ପୁନେ,୨୮/୦୨: ମହାରାଷ୍ଟ୍ର ପୁନେର ସ୍ବରଗେଟ୍ ବସଷ୍ଟାଣ୍ଡର ଏକ ଅଚଳ ବସ୍ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ମହାରାଷ୍ଟ୍ର ପୋଲିସକୁ ବଡ ସଫଳତା ମିଳିଛି । ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେ ଗିରଫ ହୋଇଛି । ଫାର୍ମରେ ଲୁଚିଥିଲା ଅଭିଯୁକ୍ତ । ଘଟଣାର ୭୫ ଘଣ୍ଟା ପରେ ଶିରୁର ତେହସିଲରୁ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଏହି ମିଶନରେ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପୋଲିସ ଟିମ୍ ନିୟୋଜିତ ହୋଇଥିଲେ ।
ଅଭିଯୁକ୍ତକୁ ଖୋଜିବା ପାଇଁ ୧୩ଟି ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପୋଲିସ ଟିମ୍ ନିୟୋଜିତ ହୋଇଥିଲେ । ସର୍ଚ୍ଚ ଅପରେସନରେ ଅନୁସନ୍ଧାନକାରୀ କୁକୁର ସମେତ ଡ୍ରୋନ୍ ସାମିଲ ଥିଲା । ଅଭିଯୁକ୍ତ ବାବଦରେ ସୂଚନା ଦେବା ନେଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଫାର୍ମରେ ଲୁଚିଥିବା ବେଳେ ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାମରେ ପୂର୍ବରୁ ୫ଟି ମାମଲା ରହିଛି ।
କହ ରଖୁଛୁ କି, ଗତ ୨୫ ତାରିଖ ଦିନ ମହାରାଷ୍ଟ୍ର ପୁନେର ବ୍ୟସ୍ତବହୁଳ ସ୍ବରଗେଟ୍ ବସଷ୍ଟାଣ୍ଡରେ ଏକ ଅଚଳ ବସ୍ ଭିତରେ ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣା ନୂଆଦିଲ୍ଲୀରେ ହୋଇଥିବା ନିର୍ଭୟା କାଣ୍ଡକୁ ମନେ ପକାଇ ଦେଇଥିଲା । ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେ (୩୬)କୁ ଚିହ୍ନଟ କରିଥିଲା ।
ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୋଗ ଅନୁସାରେ ମଙ୍ଗଳବାର ୫ଟା ୪୫ରେ ଯୁବତୀ ଜଣଙ୍କ ସତାରା ଜିଲ୍ଲା ଫଲଟନ ଯିବାକୁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ନିକଟରେ ପହଞ୍ଚି ଦିଦି ବୋଲି ସମ୍ବୋଧନ କରିଥିଲେ । ପରେ ଯୁବତୀଙ୍କୁ ଫୁସଲାଇ ବସଷ୍ଟାଣ୍ଡର ନିଛାଟିଆ ସ୍ଥାନରେ ଅଚଳ ପଡିଥିବା ଏକ ବସ୍ ଭିତରକୁ ନେଇ ଯାଇଥିଲେ । ସେଠାର ଦୁଷ୍କର୍ମ ପରେ ଫେରାର ହୋଇଯାଇଥିଲେ ।