଛନ୍ତି । ଆଉ କାହା ଉପରେ ନିର୍ଭର ନ କରି ନିଜେ ବୁଝୁଛନ୍ତି ସଂଗଠନ କଥା ।
ବିଜେଡିକୁ ବିପର୍ଯ୍ୟୟ
ପରାଜୟ କ’ଣ ଜାଣିନଥିଲେ । କ୍ଷମତା ପରିଧି ବାହାରେ କେବେ ରହିନଥିଲେ । ମାତ୍ର ୨୦୨୪ ସବୁ ଅଙ୍କ ବିଗାଡ଼ି ଦେଲା । କ୍ଷମତାରୁ ବିଦା ହେବା ସହ ବିଜେଡିର ପାଦ ତଳୁ ଖସିଗଲା ମାଟି । ସଂଗଠନ ଧସିଗଲା ମାଟି ତଳକୁ । ନିର୍ବାଚନ ଯାଏଁ ଯେଉଁ ଦଳ ଶୃଙ୍ଖଳିତର ଟ୍ୟାଗ୍ ନେଇ ଚାଲିଥିଲା, ଜୁନ୍ ୪ ଫଳାଫଳ ପରେ ଆରମ୍ଭ ହୋଇଗଲା ବିପର୍ଯ୍ୟୟ । ଖୋଲାଖୋଲି ନେତା ବୟାନବାଜି କଲେ । ନେତୃତ୍ୱ ଉପରକୁ ଆଙ୍ଗୁଠି ଉଠାଇଲେ । କିଏ ରଣନୀତିକୁ ଦାୟୀ କଲେ, କିଏ ଅଣଦେଖା ପ୍ରସଙ୍ଗ ଉଠାଇଲେ । ପରିସ୍ଥିତି ଏମିତି ହେଲା- ନେତା ପଦପପଦବୀକୁ ଛାଡ଼ି ବିଜେପିକୁ ପଳାଇଲେ । ଦୁଇଜଣ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡି ଛାଡ଼ିଲେ । ଯେଉଁମାନଙ୍କର ଟିକଟ କଟିଥିଲା, ସେମାନେ ବି ବିଷ ଉଗାଳିଲେ । ସୁନନ୍ଦା ଦାସ ବିଜେପିରେ ମିଶିଲେ । ଅମର ଶତପଥୀ ଆଜି ଯାଏଁ ବିଜେଡି ଉପରେ ବର୍ଷୁଛନ୍ତି । କ୍ଷମତା ଯିବା ପରେ ଭୁବନେଶ୍ୱର ବିଜେଡିର କଳି ବିଏମସିରୁ ଶଙ୍ଖ ଭବନ ଯାଏଁ ଉଛୁଳିଲା । ଖୋଲାଖୋଲି ବୟାନବାଜି ଚାଲିଲା । ପରାଜୟ ପରେ ଶଙ୍ଖ ଭବନରେ ଠେଲାପେଲା, ଗାଳିଗୁଳଜ ଘଟଣା ବି ଦେଖିବାକୁ ମିଳିଲା । ଖାଲି ଏତିକି ନୁହେଁ, ତୃଣମୂଳ ସ୍ତରରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ ଏବେ ବିଜେପି ମୁହାଁ । ଦୁଇ ଦୁଇଜଣ ସାଂସଦ ଦଳ ଛାଡ଼ିବା ପରେ ବାକି ୭ଜଣ ରାଜ୍ୟସଭା ସାଂସଦ ବାଧ୍ୟ ହେଲେ ଏକାଠି ପରେଡ କରିବାକୁ । ବିଧାନସଭାରେ ୫୧ ଆସନ ଥାଇ ବି ବିଜେପି ସରକାର ବିରୋଧରେ ସ୍ୱର ଟାଣ କରିପାରୁନି ବିଜେଡି । ରାଜ୍ୟସଭାରେ ବି ଦଳର ଆଭିମୁଖ୍ୟ ଅସ୍ପଷ୍ଟ ଯୋଗୁ କର୍ମୀଙ୍କ ଭିତରେ ନାନା ସନ୍ଦେହ ବଢ଼ୁଛି । ସବୁଠୁ ବଡ଼ କଥା ହେଲା, ଏ ପରାଜୟ ପରେ ବିଜେଡିର ଭବିଷ୍ୟତକୁ ନେଇ ଆଶଙ୍କା ଦେଖା ଦେଇଛି ।
ଉତ୍ଥାନ, ପତନ
ଶାସନରୁ ଭାଷଣ ଯାଏଁ ସବୁଠି ଥିଲା ଗୋଟିଏ ନାଁ-ପାଣ୍ଡିଆନ...ପାଣ୍ଡିଆନ...ପାଣ୍ଡିଆନ । ୨୦୨୪ ଥିଲା ଭି.କେ.ପାଣ୍ଡିଆନଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହି ବର୍ଷର ପ୍ରଥମାର୍ଦ୍ଧ ତାଙ୍କ ଜୀବନରେ ଉତ୍ଥାନ ଦେଖାଇଥିଲା । ସେ ଥିଲେ ରାଜନୀତି ଚର୍ଚ୍ଚାର ଶିଖରରେ । ତାଙ୍କ ଚାରିପାଖେ ଘୂରି ବୁଲୁଥିଲା ପାୱାର କରିଡର । ବିଜେଡି ରଣନୀତିର ସେ ପାଲଟିଥିଲେ ମେରି ଖୁଣ୍ଟ । ମାତ୍ର ଜୁନ୍ ୪ ନିର୍ବାଚନ ଫଳାଫଳ ତାଙ୍କ କ୍ୟାରିୟରରେ ଏମିତି ଗ୍ରହଣ ଲଗାଇଲା, ମାଡ଼ି ଆସିଲା ପତନ । ଯେଉଁ ପାଣ୍ଡିଆନଙ୍କୁ ବିଜେଡିରେ ସବୁଠାରୁ କ୍ଷମତାଶାଳୀ କୁହାଯାଉଥିଲା, ତାଙ୍କ ବିରୋଧରେ ବି ଦଳ ଭିତରୁ ସ୍ୱର ଉଠିଲା । ସଫଳତାର ଶ୍ରେୟ ଯେମିତି ପାଉଥିଲେ, ବିଜେଡି ବିପର୍ଯ୍ୟୟର ସବୁ ଦୋଷ ଗଲା ତାଙ୍କ ମୁଣ୍ଡକୁ । ଶେଷରେ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିକୁ ବାଏବାଏ କଲେ । ନିର୍ବାଚନ ପୂର୍ବରୁ ସବୁବେଳେ ନବୀନଙ୍କ ଛାଇ ଭଳି ପାଖରେ ଛିଡ଼ା ହେଉଥିଲେ ପାଣ୍ଡିଆନ । ବିଜେଡି କ୍ଷମତାଚ୍ୟୁତ ହେବା ପରଠାରୁ ସେ ଆଉ ଦିଶୁନାହାନ୍ତି କୌଣସି ମଞ୍ଚରେ କିମ୍ବା ନବୀନ ନିବାସରେ । ନବୀନ ଏବେ ଏକା ଏକା ସବୁ ବୁଝୁଛନ୍ତି । ୨୦୨୩ ବର୍ଷ ଶେଷବେଳକୁ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରିଥିଲେ । ୨୦୨୪ ଆରମ୍ଭରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ, ବଡ଼ବଡ଼ ଘୋଷଣା ଓ ପ୍ରତିଶ୍ରୁତି ବେଶ୍ ଚର୍ଚ୍ଚାରେ ଥିଲା । ସବୁ ସମସ୍ୟାର ସମାଧାନ ଚୁଟ୍କିରେ କରୁଥିଲେ । ୫-ଟି ମନ୍ତ୍ରରେ ପୂରା ପ୍ରଶାସନ ଧାଉଁଥିଲା । ମାତ୍ର ପାଣ୍ଡିଆନଙ୍କ ରାଜନୈତିକ କ୍ୟାରିୟରରେ ଗ୍ରହଣ ଲାଗିବା ପରେ ରାଜ୍ୟ ପ୍ରଶାସନରେ ୫-ଟି ଯୁଗ ବି ଶେଷ ହୋଇଛି ।
ଦଳ ପଘା ଛିଣ୍ଡାଇଲେ
ଭୋଟ ପୂର୍ବରୁ ଏମିତି ଦଳ ଡିଆଁ ଚାଲିଲା, ନୀତି, ଆଦର୍ଶ ସବୁ ଚୂଲିକୁ ଗଲା । ଯାହା ଟିକଟ କଟିଲା, ସିଏ ଏପାଖରୁ ସେପାଖକୁ ଡିଆଁ ମାରିଲା । ତାଲିକା ଢେର ଲମ୍ବା । ଭର୍ତ୍ତୃହରି ମହତାବ, ସମୀର ଦାଶ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ଆକାଶ ଦାସନାୟକ, ସୀମାରାଣୀ ନାୟକ, ସନ୍ତୋଷ ଖଟୁଆ ବିଜେଡି ଛାଡ଼ି ବିଜେପିରେ ମିଶିଲେ । ଦେବାଶିଷ ନାୟକ ବିଜେଡିରୁ ଭାୟା ବିଜେପି ହୋଇ ଶେଷରେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିଲେ । ନିହାର ମହାନନ୍ଦ କଂଗ୍ରେସରୁ ଗଲେ ବିଜେପି । ଏକଦା କଂଗ୍ରେସର ମୁଖ ପାଲଟିଥିବା ଭେଟେରାନ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ଶଙ୍ଖ ଦଳରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ହେଲେ । ସାନ ପୁଅ ପାଇଁ ପ୍ରଚାର କରି ସୁର ବିଦା ହେଲେ କଂଗ୍ରେସରୁ । ବିଜୟ ମହାପାତ୍ର ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିଲେନି । ମାତ୍ର ତାଙ୍କ ପୁଅ ଅରବିନ୍ଦ ବିଜେଡି ଟିକଟରେ ଲଢ଼ି ପାଟକୁରା ବିଧାୟକ ହେଲେ । ଅଂଶୁମାନ ମହାନ୍ତି ବିଜେଡିକୁ ଯାଇ ଜିତିପାରିଲେନି । ବିଜେଡିରୁ ବିଦା ହେବା