ଛତ୍ରପୁର,୨୬/୧୨: ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ଆତ୍ମହତ୍ୟା କଲେ ଚାଷୀ । ମୃତକ ବରଙ୍ଗ ଗାଁର ଭାଗ ଚାଷୀ ବନମାଳି ପେଣ୍ଠେଇ (୬୪) ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ବରଙ୍ଗ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ବରଙ୍ଗ ଗାଁର ବନମାଳି ପେଣ୍ଠେଇ ନାମକ ଜଣେ ଭାଗ ଚାଷୀ ଧାର କରଜ କରି ଚାଷ କରିଥିଲେ । ଫସଲ ମଧ୍ୟ ଏବର୍ଷ ଭଲ ହୋଇଥିଲା । ହେଲେ ଅଦିନିଆ ଲଗାଣ ବର୍ଷା କାରଣରୁ ନଷ୍ଟ ହୋଇଗଲା ବର୍ଷକର ପରିଶ୍ରମ । ଧାନ କାଟି ଜମିରେ ଗଦା କରି ରଖିଥିବା ବେଳେ ବର୍ଷାରେ ଧାନ ଓଦା ହୋଇ ଗଜା ହୋଇଗଲାଣି । ଏଭଳି ସ୍ଥିତିରେ କିପରି କରଜ ସୁଝିବେ ଏବଂ ପରିବାର ପୋଶିବେ, ସେ ବିଷୟରେ ଚିନ୍ତା କରି ଶେଷରେ ଆତ୍ମହତ୍ୟା କରିଲେ ବନମାଳି । ଏନେଇ ଅଭିଯୋଗ ହେବା ପରେ ରାଜସ୍ୱ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।