ପ୍ରୟାଗରାଜ ୧୯/୦୨: ପ୍ରୟାଗରାଜ ମହାକୁମ୍ଭରୁ ଫେରିଥିବା କିଛି ନାଗା ସାଧୁଙ୍କୁ ଧୂଳି ଯୋଗୁ ଆଲର୍ଜି ହୋଇଛି । ଆଇଏମ୍ଏସ୍ ବିଏଚ୍ୟୁର ନ୍ୟୁରୋଲୋଜି ବିଭାଗ ପକ୍ଷରୁ କରାଯାଇଥିବା ଯାଞ୍ଚ୍ରେ ଏହି କଥା ସାମ୍ନାକୁ ଆସିଛି । ନ୍ୟୁରୋଲୋଜି ବିଭାଗର ପ୍ରଫେସର ବିଏନ୍ ମିଶ୍ର କହିଛନ୍ତି, ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ ସମୟରେ ଅନେକ ନାଗା ସାଧୁଙ୍କର ଫୁସ୍ଫୁସ୍ରେ ଆଲର୍ଜି ସମସ୍ୟା ଦେଖିବାକୁ ମିଳୁଛି । ମହାକୁମ୍ଭରେ ପ୍ରାୟ ମାସେ ଧରି ଗଙ୍ଗା କୂଳରେ ରହିବା ପରେ କାଶୀ ପହଞ୍ଚୁଛନ୍ତି ନାଗା ସାଧୁ । ସେମାନଙ୍କ ମଧ୍ୟରୁ କିଏ ଥଣ୍ଡା-କାଶ ତ କିଏ ଆଲର୍ଜି ସମସ୍ୟାରେ ପୀଡି଼ତ । ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯାଉଛି । ସଙ୍ଗମ କୂଳରେ ରହିବା ଯୋଗୁ ବାଲି କଣା ସେମାନଙ୍କ ଶରୀର ମଧ୍ୟକୁ ଯାଇଛି । ସେଥିଯୋଗୁ ଏହି ସମସ୍ୟା ହେଉଛି । ଏଭଳିସ୍ଥଳରେ ଆମେ ବିଭିନ୍ନ ଘାଟରେ ନିୟମିତ ଓପିଡି ଚଳାଉଛୁ । ଅଦ୍ୟାବଧି ପ୍ରାୟ ୨୦୦ରୁ ଅଧିକ ସାଧୁଙ୍କୁ ଏଥିଯୋଗୁ ଲାଭ ମିଳିଛି । ସେମାନଙ୍କର ରକ୍ତଚାପ ଓ ଅନ୍ୟ ଜରୁରି ଯାଞ୍ଚ୍ ବି କରାଯାଉଛି ।
ତେବେ ଡାକ୍ତରମାନେ ନାଗା ସାଧୁଙ୍କୁ ସେମାନଙ୍କ ରୋଗ ସଂପର୍କରେ କହୁଥିଲେ ବି ୩୦ ପ୍ରତିଶତ ସାଧୁ ଔଷଧ ଖାଇବାକୁ ମନା କରୁଛନ୍ତି । ସେମାନଙ୍କର କହିବା କଥା ହେଲା, ଭଗବାନ ଶିବଙ୍କ ସାଧନା ହିଁ ସବୁଠୁ ବଡ଼ ଔଷଧ । ସେଥିଯୋଗୁ ସେମାନଙ୍କୁ ଔଷଧ ଖାଇବାର ଆବଶ୍ୟକତା ନାହିଁ । ଡାକ୍ତରୀ ଟିମ୍ରେ ସାମିଲ ପ୍ରଫେସର ଜ୍ଞାନେଶ୍ୱର ଚୌବେ କହିଛନ୍ତି, ଆମେ ସାଧୁମାନଙ୍କର ଆଣ୍ଟିବଡି ପରୀକ୍ଷା ବି କରୁଛୁ । ସେଥିରୁ ସେମାନଙ୍କ ମଧ୍ୟରେ କେତେ ରୋଗ ପ୍ରତିରୋଧକ ଶକ୍ତି ରହିଛି ତାହା ଜଣାପଡି଼ଯିବ । ସେହି ରୋଗ ପ୍ରତିରୋଧକ ଶକ୍ତି କୋଭିଡ୍ ଓ ଅନ୍ୟ ରୋଗ ସହିତ ଲଢ଼ିବା ଲାଗି ଶରୀରକୁ ସହାୟତା କରିବ । ଆଣ୍ଟିବଡି ପରୀକ୍ଷା ଲାଗି ତାଙ୍କର ଟିମ୍ ପ୍ରତିଦିନ ତୁଳସୀ ଘାଟ, ଦଶାଶ୍ୱମେଧ ଘାଟରେ ନମୂନା ସଂଗ୍ରହ କରୁଥିବା ସେ ଦର୍ଶାଇଛନ୍ତି ।