ନୂଆଦିଲ୍ଲୀ ୨୫/୧୨: ଗ୍ରୀନ୍ଲାଣ୍ଡ ବରଫ ଚାଦର କେତେ ଦ୍ରୁତ ବେଗରେ ଉଭାନ୍ ହେଉଛି, ସାଟେଲାଇଟ୍ ତଥ୍ୟ ତାହା ସାମ୍ନାକୁ ଆଣିଛି । ଏଥିପାଇଁ ନର୍ଥଅମ୍ବ୍ରିଆ ୟୁନିଭର୍ସିଟିର ଶିକ୍ଷାବିତ୍ମାନେ ଅନ୍ତର୍ଜାତୀୟ ଅଧ୍ୟୟନକର୍ତ୍ତାଙ୍କର ଏକ ଟିମ୍ ସହ ଯୋଗ ଦେଇଛନ୍ତି । ଅଧ୍ୟୟନକର୍ତ୍ତା ଗ୍ରୀନ୍ଲାଣ୍ଡ ବରଫ ଚାଦର ମୋଟେଇରେ ହେଉଥିବା ପରିବର୍ତ୍ତନର ଯାଞ୍ଚ୍ ପାଇଁ ସାଟେଲାଇଟ୍ ତଥ୍ୟ ପ୍ରୟୋଗ କରିଥିଲେ । ବିଶ୍ୱ ତାପନ ବରଫ ତରଳିବା ହାରକୁ ତ୍ୱରାନ୍ୱିତ କରୁଥିବାବେଳେ ସଦ୍ୟ ଅଧ୍ୟୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସମୁଦ୍ର ସ୍ତର ବୃଦ୍ଧି ଓ ବିଶ୍ୱସ୍ତରୀୟ ଜଳବାୟୁ ପ୍ୟାଟର୍ନରେ ପରିବର୍ତ୍ତନ ପାଇଁ ମଧ୍ୟ ଦାୟୀ । ଗବେଷକ ଟିମ୍ ୟୁରୋପୀୟ ମହାକାଶ ଏଜେନ୍ସି ଓ ନାସା ଦ୍ୱାରା ପରିଚାଳିତ କ୍ରାୟୋସାଟ୍-୨ ଓ ଆଇସ୍ସାଟ୍-୨ ମିଶନ୍ର ତଥ୍ୟ ଜରିଆରେ ବରଫ ଚାଦର ମୋଟେଇର ପ୍ରଥମ ମାପ ପ୍ରଦାନ କରିବାରେ ସଫଳ ହୋଇଛନ୍ତି । ଉଭୟ ସାଟେଲାଇଟ୍ ସେମାନଙ୍କ ପ୍ରାଥମିକ ସେନ୍ସର ଭାବେ ଅଲ୍ଟିମିଟରକୁ ମୁତୟନ କରିଥିଲେ । କିନ୍ତୁ ଭିନ୍ନ ଟେକ୍ନୋଲୋଜି ପ୍ରୟୋଗ କରିଥିଲେ । କ୍ରାୟୋସାଟ୍-୨ ରାଡାର ଉପଯୋଗ କରିଥିବାବେଳେ ଆଇସ୍ସାଟ୍-୨ ଏକ ଲେଜର୍ ସିଷ୍ଟମ୍ ମୁତୟନ କରିଥିଲା ।
ଏହି ଟେକ୍ନୋଲୋଜିଗୁଡ଼ିକର ପ୍ରକୃତି ବରଫ ଚାଦର ପରିବର୍ତ୍ତନର ଅଧିକ ସଠିକ୍ ଆକଳନରେ ସାହାଯ୍ୟ କରେ । ରାଡାର ବାଦଲ ଭିତରେ ପ୍ରବେଶ କରିପାରେ । କିନ୍ତୁ ବରଫ ପୃଷ୍ଠକୁ ଭେଦ କରିବା ପାଇଁ ଏଥିରେ ସଂଶୋଧନ ଆବଶ୍ୟକ । ଲେଜର୍ ସଙ୍କେତ ପୃଷ୍ଠରୁ ସିଧା ପ୍ରତିବିମ୍ବିତ ହୁଅନ୍ତି, କିନ୍ତୁ ବାଦଲର ଆବରଣ ଦ୍ୱାରା ଲୁଚି ରହନ୍ତି । ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିକ ଏହି ଅଧ୍ୟୟନ ସ୍ପଷ୍ଟ କରିଛି ଯେ ଉଭୟ ସାଟେଲାଇଟ୍ର ମାପ ୩ ପ୍ରତିଶତ ମଧ୍ୟରେ ସହମତ, ଯାହା ବରଫ କ୍ଷୟର ଅଧିକ ବିଶ୍ୱସନୀୟ ଆକଳନ ନମନ୍ତେ ସେମାନଙ୍କ ମିଳିତ ପ୍ରୟୋଗକୁ ବୈଧ କରିଛି । ୨୦୧୦ରୁ ୨୦୨୩ ମସିହା ମଧ୍ୟରେ ଗ୍ରୀନ୍ଲାଣ୍ଡ ବରଫ ଚାଦର ହାରାହାରି ୧.୨ ମିଟର ପତଳା ହୋଇଛି । ପୃଥକ କ୍ଷେତ୍ର ସହିତ ବରଫ ଚାଦର ହାରାହାରି ୬.୪ ମିଟର ତରଳିଛି । ଉଲ୍ଲେଖଯୋଗ୍ୟ, ଜାକୋବଶାଭନ୍ ଇସ୍ବ୍ରେ ଓ ଜାଚାରିଏ ଇସ୍ଟ୍ରମ୍ ଯଥାକ୍ରମେ ୬୭ ଓ ୫୭ ମିଟର ହାରରେ ଅଧିକତମ ବରଫ ହ୍ରାସ ହୋଇଛି ।
ଏହି ୧୩ ବର୍ଷର ଅବଧିରେ ବରଫ କ୍ଷୟ ମାତ୍ରା ମୋଟ୍ ୨,୩୪୭ କ୍ୟୁବିକ୍ କିମି ଥିଲା । ଏହି ପରିମାଣ ଭିକ୍ଟୋରିଆ ହ୍ରଦକୁ ପୂର୍ଣ୍ଣ କରିବା ପାଇଁ ଯଥେଷ୍ଟ । ୨୦୧୨ ଓ ୧୦୧୯ ମସିହାରେ ଚରମ ଉତ୍ତାପ ଘଟଣା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ବରଫ କ୍ଷୟକୁ ରେକର୍ଡ କରାଯାଇଥିଲା । ସେତେବେଳେ ବର୍ଷକୁ ୪୦୦ କ୍ୟୁବିକ୍ କିମି ବରଫ କ୍ଷୟ ହୋଇଥିଲା । ଅଧ୍ୟୟନର ମୁଖ୍ୟ ଲେଖକ ୟୁକେ ସେଣ୍ଟର ଫର୍ ପୋଲାର ଅବ୍ଜର୍ଭେସନ ଆଣ୍ଡ୍ ମଡେଲିଂର ଗବେଷକ ନିତିନ ରବିନ୍ଦର ବିଶ୍ୱ ସମୁଦ୍ର ସ୍ତର ବୃଦ୍ଧିକୁ ବୁଝିବା ପାଇଁ ଏହି ଅଧ୍ୟୟନର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବଶାଳୀ ପଦକ୍ଷେପ ପ୍ରସ୍ତୁତି ଲାଗି ଏହି ଅଧ୍ୟୟନ ନୀତିନିର୍ମାତାଙ୍କୁ ସାହାଯ୍ୟ କରିବ । ବିଶ୍ୱରେ ପରିବେଶ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେଉଥିବାବେଳେ ମେରୁ ବରଫର ଗତିଶୀଳତା ଉପରେ ବିସ୍ତୃତ ତଥ୍ୟର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଧ୍ୟୟନ ଦର୍ଶାଇଛି ।