ପରେ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ପଦ୍ମ ଟିକଟରେ ବାଜିମାତ୍ କଲେ । ନିର୍ବାଚନ ପବନକୁ ଠଉରାଇ ନ ପାରି ବିଜେପିରୁ ବିଜେଡି ଡିଆଁ ମାରିଲେ ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତରାୟ । ଉଭୟ ଲୋକସଭା ପାଇଁ ଲଢ଼ି ହାରିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପରିବାର ସହ କଂଗ୍ରେସକୁ ଫେରିଲେ । ମାତ୍ର କେହି ଟିକଟ ପାଇଲେନି । ନିର୍ବାଚନ ପରେ ବି ଦଳ ଡିଆଁ ସରିଲାନି । ଦୁଇ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡି ଛାଡ଼ି ବିଜେପିରେ ମିଶି ପୁଣି ରାଜ୍ୟସଭା ଗଲେ । ଟିକଟରୁ ବଞ୍ଚିତ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଭୋଟ ପରେ ବିଜେପିରେ ମିଶିଲେ । ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ିଲେ ବି ବିଜେଡିରୁ ଜିତିଲେ ।
ମହାରଥୀଙ୍କ ମହାପରାଜୟ
ରାଜ୍ୟ ରାଜନୀତି ମଇଦାନର ସିକନ୍ଦରମାନେ ଆଣ୍ଠେଇଲେ ଭୋଟ ମଇଦାନରେ । ତିନି ପ୍ରମୁଖ ଦଳର ମୁଖିଆ ହାରିଲେ ନିର୍ବାଚନ । ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ, ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାରୁ ବିଧାନସଭା ଲଢ଼େଇରେ ପରାଜିତ ହେଲେ । ବିଜେଡିର ସଂଗଠନ ମୁଖିଆ ଥିବା ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ଲୋକସଭା ଲଢ଼ି ହାରିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ । ଖାଲି ସେତିକି ନୁହେଁ, ପ୍ରଣବଙ୍କ ମା’ ନିର୍ବାଚନ ମଇଦାନକୁ ଓହ୍ଲାଇ ପରାଜିତ ହେଲେ । ବିଜେଡିର ଶେଷ ପାଳିରେ କ୍ଷମତାରେ ଥିବା ୧୧ଜଣ ମନ୍ତ୍ରୀ ଓ ବରିଷ୍ଠ ନେତା ହାରିଲେ । ଦେବୀ ମିଶ୍ର, ବିକ୍ରମ କେଶରୀ ଆରୁଖ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଫୁଲ୍ଲ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ, ଟୁକୁନି ସାହୁ, ଅଶୋକ ପଣ୍ଡା, ପ୍ରୀତି ରଞ୍ଜନ ଘଡ଼ାଇ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ, ଚନ୍ଦ୍ରସାରଥୀ ବେହେରା ଏଥର ଜିତିପାରିଲେନି । ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏଥର ବି ବିଜୟ ସ୍ୱାଦ ଚାଖି ପାରିଲେନି । ଅନେକ ନେତା ଟିକଟ ନ ପାଇ ଅଟକିଲେ ।
ଅଟକିଲା ମେଣ୍ଟ
