ହାଇଦ୍ରାବାଦ,୨୫/୧୨: ଡିସେମ୍ବର ୪ ରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ଘଟିଥିବା ଦୈଳାଚକଟାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ୧୪ ସେକେଣ୍ଡର ଭିଡିଓରେ କୌଣସି ଶବ୍ଦ ଶୁଣାଯାଉନାହିଁ କିନ୍ତୁ ଏଥିରେ ଲୋକମାନେ ସଂଧ୍ୟା ଥିଏଟର ଗେଟ୍କୁ ଠେଲି ହୋଇ ପଶିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଫୁଟେଜରେ ଲୁହାର ଗେଟ୍ ଭାଙ୍ଗିଥିବା ଏବଂ ପ୍ଲାଷ୍ଟିକ ବୋତଲ ଓ ଅଳିଆ ଆଦି ତଳେ ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଏହି ଭିଡିଓଟି ରାତି ପ୍ରାୟ ୯.୧୫ ସମୟର ହେବ ବୋଲି କୁହାଯାଉଛି, ଯାହାକି ଅଲୁ ଅର୍ଜୁନ ଥିଏଟରରେ ପହଞ୍ଚିବାର ୧୫ ମିନିଟ୍ ପୂର୍ବରୁ ଅଟେ। ଫୁଟେଜରେ ଏହା ଦେଖାଯାଉଛି ଯେ ସୁରକ୍ଷା କର୍ମୀମାନେ ଭିଡ଼କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଲୋକମାନେ ଜବରଦସ୍ତ ଆଗକୁ ବଢ଼ୁଛନ୍ତି। ସୂଚନାଥାଉକି, ଯେତେବେଳେ କିଛି ସମୟ ପରେ ଅଲୁ ଅର୍ଜୁନ ସେଠାରେ ପହଞ୍ଚିଥିଲେ, ସେତେବେଳେ ଭିଡ଼କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ରେବତି ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ। ସେ ଏବେ ବି କୋମାରେ ଅଛନ୍ତି।
ଅଭିନେତାଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରିଛନ୍ତି ତେଲଙ୍ଗାନା ହାଇକୋର୍ଟ:
ଏହି ଘଟଣା ପରେ ପୋଲିସ ଅଲୁ ଅର୍ଜୁନଙ୍କୁ ୯ ଦିନ ପରେ ଅର୍ଥାତ୍ ୧୩ ଡିସେମ୍ବରରେ ଗିରଫ କରିଥିଲା। ନିମ୍ନ ଅଦାଲତ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ, କିନ୍ତୁ କିଛି ଘଣ୍ଟା ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରିଥିଲେ। ତାଙ୍କ ମୌଳିକ ଅଧିକାର ଦର୍ଶାଇ ଅଭିନେତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ବିଳମ୍ବରେ ପହଞ୍ଚିବା ହେତୁ ଅଭିନେତାଙ୍କୁ ରାତିସାରା ଜେଲରେ ରହିବାକୁ ପଡ଼ିଥିଲା।
ଏଥି ସହିତ ମଙ୍ଗଳବାର ଅଲୁ ଅର୍ଜୁନଙ୍କୁ ପଚରାଉଚରା ପାଇଁ ପୋଲିସ ଡକାଇଥିଲା। ତାଙ୍କୁ ପ୍ରାୟ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ପୋଲିସ ତାଙ୍କୁ ପଚାରିଥିଲା ଯେ 'ଆପଣଙ୍କ ପାଖରେ ସୂଚନା ଥିଲା କି, ଯ, ଫିଲ୍ମ ପ୍ରିମିୟରରେ ଯୋଗଦେବାକୁ ପୋଲିସ ତାଙ୍କୁ ଅନୁମତି ଦେଇ ନାହିଁ। ତାଙ୍କୁ ମଧ୍ୟ ପଚରାଯାଇଥିଲା ଯେ ଏହି ଘଟଣା ପରେ ସେ କେବେ ମହିଳାଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇଥିଲେ?