ନୂଆଦିଲ୍ଲୀ ୦୯/୦୪: ଶେଷ ହୋଇଛି ଏପ୍ରିଲ ମାସର ପ୍ରଥମ ସପ୍ତାହ । ଏ ମାସର ଅବଶିଷ୍ଟ ଦିନଗୁଡ଼ିକରେ ରିଲିଜ ହେବାକୁ ଯାଉଛି ଏକାଧିକ ହିନ୍ଦୀ ଚଳଚ୍ଚିତ୍ର । ଏହାରି ମଧ୍ୟରେ ରହିଛି ବେଶ୍ କେତେ ଜଣ ନାମୀ କଳାକାରଙ୍କ ସିନେମା । ହିନ୍ଦୀ ସିନେମାପ୍ରେମୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଭଲ ଖବର । ମନୋରଞ୍ଜନର ଭରପୂର ମଜା ସେମାନେ ନେଇପାରିବେ ଏସବୁ ସିନେମାରୁ । ଆସନ୍ତୁ ଜାଣିବା କେଉଁ କେଉଁ ତାରକାଙ୍କ ଫିଲ୍ମ ରହିଛି ତାଲିକାରେ ।
ଜାଟ୍ :
ସନ୍ନି ଦେଓଲ ଅଭିନୀତ ‘ଜାଟ୍’ ଏପ୍ରିଲ ୧୦ ତାରିଖରେ ରିଲିଜ ହେବ । ଏ ଫିଲ୍ମର କାମ ଆରମ୍ଭ ହେଲା ଦିନଠାରୁ ସିନେପ୍ରେମୀ ଅତ୍ୟନ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ମୁକ୍ତିଲାଭକୁ । ଏ ଫିଲ୍ମରେ ସନ୍ନି ପୁଣି ଥରେ ଆକ୍ସନ ଅବତାରରେ ଦେଖିବାକୁ ମିଳିବେ । ଗୋପୀଚନ୍ଦ ମଲିନେନୀ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ରେଜିନା କେସେଣ୍ଡ୍ରା, ରବି କିଷନ ଓ ସ୍ୱରୂପା ଘୋଷଙ୍କ ଭଳି କଳାକାର ମଧ୍ୟ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ।
ଅକାଲ୍ : ଦ ଅନ୍କନ୍କ୍ୱେର୍ଡ :
ଉଭୟ ହିନ୍ଦୀ ଓ ପଞ୍ଜାବୀ ଭାଷାରେ ସିନେମାଘରକୁ ଆସୁଛି ଏ ଫିଲ୍ମ । ଏହା ମୁଖ୍ୟତଃ ଏକ ପିରିୟଡିକ ଡ୍ରାମା ଫିଲ୍ମ, ଯାହାର କାହାଣୀ ଖାଲସା ଯୋଦ୍ଧାଙ୍କ ଉପରେ ଆଧାରିତ । ଏ ଫିଲ୍ମରେ ଗିପ୍ପି ଗ୍ରେୱାଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ରଚନା କରିବା ସହିତ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି । ନିମ୍ରତ ଖେରା, ଶିନ୍ଦା ଗ୍ରେୱାଲ, ଗୁରପୀତ ଘୁଗ୍ଗି, ଅପିନ୍ଦରଦୀପ ସିଂହ, ନିକିତିନ ଧୀର, ମିତା ବଶିଷ୍ଠ ଏ ଫିଲ୍ମର ଅନ୍ୟ ମୁଖ୍ୟ ଚରିତ୍ର ନିର୍ବାହ କରିଛନ୍ତି । ଏପ୍ରିଲ ୧୦ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।
ଫୁଲେ :
ପ୍ରତୀକ ଗାନ୍ଧୀ ଓ ପତ୍ରଲେଖା ଷ୍ଟାରର୍ ଫିଲ୍ମ ‘ଫୁଲେ’ ପ୍ରେକ୍ଷାଳୟକୁ ଆସିବ ୧୧ ତାରିଖରେ । ସମାଜସେବୀ ଜ୍ୟୋତିରାଓ ଫୁଲେ ଓ ସାବିତ୍ରୀ ବାଈ ଫୁଲେଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏ ଫିଲ୍ମର କଥାବସ୍ତୁ । ପ୍ରତୀକ ଏଥିରେ ଜ୍ୟୋତିରାଓ ଫୁଲେ ଚରିତ୍ର ନିର୍ବାହ କରିଥିବାବେଳେ ତାଙ୍କ ପତ୍ନୀ ସାବିତ୍ରୀଙ୍କ ଚରିତ୍ରରେ ନଜର ଆସିବେ ପତ୍ରଲେଖା । ଅନନ୍ତ ମହାଦେବନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏ ଫିଲ୍ମରେ ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ଜ୍ୟୋତିରାଓ ଓ ସାବିତ୍ରୀଙ୍କ ସଂଘର୍ଷର କାହାଣୀ ଦେଖିବାକୁ ମିଳିବ ।
କେଶରୀ ଚାପ୍ଟର ୨ : ଦ ଅନ୍ଟୋଲ୍ଡ ଷ୍ଟୋରି ଅଫ୍ ଜାଲିଆନାୱାଲାବାଗ୍ :
‘କେଶରୀ ଚାପ୍ଟର ୨ : ଦ ଅନ୍ଟୋଲ୍ଡ ଷ୍ଟୋରି ଅଫ୍ ଜାଲିଆନାୱାଲାବାଗ୍’ ଚଳିତ ବର୍ଷର ବଡ଼ ବଜେଟ ଓ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର, ଅନନ୍ୟା ପାଣ୍ଡେ ଓ ଆର୍ ମାଧବନ । ଏହି ଫିଲ୍ମରେ ଦର୍ଶକ ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ଅକୁହା କାହାଣୀ ଦେଖିବାକୁ ପାଇବେ । ଏପ୍ରିଲ ୧୮ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘କେଶରୀ ଚାପ୍ଟର ୨’ । କରନ୍ ସିଂହ ତ୍ୟାଗୀ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ମାର୍ଚ୍ଚ ୧୪, ୨୦୨୫ରେ ରିଲିଜ ହେବ ବୋଲି ପ୍ରଥମେ କୁହାଯାଇଥିଲା । ପରେ କୌଣସି କାରଣରୁ ଏହାର ରିଲିଜକୁ ଘୁଞ୍ଚାଇ ଦିଆଗଲା । ଶିଖ୍ ଖାଲ୍ସା ଫୌଜର ପ୍ରଥମ କମାଣ୍ଡର-ଇନ୍-ଚିଫ୍ ହରି ସିଂହ ନଲୱାଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏ ଫିଲ୍ମ ।
ଦ ଭୂତ୍ନୀ :
ସଞ୍ଜୟ ଦତ୍ତ, ମୌନୀ ରୟ, ସନ୍ନି ସିଂହ, ପଲକ ତିୱାରୀ, ନବନୀତ ମଲିକ, ପ୍ରିୟଙ୍କା ବେଦୀ, ଅନିଶା ଦୁଆ ପ୍ରମୁଖ ଏ ଫିଲ୍ମରେ ଅଭିନୟ କରିଛନ୍ତି । ନାଁରୁ ନିଶ୍ଚିତ ହେଉଛି ଏହା ଏକ ଭୂତପ୍ରେତ ଆଧାରିତ ସିନେମା । ଏଥିରେ ଭରପୂର କମେଡି ମଧ୍ୟ ରହିଛି । ଏହି ସିନେମାକୁ ମଧ୍ୟ ସିନେପ୍ରେମୀ ଅତ୍ୟନ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏପ୍ରିଲ ୧୮ ତାରିଖରେ ‘ଦ ଭୂତ୍ନୀ’ ବଡ଼ ପରଦାରେ ମୁକ୍ତିଲାଭ କରିବ । ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାନ୍ତ ସଚ୍ଦେବ ।
ଗ୍ରାଉଣ୍ଡ ଜିରୋ :
କାଶ୍ମୀର ପୃଷ୍ଠଭୂମିରେ ନିର୍ମିତ ଏ ଚଳଚ୍ଚିତ୍ରର ମୁଖ୍ୟ ନାୟକ ଭାବେ ନଜର ଆସିବେ ଇମ୍ରାନ ହାସ୍ମୀ । ବାସ୍ତବ ଜୀବନର ଏକ ଘଟଣାକୁ ଆଧାର କରି ପ୍ରସ୍ତୁତ ହୋଇଛି ଏ ଫିଲ୍ମ । ଇମ୍ରାନ ହାସ୍ମୀ ଏଥିରେ ଜଣେ ବିଏସ୍ଏଫ୍ କମାଣ୍ଡାଣ୍ଟ ଚରିତ୍ର ନିର୍ବାହ କରିଛନ୍ତି । ଏପ୍ରିଲ ୨୫ରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ଜୋୟା ହୁସେନ, ମୁକେଶ ତିୱାରୀ ପ୍ରମୁଖ ଏଥିରେ ଦେଖିବାକୁ ମିଳିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତେଜସ୍ପ୍ରଭା ବିଜୟ ଦେଓସ୍କର ।