ଇତିହାସ ପୁଣି କଡ଼ ଲେଉଟାଇବ । ବିଜେଡିବିଜେପି ମଧ୍ୟରେ ହେବ ମେଣ୍ଟ । ଭୋଟ ଚବିଶ ପୂର୍ବରୁ ମେଣ୍ଟ ସମୀକରଣର ଚର୍ଚ୍ଚା ରାଜ୍ୟ ରାଜନୀତି ପାଇଁ ପାଲଟିଲା ବଡ଼ ଖବର । ଦିଲ୍ଲୀରୁ ଭୁବନେଶ୍ୱର ବିଜେପି-ବିଜେଡି ମେଣ୍ଟକୁ ନେଇ ବସିଲା ଘନ ଘନ ବୈଠକ । ଦୁଇ ଦଳର ନେତାଙ୍କ ବୟାନବାଜି ବି ଚର୍ଚ୍ଚାର ନିଆଁରେ ଘିଅ ଢାଳିଲା । ନବୀନ ନିବାସରେ ବିଜେଡି ବୈଠକ, ସେପଟେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଚାଲିଲା ମାରାଥନ ବୈଠକ । ଦିଲ୍ଲୀରେ ରାଜ୍ୟ ସଭାପତି ମନମୋହନ ସାମଲ ଡେରା ପକାଇଲେ । ନିଜ ଜିଦରେ ଅଟଳ ରହିଲେ । ପ୍ରଧାନମନ୍ତ୍ରୀ ଓ ଅମିତ୍ ଶାହଙ୍କୁ ପ୍ରତିଶ୍ରୁତି ଦେଲେ ଆମେ ଏକା ଲଢ଼ିବା, ନିଶ୍ଚୟ ସରକାର କରିବା । ମେଣ୍ଟ ହେଲେ କଂଗ୍ରେସ ଲାଭରେ ରହିବ । ମନମୋହନଙ୍କ ଜିଦ୍ କାଟୁ କଲା । ଏକରକମ ଶେଷ ପର୍ଯ୍ୟାୟକୁ ଯାଇଥିବା ମେଣ୍ଟ ସମୀକରଣ ଅଟିକଗଲା । ମେଣ୍ଟ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ । ମନମୋହନଙ୍କ ଭବିଷ୍ୟବାଣୀ ସତ ହେଲା । ନିଜେ ସେ ହାରିଗଲେ ସତ କିନ୍ତୁ ବିଜେପି ନିଜ ଦମରେ ରାଜ୍ୟର ଶାସନ ଗାଦିରେ ବସିଲା । ୨୧ ଲୋକସଭା ଆସନରୁ ପଦ୍ମ ପୋଛିନେଲା ୨୦ ।
ବଳ ବଢ଼ାଇଲା କଂଗ୍ରେସ
ସୁଧୁରିଲା ସ୍ଥିତି । ୨୦୨୪ ସାଧାରଣ ନିର୍ବାଚନରେ ବଳ ବଢ଼ାଇଲା କଂଗ୍ରେସ । ଦଳ ଦୁଇ ଅଙ୍କ ଛୁଇଁଲା । ୧୪ଟି ବିଧାନସଭା ଆସନ ଜିତିଲା । ଲୋକସଭାରେ ବିଜେଡି ସଫା ହୋଇଯାଇଥିବାବେଳେ କଂଗ୍ରେସର ସମ୍ମାନ ରଖିଲେ ସପ୍ତଗିରି ଉଲାକା । ପୁଣି ଥରେ କୋରାପୁଟରୁ ବାଜି ମାରିନେଲେ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଥିଲା ବଡ଼ ଝଟ୍କା । । ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିକୁ ପଳାଇଲେ । ସୁର ରାଉତରାୟ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କଲେ । ହେଲେ ତାଙ୍କ ସାନ ପୁଅ ମନ୍ମଥ ଭୁବନେଶ୍ୱରରୁ ବିଜେଡିର ଲୋକସଭା ପ୍ରାର୍ଥୀ ହେଲେ । ପୁଅ ପାଇଁ ପ୍ରଚାର କରି ସୁର ଦଳରୁ ବିଦା ହେଲେ । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଗଣେଶ୍ୱର ବେହେରା, ଦଳ ଛାଡ଼ି ବିଜେଡିକୁ ଗଲେ । ତୃଣମୂଳ ସ୍ତରରେ ବହୁ ନେତା ଦଳ ଛାଡ଼ି ବିଜେଡି, ବିଜେପିକୁ ଡେଇଁଲେ । ଲାଗିଲା- ଏଥର ବୋଧହୁଏ କଂଗ୍ରେସ ଆଉ ଉଧେଇବ ନାହିଁ । ହେଲେ ସବୁ ଅନୁମାନ ଭୁଲ୍ ହେଲା । ବିଧାନସଭାରେ ଦଳର ସଂଖ୍ୟା ବଢ଼ିଲା । ମାତ୍ର ଭୋଟ ପରେ ବି କଂଗ୍ରେସ ଦଳ ଏକାଠି ହୋଇପାରିଲାନି । ୧୪ ବିଧାୟକ ଭିତରେ ବି ଫାଟ । ପିସିସି ଭଙ୍ଗ ପରେ ମୁରବୀଶୂନ୍ୟ ହୋଇ ରାଜ୍ୟରୁ ଜିଲ୍ଲା ଯାଏଁ କଂଗ୍ରେସ ସଂଗଠନ ପଡ଼ିଛି । କେବଳ ଯୁବ, ଛାତ୍ର ନେତା ଭରସାରେ ରାଜ୍ୟରେ କଂଗ୍ରେସ ନିଜ ସ୍ଥିତି ଜାହିର କରୁଛି ।
ବିଦ୍ରୋହୀଙ୍କ ଖେଳ
ନିର୍ବାଚନରେ ଅନେକ ହେଭିୱେଟ୍ ମାଟି କାମୁଡ଼ିଲେ । ବିଦ୍ରୋହୀଙ୍କ ଯୋଗୁ ରାଜନୈତିକ ଅଙ୍କ ଓଲଟପାଲଟ ହୋଇଥିଲା । ବିଜେଡିର ପୂର୍ବତନ ବିଧାୟକ ସମୀର ଦାସଙ୍କ ବିଦ୍ରୋହ ଯୋଗୁ ବିଜେଡିର ଗଡ଼ ନିମାପଡ଼ା ଆସନ ବିଜେପି ଖାତାକୁ ଯାଇଥିଲା । ଜଗତ୍ସିଂହପୁର ବିଜେଡିର ଯୁବ ନେତା ଅମରେନ୍ଦ୍ର ଦାସ ବିଜେପିରେ ମିଶି ଯାଇଥିଲେ । ବିଜେପି ଟିକେଟରେ ଲଢ଼ି ସେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ହରାଇଥିଲେ । ଖଲ୍ଲିକୋଟରୁ ବିଜେଡି ଟିକେଟ ଆଶାୟୀ ଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେପିରୁ ଟିକେଟ୍ ନେଇଥିଲେ । ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ସେ ହରାଇଥିଲେ । ଖଣ୍ଡପଡ଼ା ଆସନରେ ବିଜେଡି ନେତାଙ୍କ ବିଦ୍ରୋହ ଯୋଗୁ ବିଜେପି ପ୍ରାର୍ଥୀ ସହଜରେ ଜିତିଥିଲେ । ବିଜେଡିରୁ ନିରାଶ ହୋଇ ହିନ୍ଦୋଳରେ ବିଜେପି ଟିକେଟରୁ ଲଢ଼ିଥିବା ସୀମାରାଣୀ ନାଏକ ଜିତି ଯାଇଥିଲେ । ଦଳୀୟ ନେତାଙ୍କ ବିଦ୍ରୋହ ଯୋଗୁ ଭୁବନେଶ୍ୱର ଏକାମ୍ର ଆସନରେ ମନ୍ତ୍ରୀ ଅଶୋକ ପଣ୍ଡା ହାରିଥିଲେ । ଖୋର୍ଦ୍ଧା ଆସନରେ ବି ସମାନ ଢଙ୍ଗରେ ବିଜେପି ଜିତିଥିଲା ।
ମନ ଜିଣିଲା ‘ଓଡ଼ିଆ ଅସ୍ମିତା’
ବିଦାୟ ଚବିଶରେ ‘ଓଡ଼ିଆ ଅସ୍ମିତା’ ଥିଲା ସବୁଠାରୁ ଚର୍ଚ୍ଚିତ । ଏହାକୁ ବିଜେପି ଭୋଟରେ ଟ୍ରମ୍ପକାର୍ଡ ଭାବେ ବ୍ୟବହାର କଲା । ଦଳ ସପକ୍ଷରେ ହାୱା ବହିଲା । ବିଜେଡିକୁ ବ୍ରେକ୍ ଲଗାଇବାରେ ଦଳ ସଫଳ ହେଲା । କ୍ଷମତାର ଡୋରି ଧରିଲା । ବିଜେଡିର କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦି ତୀର ମାରିଲେ । ଓଡ଼ିଆ ଅସ୍ମିତା ବିପନ୍ନ । ଓଡ଼ିଶା ବିପଦରେ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା? ଏ ଅପାରଗ ସରକାର ରତ୍ନ ଭଣ୍ଡାରର ଚାବି ସମ୍ଭାଳି ପାରିଲେ ନାହିଁ? ବିଜେପି ଆସିଲେ ଚାବି ହଜିବା କମିଶନ ରିପୋର୍ଟ ସାର୍ବଜନୀନ ହେବ । ଓଡ଼ିଆ ପୁଅ ହିଁ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ । ମୋଦିଙ୍କର ଏ ଓଡ଼ିଆ ଅସ୍ମିତା କାର୍ଡ ଲୋକଙ୍କ ମନ ଜିଣିଲା ।
ମଙ୍ଗ ଧରିଲେ ମୋହନ
