ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବୁଧବାର ଏକ ବଡ଼ ଦାବି କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ମିଳିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି । ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ବେଗୁସରାଇରେ ଗିରିରାଜ ସିଂହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଶଂସା କରିଛନ୍ତି । ନୀତୀଶ କୁମାର ଏବେ ବିଜେପିର ସହଯୋଗୀ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ବିଜେଡି ମଧ୍ୟ ଏନଡିଏକୁ ସମର୍ଥନ ଦେଇଥାଏ । ହେଲେ ଏବେ ଓଡ଼ିଶାରେ ବିଜେଡିକୁ ମାତ ଦେଇ ବିଜେପି ସରକାର ଗଢ଼ିଛି ।
ଗିରିରାଜ ସିଂହ କହିଛନ୍ତି ଯେ, ନୀତୀଶ କୁମାରଙ୍କ ଶାସନରେ ବିହାରରେ ରାସ୍ତା, ସ୍କୁଲ ଏବଂ ଅନ୍ୟ ଭିତ୍ତିମୂମି ସୁଦୃଢ଼ ହୋଇଛି । ବିହାର ଏକ ନୂଆ ପରିଚୟ ପାଇଛି । ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାକୁ ଦୀର୍ଘ ଦିନ ଧରି ଶାସନ କରିଛନ୍ତି । ତେଣୁ ଏହି ଦୁଇ ନେତାଙ୍କୁ ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଦିଆଯିବା ଦରକାର ବୋଲି ଗିରିରାଜ ସିଂହ ଦାବି କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ଅବସରରେ ବିଜେପି ସାଂସଦ ଆହୁରି କହିଛନ୍ତି ଯେ, ବିହାରରେ ନୀତୀଶ କୁମାରଙ୍କ ନେତୃତ୍ବରେ ପୁଣି ଥରେ ଏନଡିଏ ସରକାର ଗଠନ ହେବ । କେହି ଦ୍ବନ୍ଦ୍ବରେ ରହିବା ଦରକାର ନାହିଁ । ଲାଲୁ ଯାଦବ ଯେତେ ଚେଷ୍ଟା କଲେ ବି ଆଗାମୀ ବିଧାନସଭା ନିର୍ବାଚନରେ ବିହାରରେ ଏନଡିଏ ସରକାର ଗଢ଼ିବ । ଦୀର୍ଘ ବର୍ଷ ଧରି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଯେଉଁ ପିଲାମାନେ ଏବେ ୩୦ ବର୍ଷରେ ପହଞ୍ଚିଲେଣି ସେମାନେ ଲାଲୁଙ୍କ ଜଙ୍ଗଲ ରାଜ ଦେଖିନାହାନ୍ତି ବୋଲି ଗିରିରାଜ କହିଛନ୍ତି ।
ନିକଟରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ପକ୍ଷରୁ କୁହାଯାଇଥିଲା ଯେ, ଆଗାମୀ ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ନୀତୀଶ କୁମାରଙ୍କ ନେତୃତ୍ବରେ ଲଢ଼ିବ । ସେହିଭଳି ବିଜେପି ନେତା ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି ଯେ, ନୀତୀଶ କୁମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନଡିଏ ମୈଦାନକୁ ଓହ୍ଳାଇବ । ସୂଚନାଯୋଗ୍ୟ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୨୦୨୫ ଶେଷ ଆଡ଼କୁ ହୋଇପାରେ ।