ନୂଆଦିଲ୍ଲୀ ୦୩/୦୩: ଶନିବାର ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ୧୯୫ ଜଣଙ୍କ ନାମ ସାମିଲ ଥିଲା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ମାତ୍ର ଜଣେ ମୁସଲିମ୍ ପ୍ରାର୍ଥୀ । ସେ ହେଉଛନ୍ତି ଡକ୍ଟର ଏମ. ଅବଦୁଲ ସଲାମ । କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି । ତାଙ୍କୁ କେରଳର ମଲ୍ଲାପୁରମରୁ ଦଳ ପ୍ରାର୍ଥୀ କରିଛି ।
ଡକ୍ଟର ସଲାମ ୨୦୨୧ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ସେ ତିରୁର ଆସନରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିଲେ । ଦ୍ୱିତୀୟ ସ୍ଥାନରେ ଥିଲେ ସ୍ୱାଧୀନ ପ୍ରାର୍ଥୀ ଅସରଫ । ସେଠାରୁ ଆଇୟୁଏମ୍ଏଲ ପ୍ରାର୍ଥୀ କୁରୁକୋଲି ମୋଇଦିନ ବିଜୟୀ ହୋଇଥିଲେ । କିନ୍ତୁ ଡକ୍ଟର ସଲାମଙ୍କ ପ୍ରତି ରହିଥିବା ଜନତାଙ୍କ ସମର୍ଥନକୁ ଦେଖି ବିଜେପି ତାଙ୍କୁ ଚଳିତଥର ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି।