ଭୁବନେଶ୍ୱର, ୨୬/୧୨ : ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ଦଳ ପ୍ରତି ଲୋକଙ୍କ ଭଲପାଇବା ଓ ବଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ଯାଏଁ ଓଡ଼ିଶାବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଦଳ ପ୍ରତିଷ୍ଠାର ସୁବର୍ଣ୍ଣ ମୁହୂର୍ତ୍ତ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।
ନବୀନ କହିଥିଲେ ଯେ, ଓଡ଼ିଶାର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡ଼ିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ। ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ। ସେତେବେଳେ ବହୁ ଲୋକ କହୁଥିଲେ ଯେ, ଏ ଦଳ ବଞ୍ଚିବ ନାହିଁ। କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢିପାରିବ ନାହିଁ। ଏ ଦଳ କେବେ ସଫଳ ହେବ ନାହିଁ। ଆଉ ମୋତେ ମଧ୍ୟ କହୁ ଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜୁ ଜନତା ଦଳ ୫ ଥର ନିର୍ବାଚନ ଜିତି ଓଡ଼ିଶାବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି। ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି। ଦୁନିଆରେ ବିଜେଡି ସରକାର ଓଡ଼ିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି। ଅନ୍ୟ ରାଜ୍ୟର ଖାଦ୍ୟଶସ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି। ଓଡ଼ିଶାରେ ଗରିବି କମିଛି। ମୁଣ୍ଡ ପିଛା ଆୟ ବଢିଛି। ବିପର୍ଯୟ ପରିଚାଳନାରେ ଆଦର୍ଶ ରାଜ୍ୟ ହୋଇ ପାରିଛି। ପୁଞ୍ଜି ବିନିଯୋଗ ବଢିଛି। ୨୦୦୦ ମସିହାରେ ଓଭୋର ଡ୍ରାପ୍ଟରେ ଚଳୁଥିବା ରାଜ୍ୟ ଆଜି ବଜେଟ୍ ସରପ୍ଲସ୍ ରାଜ୍ୟ ହୋଇପାରିଛି। ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ସାରା ବିଶ୍ୱରେ ଓଡ଼ିଶା ସ୍ପୋର୍ଟସ୍ କ୍ୟାପିଟାଲର ପରିଚୟ ପାଇଛି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀମାନଙ୍କ ପରିଶ୍ରମ ଯୋଗୁ ବିଜେଡି ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି।
ନିର୍ବାଚନ ପରାଜୟ ସମ୍ପର୍କରେ ନବୀନ କହିଥିଲେ ଯେ, ଗତ ନିର୍ବାଚନରେ ଆମେ କେମିତି ହାରିଲୁ ବୋଲି ବହୁତ ଲୋକଙ୍କର ପ୍ରଶ୍ନ ଅଛି। ମୁଁ ଆଜି ତାର ଉତ୍ତର ଦେବି। ମୁଁ କହିବି ଆମେ ହାରି ନାହୁଁ । ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍ ଭୋଟ୍ ପାଇଛି। ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛର ଠିକ୍ ଭାବରେ ଜବାବ ଦେଇପାରିଲୁ ନାହିଁ । ସେମାନଙ୍କ ଭୁଲ୍ କ୍ୟାମ୍ପେନ ଓ ସୋସିଆଲ ମିଡିଆରେ ମିଛ ତଥ୍ୟର ଠିକ୍ ଭାବରେ ଜବାବ ଦେଇପାରିଲୁ ନାହିଁ। ଆଜି ଓଡ଼ିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇ ଭଉଣୀମାନେ ସୋସିଆଲ ମିଡିଆରେ ସକ୍ରିୟ ରହି ବିଜେପିର ମିଛ ତଥ୍ୟର ଉଚିତ୍ ଜବାବ ଦିଅନ୍ତୁ।
ବର୍ତ୍ତମାନ ଓଡ଼ିଶାରେ ଚାଲିଥିବା ସରକାର ବିଷୟରେ ନବୀନ କହିଥିଲେ ଯେ "ଗତ ଛଅ ମାସ ଭିତରେ ବିଜେପି ସରକାରର ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମାମାନେ ଦୁଃଖରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ? ନିନ୍ଦୁକ ମାନଙ୍କୁ କଡା ଜବାବ ଦେଇ ନବୀନ କହିଥିଲେ ଯେ, ୧୯୯୭ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ । ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ ଏ ଦଳର ଭବିଷ୍ୟତ ନାହିଁ । ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜଳ ଭବିଷ୍ୟତ ରହିଛି । ଓଡ଼ିଶାବାସୀଙ୍କ ଭାବାବେଗ ସହ ବିଜେଡି ଯୋଡି ହୋଇ ରହିଛି। ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି ।