କେସିଙ୍ଗା,୦୧।୨: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଥଲେଟିକ ଏଣ୍ଡ କଲ୍ଚରାଲ ଆସୋସିଏସନ୍ ଆନୁକୁଲ୍ୟରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନୀ ମ୍ୟାଚ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗୀର ସହିତ ସ୍ପୋଟର୍ସ ହଷ୍ଟେଲ ଫୁଲବାଣୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଛି ।
କଳାହାଣ୍ଡି ଜିଲ୍ଲା ଆଥଲେଟିକ ଆସୋସିଏସନ୍ ସଭାପତି ଜଗମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିସହ ଟୁର୍ଣ୍ଣାମେଣ୍ଟର କ୍ରୀଡା ପତାକାକୁ ଉତ୍ତୋଳନ କରିବା ସହିତ ଟ୍ରଫିକୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, କଳାହାଣ୍ଡି ଜିଲ୍ଲା ଆଥଲେଟିକ ଆସୋସିଏସନ୍ ସମ୍ପାଦକ ସୁନୀଲ ବେହେରା ଉପସ୍ଥିତ ଥିଲେ । କେସିଙ୍ଗା ଆଥଲେଟିକ ଏଣ୍ଡ କଲ୍ଚରାଲ ଆସୋସିଏସନ୍ ସଭାପତି ତଥା ପୂର୍ବତନ ନଗରପାଳ ରାମକୁମାର ଜୈନ,ସମ୍ପାଦକ ପୁରନ୍ଦର ଭୋଇ, ଅଭିମନ୍ୟୁ ମହାନନ୍ଦ,ପୂର୍ବତନ ନଗରପାଳ ସରିତା ସିନ୍ଦୂର, ବଳରାମ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା ୮ ତାରିଖରେ ଅନୁଷ୍ଠିତ ହେବ। କେସିଙ୍ଗା ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଥିବା ମିନି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏଥିରେ ସର୍ବମୋଟ ୮ ଟି ଦଳ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ କେସିଙ୍ଗାରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ ଅଞ୍ଚଳର କ୍ରୀଡାବିତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । କେସିଙ୍ଗା ଆଥଲେଟିକ ଏଣ୍ଡ କଲ୍ଚରାଲ ଆସୋସିଏସନ୍ ପକ୍ଷରୁ ଏହି ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି।