ଭୁବନେଶ୍ୱର,୨୫/୧୨: ୧୯୭୩ ମସିହାରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିଲା ଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ର ‘ଅଙ୍କୁର’ । ଯାହାର ନିର୍ଦ୍ଦେଶନା ଦେଇଥିଲେ ସୋମବାର ପରଲୋକ ଗମନ କରିଥିବା ଶ୍ୟାମ ବେନେଗଲ । ଏହି ଚଳଚ୍ଚିତ୍ରରେ ବିଶିଷ୍ଟ ଓଡ଼ିଆ ଓ ହିନ୍ଦୀ ଅଭିନେତା ସାଧୁ ମେହେର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ସହ କନ୍ନଡ ଅଭିନେତା ଅନନ୍ତ ନାଗ ଓ ଶବାନା ଆଜମୀ ଅଭିନୟ କରିଥିଲେ । ‘ଅଙ୍କୁର’ରେ ବଳିଷ୍ଠ ଅଭିନୟ ପାଇଁ ସେହିବର୍ଷ ସ୍ୱର୍ଗତ ମେହେର ପ୍ରଥମ ଓଡ଼ିଆ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ସେ ସମୟରେ ‘ଭାରତ’ ପୁରସ୍କାର) ପାଇଥିଲେ । ଏହା ଆମ ରାଜ୍ୟ ଓ କଳା କ୍ଷେତ୍ର ପାଇଁ ଏକ ଅବିସ୍ମରଣୀୟ ବିଷୟ ।
ସ୍ୱର୍ଗତ ମେହେର ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ପ୍ରସିଦ୍ଧ ନିର୍ଦ୍ଦେଶକ ମୃଣାଳ ସେନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଭୁବନ ସୋମ୍’ରୁ । ଏହି ଚଳଚ୍ଚିତ୍ର ୧୯୬୯ ମସିହାରେ ମୁକ୍ତିଲାଭ କରିଥିଲା । ସେଥିରେ ସେ ଏକ ଛୋଟ ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ୧୯୭୦ରେ ‘ଇଚ୍ଛାପୂରନ୍’ ଓ ‘ଟ୍ୱେଣ୍ଟିସେଭେନ୍ ଡାଉନ୍’ରେ ଅଭିନୟ କରିଥିଲେ । ହେଲେ ତାଙ୍କୁ ନୂଆ ପରିଚୟ ଦେଇଥିଲେ ସ୍ୱର୍ଗତ ବେନେଗଲ । ସେ ସାଧୁଙ୍କ ଅଭିନୟକୁ ଚିହ୍ନିପାରିଥିଲେ । ଏଥିସହ ତାଙ୍କ ନିର୍ଦ୍ଦେଶିତ ‘ଅଙ୍କୁର’ରେ ସାଧୁଙ୍କୁ ନାୟକ ଭୂମିକାରେ ଅଭିନୟର ସୁଯୋଗ ମିଳିଥିଲା । ପରେ ପରେ ସାଧୁଙ୍କୁ ଆହୁରି କେତେକ ଚର୍ଚ୍ଚିତ ସିନେମା ମିଳିଥିଲା । ତେବେ ସ୍ୱର୍ଗତ ବେନେଗଲଙ୍କ ଅଙ୍କୁର ଓ ଏଥିରେ ଅଭିନୟ କରିଥିବା ସାଧୁଙ୍କ ଅଭିନୟକୁ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଥିଲେ ।