ପ୍ରମୂଖ ଖବର
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ସରିଲା ବିଏମସି ଟ୍ୟାକ୍ସ ଆଦାୟର ଡେଡ୍‌ଲାଇନ୍‌: ଟାର୍ଗେଟ ଥିଲା ୩୦୦ କୋଟି, ୧୯୦ କୋଟିରେ ସୀମିତ ରହିଲା

Published By : Prameya | March 31, 2025 11:12 AM

ଭୁବନେଶ୍ୱର,୩୧/୦୩: ଟାର୍ଗେଟ ଥିଲା  ୩୦୦ କୋଟି ଆଦାୟ କରିବେ । ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହର ସାରା ବୁଲିଲେ । ଦିନକ ପରେ ମାର୍ଚ୍ଚ ମାସ ସରିବ । ଆଦାୟ ହୋଇଛି ମାତ୍ର ୧୯୦  କୋଟି ଟଙ୍କା । ଚଳିତ ବର୍ଷ ବି ଟିକସ ଆଦାୟରେ  ବିଏମ୍‌ସି ଫେଲ ମାରିଛି ।  

ବିଏମ୍‌ସି ୨୦୨୪-୨୫ ଆର୍ଥିକ ବର୍ଷରେ  ୧୩୨ କୋଟି ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଆଦାୟ  କରିବାକୁ ଲକ୍ଷ୍ୟ ରଖିଥିଲା । ବର୍ଷ ସରିଲା, ଆଦାୟ ହୋଇଛି ମାତ୍ର ୮୮ କୋଟି ଟଙ୍କା । ଦକ୍ଷିଣ-ପୂର୍ବ  ଜୋନ୍‌ ସର୍ବାଧିକ ୬୪ ପ୍ରତିଶତ ଆଦାୟ କରିଥିବା  ବେଳେ ଉତ୍ତର ଜୋନ୍‌ ନିରାଶ କରିଛି । 

ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ପୁଣି ଫେଲ୍‌  ମାରିଛି ବିଏମ୍‌ସି । ୧୦୦ କୋଟି ଟଙ୍କା ଛୁଇଁ  ପାରିଲା ନାହିଁ । ଚଳିତ ବର୍ଷ ୧୩୨ କୋଟି  ଟଙ୍କା ଡିମାଣ୍ଡ ଥିବା ବେଳେ ୧୨୦କୋଟି  ଟଙ୍କାର ଟାର୍ଗେଟ ଦିଆଯାଇଥିଲା । ହେଲେ ୩ଟି  ଜୋନ୍‌ରୁ ଆଦାୟ ହୋଇଛି ମାତ୍ର ୮୮ କୋଟି  ଟଙ୍କା । ଦକ୍ଷିଣ-ପୂର୍ବ ଜୋନକୁ ୩୭.୯୮କୋଟି  ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଟାର୍ଗେଟ ଦିଆଯାଇଥିଲା । ହେଲେ ଆଦାୟ ହୋଇଛି ମାତ୍ର ୨୭ କୋଟି । ଟାର୍ଗେଟର ୬୪ ପ୍ରତିଶତ ଆଦାୟ କରିଛି  ଜୋନ୍‌ । ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌କୁ  ୩୭.୯୮ କୋଟି ଟାର୍ଗେଟ ଦିଆଯାଇଥିବା ବେଳେ ଆଦାୟ ହୋଇଛି ମାତ୍ର ୨୪ କୋଟି । ଉତ୍ତର  ଜୋନର ୪୯.୪୬ କୋଟି ଟାର୍ଗେଟରୁ ମାତ୍ର  ୩୦ କୋଟି ଟଙ୍କା ଆଦାୟ ହୋଇଛି ।  

ମିଳିଥିବା ସୂଚନା ମୁତାବକ ବିଏମ୍‌ସି  ୧୮୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି ।  ସେଥିମଧ୍ୟରେ ୮୮ କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ,  ଟ୍ରେଡ ଲାଇସେନ୍ସ ବାବଦକୁ ୫.୧୬ କୋଟି,  ବିଜ୍ଞାପନରେ ୧୩ କୋଟି, ଅର୍ବାନ ରେଣ୍ଟରୁ  ୫.୨ କୋଟି, ପାର୍କିଂରୁ ୯୦ ଲକ୍ଷ, ଏବଂ ଅନ୍ୟାନ  ବାବଦକୁ ୬୦ କୋଟିର ରାଜସ୍ୱ ଆଦାୟ ହୋଇଛି ।  

ସେପଟେ କିଛି ସରକାରୀ ଏବଂ  ବେସରକାରୀ ଅନୁଷ୍ଠାନ ନାଁରେ କୋଟି କୋଟି  ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବକେୟା ପଡିଛି ।  ବାରମ୍ବାର ନୋଟିସ ସତ୍ତେ୍ୱ ଏହି ସବୁ ଅନୁଷ୍ଠାନ  ଟ୍ୟାକ୍ସ ପୈଠ କରିନାହାନ୍ତି । ଏହି ସବୁ ଅନୁଷ୍ଠାନ  ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ଏସବୁ ହୋଲ୍ଡିଂ ଟ୍ୟାକ୍ସ ମାଫ୍‌ କରିଦିଆଗଲା, ତାକୁ  ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ  କହିଛନ୍ତି, ତଥାପି ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ  ଭଲ ପ୍ରଦର୍ଶନ ରହିଛି । ଆଗକୁ ଟାର୍ଗେଟ ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ । କିଛି ସରକାରୀ ଅନୁଷ୍ଠାନ  ଟଙ୍କା ବାକି ରଖିଛନ୍ତି । ଆଦାୟ ପାଇଁ ସେମାନଙ୍କୁ  ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି ।  ଆସନ୍ତାକାଲି ଛୁଟି ଅଛି । ଆଉ ୧୦ କୋଟି ଟଙ୍କା  ଆଦାୟ ହେଲ ୨୦୦ କୋଟି ଛୁଇଁବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.