ନୂଆଦିଲ୍ଲୀ, ୨୫।୧୨: ଏସିଡ୍ ଆକ୍ରମଣ, ଦୁଷ୍କର୍ମ ଓ ଯୌନ ହିଂସାର ଶିକାର ହୋଇଥିବା ପୀଡ଼ିତାଙ୍କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ । ଏମାନଙ୍କ ଠାରୁ ଚିକିତ୍ସା ଫି' ନେବା ଏକ ଦଣ୍ଡନୀୟ ଅପରାଧ । ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ ବାଧ୍ୟ । ମାଗଣା ଚିକିତ୍ସା ପାଇଁ କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ଅବା ନର୍ସିଂହୋମ୍ ମନା କରିପାରିବେ ନାହିଁ । ଏସିଡ୍ ଆକ୍ରମଣ, ଦୁଷ୍କର୍ମ ପୀଡ଼ିତା ଓ ଯୌନ ହିଂସାର ଶିକାର ହୋଇଥିବା ମାଗଣା ଚିକିତ୍ସା ପାଇବାର ହକଦାର । ସମସ୍ତ ଡାକ୍ତର, ପ୍ରଶାସନ, ଅଧିକାରୀ, ନର୍ସ, ପାରାମେଡିକାଲ୍ କର୍ମଚାରୀଙ୍କୁ ଏ ବିଷୟରେ ଅବଗତ କରାଯିବା ଉଚିତ୍ । ଏଭଳି କିଛି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ପୀଡ଼ିତାମାନଙ୍କୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ପ୍ରାଥମିକ ଚିକିତ୍ସା, ନିଦାନ, ଲାବରେଟୋରି ପରୀକ୍ଷା, ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର, ଶାରୀରିକ ଓ ମାନସିକ ପରାମର୍ଶ ସେବା, ମନସ୍ତାତ୍ତ୍ୱିକ ସହାୟତା ଏବଂ ପରିବାର କାଉନ୍ସେଲିଂ ଆଦି ସମସ୍ତ ଚିକିତ୍ସା ଯୋଗାଇଦେବେ ।
ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମାମଲାରେ ସୋମବାର ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଦାଲତ ଓ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣର ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ଏହି ମାମଲାର ଶୁଣାଣି ବେଳେ ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି ।
ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତ କହିଛନ୍ତି ଯେ, ଦିଲ୍ଲୀର ପ୍ରତ୍ୟେକ ଚିକିତ୍ସା କେନ୍ଦ୍ରରେ ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ପାଇଁ ମାଗଣାରେ ଚିକିତ୍ସା ଉପଲବ୍ଧ ଅଛି ବୋଲି ହସ୍ପିଟାଲରେ ଏକ ବୋର୍ଡ ଲଗାଇବାକୁ ପଡ଼ିବ । ରୋଗୀ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିସନ ନେଇ ଚିକିତ୍ସିତ ହେଉ ବା ବାହାରୁ ଆସି ଚିକିତ୍ସିତ ହେଉ ନା କାହିଁକି ଉଭୟ ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ମାଗଣା ଚିକିତ୍ସା ପ୍ରଦାନ କରିବେ । ଜରୁରିକାଳୀନ ପରିସ୍ଥିତିରେ ପୀଡ଼ିତାଙ୍କୁ ଭର୍ତ୍ତି କରିବା ପାଇଁ ସମ୍ପୃକ୍ତ ମେଡିକାଲ ପ୍ରତିଷ୍ଠାନ ପରିଚୟପତ୍ର ଉପରେ ଜୋର ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି । ଏଥିସହ ଏଭଳି ପୀଡ଼ିତାଙ୍କୁ ଶାରୀରିକ ଓ ମାନସିକ ପରାମର୍ଶ ପ୍ରଦାନ କରାଯିବ । ଗର୍ଭାବସ୍ଥା ପାଇଁ ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଗର୍ଭନିରୋଧକ ପ୍ରଦାନ କରାଯିବ । ଜରୁରିକାଳୀନ ପରିସ୍ଥିତିରେ ପୀଡ଼ିତାଙ୍କୁ ଭର୍ତ୍ତି କରିବା ପାଇଁ ସମ୍ପୃକ୍ତ ମେଡିକାଲ ପ୍ରତିଷ୍ଠାନ ପରିଚୟପତ୍ର ଉପରେ ଜୋର ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି ।