ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଖ୍ରୀଷ୍ଟମାସ ଉତ୍ସବ ପାଳନ ଚାଲିଥିବା ବେଳେ ୟୁକ୍ରେନ୍ରେ ହାହାକାର । ଆଜି ଋଷ ପକ୍ଷରୁ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଓ ଭୟଙ୍କର ଆକ୍ରମଣ କରାଯାଇଛି । ୟୁକ୍ରେନ ଉପରେ ଆଜି ଋଷ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି । ଏହାଦ୍ୱାରା ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହୋଇଯାଇଛି । ଖ୍ରୀଷ୍ଟମାସରେ ଏପରି ଆକ୍ରମଣକୁ ୟୁକ୍ରେନର ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ନିନ୍ଦା କରିଛନ୍ତି । ଏହା ଏକ ଅମାନବୀୟ କାଣ୍ଡ ବୋଲି ସେ କହିଛନ୍ତି । ଆକ୍ରମଣ ଯୋଗୁ ଶକ୍ତି ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି ବୋଲି ୟୁକ୍ରେନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏକ୍ସରେ ଜେଲେନସ୍କି ପୋଷ୍ଟ କରିଛନ୍ତି ଯେ, ‘ସମଗ୍ର ବିଶ୍ୱ ଉତ୍ସବ ମୁଖର ଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜାଣିଶୁଣି ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିଛନ୍ତି । ଋଷର ପ୍ରତିଟି ବଡ଼ ହମଲା ପାଇଁ ପ୍ରସ୍ତୁତି ଆବଶ୍ୟକ । ଏହା କେବେ ହେଲେ ଗୋଟିଏ ଅଚାନକ ନିଷ୍ପତ୍ତି ହୋଇ ନପାରେ । ଏହା ଏକ ଯୋଜନାବଦ୍ଧ ଆକ୍ରମଣ, ଯୋଜନାବଦ୍ଧ ଭାବେ ତାରିଖ ଓ ସମୟକୁ ବଛା ଯାଇଛି। ଏହାଠାରୁ ଅଧିକ ଅମାନବୀୟ କାମ କ’ଣ ହୋଇପାରେ ? ବାଲାଷ୍ଟିକ ସହ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଛି । ଆମ ଶକ୍ତି ଉତ୍ସ ଓ ବ୍ୟବସ୍ଥାକୁ ଧ୍ୱଂସ କରାଯାଇଛି।’
Every massive Russian strike requires time for preparation. It is never a spontaneous decision. It is a deliberate choice – not only of targets but also of timing and date.
— Volodymyr Zelenskyy / Володимир Зеленський (@ZelenskyyUa) December 25, 2024
Today, Putin deliberately chose Christmas for an attack. What could be more inhumane? Over 70 missiles,… pic.twitter.com/GMD8rTomoX
କୃଷ୍ଣ ସାଗରରୁ ଋଷ କାଲିବର କ୍ରୁଜ ମିସାଇଲ ମାଡ଼ କରିବା କ୍ଷଣି ପୂରା ୟୁକ୍ରେନରେ ଏୟାର ରେଡ ସାଇରନ ବାଜି ଉଠିଥିଲା। ମାତ୍ର କିଛି କ୍ଷଣ ମଧ୍ୟରେ ଏକାଧିକ ସ୍ଥାନରେ ମିସାଇଲ ଓ ଡ୍ରୋନ ମାଡ଼ ହୋଇଥିଲା। ମିସାଇଲ ଓ ଡ୍ରୋନ ଆଟାକ ଯୋଗୁ ବିଭିନ୍ନ ସ୍ଥାନରେ ନିଆଁ ମଧ୍ୟ ଲାଗି ଯାଇଥିଲା । ସେପଟେ ଆଜିର ଏହି ଭୟଙ୍କର ଆକ୍ରମଣ ସଫଳ ହୋଇଛି ବୋଲି ଋଷ ପକ୍ଷରୁ କୁହାଯାଇଛି ।