ଗରିବ ଆଦିବାସୀ ଘରର ପୁଅ । ନେତାଙ୍କ ଭଳି ହାଇଫାଇ ଠାଣି ନାହିଁ । ବେଶ୍ ମେଳାପି । ଲୋକଙ୍କ ଗହଣରେ ରହୁଥିବା ମଣିଷଟିଏ । ସେ ହେଲେ ମୋହନ ଚରଣ ମାଝୀ ଆମ ମୁଖ୍ୟମନ୍ତ୍ରୀ । କେହି କଳ୍ପନା କରିନଥିଲେ । ଯେତେବେଳେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ମାନସ ମନ୍ଥନ ଚାଲିଥିଲା । କାହାରି ନଜର ବି ଯାଇନଥିଲା ତାଙ୍କ ଆଡ଼କୁ । ସମ୍ଭାବ୍ୟ ତାଲିକାରେ ବି ରାଜନୈତିକ ପଣ୍ଡିତମାନେ ତାଙ୍କ ନାଁ ହିସାବକୁ ନେଇ ନଥିଲେ । କିନ୍ତୁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଇଁ ମୋହନ ଚରଣ ମାଝୀଙ୍କ ନାମ ଘୋଷଣା କରି ଚମକାଇ ଦେଲେ ବିଜେପି କେନ୍ଦ୍ରୀୟ ନେତୃତ୍ୱ । ଯିଏ ଦିନେ ଗାଁ ଆଶ୍ରମ ସ୍କୁଲରେ ଗୁରୁଜୀ ଭାବେ ପିଲାଙ୍କ ଭବିଷ୍ୟତ ଗଢ଼ୁଥିଲେ, ଏବେ ସେ ବିକଶିତ ଓଡ଼ିଶାର ଭିତ୍ତି ପକାଇଛନ୍ତି । ଶପଥ ଗ୍ରହଣରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶପଥ ନେଲେ ମୋହନ । ପ୍ରଥମ ଦିନରୁ ହିଁ ମୋହନଙ୍କ ନାମ ସହ ଯୋଡ଼ି ହୋଇଗଲା ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଟ୍ୟାଗ । ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ବଦଳିଗଲା ଅଭିଯୋଗ ଶୁଣାଣୀର ପ୍ରକ୍ରିୟା । ଅଫିସର ନୁହେଁ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ଖୋଲିଲା ସାଧାରଣ ଲୋକଙ୍କ ପାଇଁ । ଘଣ୍ଟା ଘଣ୍ଟା ବସି ମୁଖ୍ୟମନ୍ତ୍ରୀ ଲୋକଙ୍କ ଗୁହାରି ଶୁଣିଲେ । ତତ୍କାଳ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ । ଯେ କେହି ଚାହିଁଲେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏବେ ପହଞ୍ଚି ପାରୁଛନ୍ତି । ଏଇଟା ହିଁ ବଡ଼ ଉପଲବ୍ଧି ରାଜ୍ୟବାସୀଙ୍କ ପାଇଁ । ନିର୍ବାଚନରେ ଦେଇଥିବା କଥାକୁ ପାଳନ କରିବାକୁ ଯାଇ ମୋହନ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଲେ । ୬ ମାସର କାର୍ଯ୍ୟକାଳ ଭିତରେ ମୁଖ୍ୟମନ୍ତ୍ରୀ ଶିଳ୍ପ, ନିବେଶ ପାଇଁ ବଡ଼ ବଡ଼ ପଦକ୍ଷେପ ନେବା ସହ ସୁଭଦ୍ରା ଟଙ୍କା, ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ଭଳି ନିଷ୍ପତ୍ତି ନେଇ ରାଜ୍ୟବାସୀଙ୍କ ହୃଦୟ ଜିତି ପାରିଛନ୍ତି ।
ଅପରେସନ ଲୋଟସ୍
କେହି କିଛି ସୁରାକ ପାଇଲେନି । ବିଜେଡି ଶିବିରରୁ ସାଂସଦ ମମତା ମହାନ୍ତଙ୍କୁ ଶିକାର କରିନେଲା ବିଜେପି । ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହେଲା । ଦୋହଲିଗଲା ବିଜୁ ଜନତା ଦଳ ଶିବିର । ‘ଚକ୍ମା’ ଦେଇ ବିଜେଡିକୁ ବାଏ ବାଏ କଲେ । ବିଜେପି ଟିକଟରେ ପୁଣି ରାଜ୍ୟସଭାକୁ ଗଲେ ମମତା । ଦିନ କେଇଟା ଯାଇନି । ‘ଅପରେସନ ଲୋଟସ୍’ର ଘା’ ଶୁଖିନି । ପୁଣି ବିଜେପିର ଗୁପ୍ତ ଗୋଟି ଚାଳନାରେ ଉଡ଼ିଗଲା ହୋସ୍ । ଦ୍ୱିତୀୟ ଶିକାର ହେଲେ ସାଂସଦ ସୁଜିତ କୁମାର । ନଇଁ ପଡ଼ିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ । ବିଜେଡିକୁ ଅସ୍ତବ୍ୟସ୍ତ କରିବାକୁ ସମାନ ଫର୍ମୁଲା ଆପଣାଇଲା ପଦ୍ମ ଶିବିର । ସୁଜିତ୍ ବିଜେଡି ଛାଡ଼ି ବିଜେପି ଗଲେ । ‘ପଦ୍ମ ମାର୍କା’ ଏମ୍ପି ଭାବେ ପୁଣି ଗଲେ ରାଜ୍ୟସଭା । ବିଜେଡିରେ ପଶିଗଲା ଛନକା । କିଛି ଶଙ୍ଖ ଦଳ ବିଧାୟକ ମଧ୍ୟ ପଦ୍ମ ଧରିବେ ବୋଲି ଚର୍ଚ୍ଚା ଘୂରି ବୁଲିଲା । ବିଜେପି ସେତିକିରେ ଅଟକିଲାନି । ରାଜ୍ୟର ବହୁ ବ୍ଲକ ଓ ପୌରାଞ୍ଚଳରେ ‘ଅନାସ୍ଥା’ର ଗୋଟି ଚଳାଇଲା । ଅନାସ୍ଥାରେ ବିଜେଡିର ମୁଖିଆମାନେ ଚିତ୍ପଟାଙ୍ଗ ମାରିଲେ । କ୍ଷମତା ଗଲା ପଦ୍ମ କ୍ୟାମ୍ପକୁ । ବିଜେପି ବଢ଼ିଲା । ଛିଣ୍ଡିଲା ବିଜେଡି ।
ଟେକ ରଖିଲେ
ଜୁନ୍ ୪ ପୂର୍ବରୁ କେବଳ କଣ୍ଟାବାଞ୍ଜିରେ ସୀମିତ ଥିଲେ ‘ଲକ୍ଷ୍ମଣ ବାଗ’ । ନବୀନ ପଟ୍ଟନାୟକଙ୍କୁ ହରାଇ ଲକ୍ଷ୍ମଣ ପାଲଟିଗଲେ ଚର୍ଚ୍ଚିତ ଚେହେରା । କଣ୍ଟାବାଞ୍ଜିରେ ଏମିତି ଫଳାଫଳ ନେଇ କେହି କଳ୍ପନା କରିନଥିଲେ । ଆଇନଗତ ସମସ୍ୟା ଯୋଗୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇ ପାରିଲେନି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ବାରବାଟୀ କଟକରୁ ନିର୍ବାଚନ ଲଢ଼ି ଜିତିଲେ ମୋକିମଙ୍କ ସୁକନ୍ୟା ସୋଫିଆ ଫିର୍ଦ୍ଦୋସ । ଠିକ୍ ସେମିତି ପାଟକୁରାରୁ ବିଜୟୀ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ବ୍ରହ୍ମଗିରିରୁ ଏଥର ନିର୍ବାଚିତ ହେଲେ ଦିବଂଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା । ପୁରୀରୁ ଦିବଂଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ, ଭବାନୀପାଟଣାରୁ ଭକ୍ତ ଦାସଙ୍କ ପୁଅ ସାଗର, ପାରଳାଖେମୁଣ୍ଡିରୁ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୁପେଶ, ବାଲେଶ୍ୱର ସଦରରୁ ଦିବଂଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ, ବୀରମିତ୍ରପୁରରୁ ଜର୍ଜ ତୀର୍କିଙ୍କ ପୁଅ ରୋହିତ ଓ ଭୋଗରାଇରୁ ପୂର୍ବତନ ବିଧାୟକ ଦୁର୍ଗାଶଙ୍କର ଦାସଙ୍କ ପୁଅ ଗୌତମବୁଦ୍ଧ ବିଜୟୀ ହୋଇ ବିଧାନସଭା ଆସିଛନ୍ତି । ନିମାପଡ଼ାରୁ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ଏକାମ୍ରରୁ ବାବୁ ସିଂ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ପିପିଲିରୁ ଆଶ୍ରିତ ପଟ୍ଟନାୟକ, ଭଟଲିରୁ ଇରାଶିଷ ଆଚାର୍ଯ୍ୟଙ୍କ ବିଜୟ ଏଥର ସଭିଙ୍କୁ ଚମକାଇ ଦେଇଥିଲା ।
ବିଧାନସଭାରେ ଓଲଟପାଲଟ
୨୦୨୪ ବିଧାନସଭାର ନୂଆ ଚେହେରା ଦେଖିଥିଲା । ଲଗାତାର ୨୪ ବର୍ଷ ଶାସକ ଦଳ ଆସନକୁ ଦଖଲରେ ରଖିଥିବା ବିଜେଡିକୁ ବିପରିତ ପାଶ୍ୱର୍କୁ ଯିବାକୁ ପଡ଼ିଥିଲା । ବସିବାକୁ ପଡ଼ିଲା ବିରୋଧୀ ଆସନରେ । ବିଜେପି ଆସିଲା ଶାସକ ଦଳ ଆସନକୁ । ୨୪ ବର୍ଷ ଧରି ଯେଉଁ ମୁଖ୍ୟମନ୍ତ୍ରୀ ଆସନରେ ନବୀନ ପଟ୍ଟନାୟକ ବସୁଥିଲେ, ତାହା ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ଥାନ । ରାଜନୈତିକ ଜୀବନ କାଳ ଭିତରେ ପ୍ରଥମ ଥର ପାଇଁ ନବୀନ ବିରୋଧୀ ଦଳ ନେତା ଆସନରେ ବସିଥିଲେ ।
ରାଜନୀତିରୁ ସନ୍ନ୍ୟାସ
୨୦୨୪ରେ ପ୍ରତ୍ୟକ୍ଷ ରାଜନୀତିରୁ ବହୁ ଭେଟେରାନ୍ ରାଜନେତା ସନ୍ୟାସ ନେଇଥିଲେ । ସେମାନଙ୍କ ମଧ୍ୟରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଥିଲା । ଏପରିକି ବର୍ଷ ଯାକ ବିଧାନସଭାର ବିଭିନ୍ନ ଅଧିବେଶନରେ ବହୁ ବିଧାୟକ ଓ ସାମ୍ବାଦିକ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲେ । ସେହିପରି ଜଟଣୀର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ ବିଜେପି ନେତା ବିଜୟ କୁମାର ମହାପାତ୍ର, ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପ୍ରମୁଖ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିଲେ । ଅନେକ ନେତା ନିଜେ ନିର୍ବାଚନ ନଲଢ଼ି ନିଜ ଦାୟାଦଙ୍କ ପାଇଁ ବାଟ ଛାଡ଼ିଥିଲେ ।
ଦଳ ଛାଡ଼ିଲେ, ପସ୍ତେଇଲେ
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବହୁ ନେତା ଦଳ ଛାଡ଼ିଥିଲେ । ହେଲେ ସେମାନଙ୍କ ମଧ୍ୟରୁ କିଛି ନେତା ଦଳ ଛାଡ଼ି ପସ୍ତେଇବା ସ୍ଥିତି ଦେଖିଥିଲେ । ୨୦୧୯ରେ ବିଜେପିରୁ ନୀଳଗିରି ବିଧାୟକ ଭାବେ ସୁକାନ୍ତ ନାୟକ ଜିତିଥିଲେ । ମାତ୍ର ୨୦୨୪ ବେଳକୁ ବିଜେପି ଛାଡ଼ି ବିଜେଡିରୁ ବିଧାୟକ ପ୍ରାର୍ଥୀ ହେଲେ । ହେଲେ ବିଜେଡିରୁ ବିଜେପିକୁ ଯାଇଥିବା ସନ୍ତୋଷ ଖଟୁଆଙ୍କଠୁ ହାରିଗଲେ । ସେହିପରି ବିଜେପି ଛାଡ଼ି ବିଜେଡିରୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଲଢ଼ି ହାରିଲେ ଲେଖାଶ୍ରୀ ସାମନ୍ତସିଂହାର । ସେହିପରି ଭୃଗୁ ବକ୍ସିପାତ୍ରଙ୍କର ମଧ୍ୟ ବିଜେପିରେ ବେଶ ଦବଦବା ରହିଥିଲା । ମାତ୍ର ଶେଷ ମୁହୁର୍ତ୍ତରେ ବିଜେଡିକୁ ଯାଇ ବ୍ରହ୍ମପୁରରୁ ସାଂସଦ ପ୍ରାର୍ଥୀ ହୋଇ ହାରିଲେ । ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗଦେଇ ସାଂସଦ ପ୍ରାର୍ଥୀ ହୋଇ ହାରିଥିଲେ । ୨୦୧୯ରେ ବିଜେଡିରୁ ଜୟଦେବ ବିଧାୟକ ଥିବା ଅରବିନ୍ଦ ଢ଼ାଲି ଏଥର ବିଜେପି ଟିକଟ୍ରେ ଲଢ଼ି ହାରିଲେ ।