ଭୁବନେଶ୍ଵର, ୨୬/୧୨ : ବୀମା କମ୍ପାନୀଙ୍କୁ ରାଜସ୍ଵ ମନ୍ତ୍ରୀଙ୍କ କଡ଼ା ଚେତାବନୀ। ଫସଲ ବୀମା ନେଇ ଚାଷୀଙ୍କୁ ହଇରାଣ କଲେ, କି ଟାଳଟୁଳ ନୀତି ଦେଖାଇଲେ କଡ଼ା ଆକ୍ସନ ନେବେ ସରକାର। କହିଲେ ଫସଲ ବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ। ଏ ସମୟରେ ବୀମା କମ୍ପାନୀମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର। ୨୪ ତାରିଖ ଯାଏ ୨୦ ହଜାରରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି। ସେମାନଙ୍କୁ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ଗୁଡିକ ଆଇନ ଅନୁଯାୟୀ କାମ କରିବା ଦରକାର। ପୂର୍ବ ଭଳି ବେଲାଇନ ହେଲେ ସେମାନଙ୍କୁ ଲାଇନ୍କୁ ଆଣିବାକୁ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି।
ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ଇନ୍ସୁରାନ୍ସ କମ୍ପାନୀ ସହ କୃଷି ବିଭାଗ ୨ଟି ମିଟିଂ କରି ସାରିଲାଣି। ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି। ଯାହା ଫଳରେ ମଣ୍ଡି ଖୋଲିବା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବାଧ୍ୟ ହେଉଛି। ପରିସ୍ଥିତିକୁ ନଜରରେ ରଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ହେବ। ଲଗାତାର ବର୍ଷା ଯୋଗୁଁ ଏଯାଏଁ କ୍ଷୟକ୍ଷତି ଆକଳନ ହୋଇନି। କୃଷି ବିଭାଗ ସହ ଆଲୋଚନା ହୋଇଛି। ସମବାୟ ବିଭାଗର ବି ଭୂମିକା ଅଛି।
୨୮ ତାରିଖରେ ରାଜସ୍ୱ କୃଷି ସମବାୟ ସହ ଅନ୍ୟ ବିଭାଗ ବୈଠକ ରହିଛି। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ତାପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯିବ। ଯଦି କିଏ ସର୍ଭେରୁ ବାଦ ପଡ଼ିଥିବେ ତାହେଲେ ରାଜସ୍ଵ ବିଭାଗ ନିକଟରେ ଅଭିଯୋଗ ବି କରିପାରିବେ। ସରକାର ଅତି ସମ୍ବେଦନଶୀଳତା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ମନ୍ତ୍ରୀ ବିଧାୟକମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ମୋହନ ସରକାର ଅତି ସମ୍ବେଦନଶୀଳ ବୋଲି ମନ୍ତ୍ରୀ କହିଛନ୍ତି।