କେସିଙ୍ଗା,୦୨/୦୨: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏଥଲେଟିକ ଏଣ୍ଡ କଲ୍ଚରାଲ ଆସୋସିଏସନ୍ ଆନୁକୁଲ୍ୟରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଠାରୁ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆସନ୍ତା ୮ ତାରିଖ ଦିନ ହେବ। କେସିଙ୍ଗା ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଥିବା ମିନି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ଏବଂ ଏଥିରେ ସର୍ବମୋଟ ୮ ଗୋଟି ଦଳ ଯୋଗଦାନ କରିବାକୁ ରହିଥିବା ବେଳେ ଏଥିରେ ଦୁଇ ଗୋଟି ଗ୍ରୁପରେ ବିଭକ୍ତ କରାଯାଇଛି । ଶନିବାର ଅପରାହ୍ନ ୪ଟାରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ହୋଇଥିଲା । ଉଦଘାଟନୀ ମ୍ୟାଚ୍ ପ୍ରଥମ ଗ୍ରୁପରେ ରହିଥିବା ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗୀର ସହିତ ସ୍ପୋଟର୍ସ ହଷ୍ଟେଲ ଫୁଲବାଣୀ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳରେ ୧-୧ ଗୋଲ୍ରେ ମ୍ୟାଚ ଅମିମାଂସିତ ରହଥିଲା ଏବଂ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗୀର ଦଳ ପେନାଲଟିକରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛି । ଅନ୍ତର୍ଜାତୀୟ ଫୁଟବଲ୍ ରେଫରୀ ନବୀନ ନାଏକ ଖେଳ ପରିଚାଳନା କରିଥିଲେ । ରବିବାର ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନର ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ ସମ୍ବଲପୁର ସହିତ କେଏସିଏ କଳାହାଣ୍ଡି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।
ଉଦଘାଟନୀ ମ୍ୟାଚ୍ରେ ଓଡିଶା ଅଲମ୍ପିକ୍ସ ଆସୋସିଏସନ୍ ସଭାପତି ତଥା କଳାହାଣ୍ଡି ଜିଲ୍ଲା ଏଥଲେଟିକ ଆସୋସିଏସନ୍ ସଭାପତି ଜଗମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟର କ୍ରୀଡା ପତାକାକୁ ଉତ୍ତୋଳନ କରିବା ସହିତ ଟ୍ରଫିକୁ ଉନ୍ମୋଚନ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା ଓ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଏଥଲେଟିକ ଆସୋସିଏସନ୍ ସମ୍ପାଦକ ସୁନୀଲ ବେହେରା ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ଏଥଲେଟିକ ଏଣ୍ଡ କଲ୍ଚରାଲ ଆସୋସିଏସନ୍ ସଭାପତି ତଥା ପୂର୍ବତନ ନଗରପାଳ ରାମକୁମାର ଜୈନ,ସମ୍ପାଦକ ପୁରନ୍ଦର ଭୋଇ, କେସିଙ୍ଗା ନଗରପାଳ ନୃପରାଜ ଯାଦବ, ଅଭିମନ୍ୟୁ ମହାନନ୍ଦ,ପୂର୍ବତନ ନଗରପାଳ ସରିତା ସିନ୍ଦୂର, ବଳରାମ ସୁନା, ନରସିଂହ ନିଆଲ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ କେସିଙ୍ଗା ମିନି ଷ୍ଟାଡିୟମରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ ଅଞ୍ଚଳର କ୍ରୀଡାବିତ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଖେଳଟିକୁ ଉପଭୋଗ କରିବା ପାଇଁ ମିନି ଷ୍ଟାଡିୟମ ଖେଳ ପଡ଼ିଆରେ ଆଜି ହଜାର ହଜାର ସଂଖ୍ୟାରେ କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । କେସିଙ୍ଗା ଏଥଲେଟିକ ଏଣ୍ଡ କଲ୍ଚରାଲ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଆସୋସିଏସନ୍ର ସମସ୍ତ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେସିଙ୍ଗା ଅଞ୍ଚଳବାସୀ ସମର୍ଥନ କରୁଛନ୍ତି ।
ପ୍ରକାଶ ଯେ, ଆସନ୍ତା ସୋମବାର ଦିନ ପ୍ରଥମ ଗ୍ରୁପର ୨ ଗୋଟି ବିଜେତା ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ୪ ତାରିଖ ଦିନ ଦ୍ବିତୀୟ ଗ୍ରୁପର ପ୍ରଥମ ମ୍ୟାଚ ମହାରାଷ୍ଟ୍ର ରାଜ୍ୟ ନାଗପୁର ଅଞ୍ଚଳର ଭଣ୍ଡାରା ଦଳ ସହିତ ଝାରଖଣ୍ଡ ରାଜ୍ୟର ଚକ୍ରଧରପୁର ଡିଏମ୍ଏସ୍ଏଫ୍ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ୫ ତାରିଖ ଦିନ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟଣା ସହିତ ଛତିଶଗଡ଼ ରଙ୍ଗବାଜ୍ଏଫସି ଜଗଦଲପୁର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଦ୍ବିତୀୟ ଗ୍ରୁପର ଦୁଇଟି ମ୍ୟାଚ୍ର ବିଜେତା ଦଳକୁ ନେଇ ୬ ତାରିଖ ଦିନ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ରଖାଯାଇଛି ଏବଂ ୮ ତାରିଖ ଦିନ ଅପରାହ୍ନରେ ଫାଇନାଲ ମ୍ୟାଚ ରଖାଯାଇଥିବା ନେଇ ଆୟୋଜକଙ୍କ ଠାରୁ ପ୍ରକାଶ ।