କପ୍ତିପଦା ୨୮/୩ : ରୋଗୀ ଛାଡି ଫେରୁଥିଲା,ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ନଦୀ କଡ଼ରେ ଥିବା ଏକ ଫଣଫଣା ଗଛରେ ବାଡେଇ ହୋଇ ଝୁଲି ରହିଲା ଆମ୍ବୁଲାନ୍ସ । ଫଳରେ ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସାନପୋଲ ନିକଟରେ। ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ (ଓଡି ୦୨ସି ଏନ ୯୭୧୮) କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲା। ରାତି ୨ ଟାରେ ବାଲେଶ୍ୱରରେ ରୋଗୀକୁ ଛାଡି ନୀଳଗିରି-କପ୍ତିପଦା ରାସ୍ତାରେ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା ବେଳେ ଶୁକ୍ରବାର ଭୋରର ଡ୍ରାଇଭରକୁ ନିଦ ଆସିଯିବାରୁ ଭାରସାମ୍ୟ ହରାଇ କପ୍ତିପଦା ସାନ ପୋଲରୁ ତଳକୁ ଖସି ଯାଇଥିଲା ।
ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲରୁ ୬୦ ଫୁଟ ତଳକୁ ଖସୁଥିବା ବେଳେ ଏକ ବଡ଼ ଗଛରେ ବାଡେଇ ହୋଇ ଅଟକିବା ସହିତ ଝୁଲି ରହିଥିଲା। ଯାହାକି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଆମ୍ବୁଲାନ୍ସରେ ଡ୍ରାଇଭର ସହିତ ତିନି ଜଣ କର୍ମଚାରୀ ଥିଲେ। କେବଳ ଡ୍ରାଇଭର, ହେଲ୍ପର ଏବଂ ଫାର୍ମାସିଷ୍ଟ ରହିଥିବା ବେଳେ କାହାରି କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି । କପ୍ତିପଦା ପୁଲିସ ଏହାର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛି ।