ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଓଡ଼ିଶା ବଜେଟ୍‌କୁ ନେଇ ନିରାଶ ସିନେ ଜଗତ, ବଢ଼ିଲା ଅସନ୍ତୋଷ; ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

ଭୁବନେଶ୍ୱର,୨୭/୦୭: ରାଜ୍ୟ ବଜେଟ୍‌ ସବୁ ବର୍ଗକୁ କେଞ୍ଚେ ମେଞ୍ଚେ ଦେଲେ ହେଲେ ଓଡ଼ିଆ ସିନେମା ପାଇଁ କିଛି ଦେଲେ ନାହିଁ । କେବଳ କଳିଙ୍ଗ  ଷ୍ଟୁଡିଓ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ  ଦିଆଯାଇଛି । ରାଜ୍ୟରେ ଏକ ଫିଲ୍ମ ସିଟି ନିର୍ମାଣ କରିବାକୁ ଯୋଜନା ରହିଛି । ବାସ୍‌ ଏତିକି । ୨୦୨୪- ୨୫ ବଜେଟ୍‌ରେ ମୋହନ ସରକାର ଓଡ଼ିଆ ସିନେମା  ପାଇଁ ଏହି ଅନୁକମ୍ପା ଦେଖାଇଛନ୍ତି ଯାହାକୁ ନେଇ  ଓଡ଼ିଆ ଚଳଚ୍ଚିତ୍ର ଜଗତ (ଓଲିଉଡ୍‌)ରେ ନିରାଶ  ଦେଖାଦେଇଥିଲାବେଳେ ଅସନ୍ତୋଷ ପ୍ରକାଶ ପାଇଛି ।  

କଳାକାରଙ୍କ କହିବା କଥା, ଏଠି ଯୋଉ ସରକାର ଆସିଲେ ସେ କଳିଙ୍ଗ ଷ୍ଟୁଡିଓକୁ ଜାବୁଡ଼ି ଧରିଲେ । ସେ ଷ୍ଟୁଡିଓ କାହା କାମରେ ଆସୁ କି ନ ଆସୁ, ଲାଭ ଦେଉ କି ନ ଦେଉ ଏହା ଆମ ପାଇଁ ବଡ଼ ସମ୍ପତ୍ତି । ବାକି ସବୁ ଚୁଲିକି ଯାଉ । ସରକାର ବଜେଟ୍‌ ଆଣିଲେ ଅଥଚ ଓଡ଼ିଆ ସିନେମାର ଉନ୍ନତି ତଥା ଅନ୍ୟାନ୍ୟ ଦିଗକୁ ଦେଖିଲେ ନାହିଁ । ୮୮ ବର୍ଷ  ଓଡ଼ିଆ ସିନେମା ଶିଳ୍ପରେ ଅନେକ ସମସ୍ୟା ବର୍ଷ  ବର୍ଷ ଧରି ମୁଣ୍ଡ ଟେକି ଛିଡ଼ା ହୋଇଥିଲାବେଳେ ବି  ସରକାରଙ୍କୁ ତାହା ଦିଶିଲା ନାହିଁ ଯାହା ବେଶି ଦୁଃଖ  ଦେଉଛି ବୋଲି କଳାକାରମାନେ କହିଛନ୍ତି ।  

ବଡ଼ କଥା ହେଲା, ନୂଆ ସରକାର କ୍ଷମତାକୁ ଆସିବା ପରେ ଓଡ଼ିଆ ସିନେମାର ଉନ୍ନତି ଚିନ୍ତା କରୁଥିବା ଅନେକ ସଂଘ, ଅନୁଷ୍ଠାନ ଓ ବ୍ୟକ୍ତି ନିଜ ନିଜ ସ୍ତରରେ ସରକାରଙ୍କ ସହ ଆଲୋଚନା କଲେ । ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗୀୟ ସଚିବ ଏପରିକି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏମ୍‌ଡିଙ୍କୁ ଭେଟି ୫ ଦଫା, ୧୦ ଦଫା  ଦାବି ପତ୍ର ବି ଦେଲେ । ନୂଆ ସଂଘ ଗଢ଼ି ସାମ୍ବାଦିକ ସମ୍ମିଳନୀ କରି ସସସ୍ୟା ରଖିଲେ, ଚଳଚ୍ଚିତ୍ର ନୀତି  ସହ ବହୁ ଦାବି ରଖିଲେ । 

କହିଲେ ମନ୍ତ୍ରୀ କହିଛନ୍ତି,  ସବୁ ହେବ । କିନ୍ତୁ ଯେତେବେଳେ ବଜେଟ୍‌ ଆସିଲା, ସେତେବେଳେ ସବୁ ଫୁସ୍‌ । ହାତ ଖାଲି । ଯେଉଁମାନେ  କିଛି ଦିନ ପୂର୍ବରୁ ଦଳବଳ ନେଇ ମାତିଥିଲେ ଏବଂ  ଓଏଫ୍‌ଡିସି ଅଧ୍ୟକ୍ଷ ପଦବି ଆଶାରେ ଡେଉଁଥିଲେ  ସେମାନେ ସବୁ ଚୁପ୍‌ । କାହାରି ମୁହଁ ଖୋଲୁନି ।  ଏପଟେ କିନ୍ତୁ ଅନ୍ୟ କଳାକାର, ସମୀକ୍ଷକ, ମିଡିଆ  ପ୍ଲାନର୍‌ ସରକାରଙ୍କୁ ସମାଲୋଚନା କରିବା ସହ ଏହା  ଓଡ଼ିଆ ସିନେମା ପ୍ରତି ଅନ୍ୟାୟ ବୋଲି କହିଛନ୍ତି ।  ଅନ୍ୟପକ୍ଷରେ କିଛି ସିନେପ୍ରେମୀ ଓଡ଼ିଆ ସିନେମାର  ଅନ୍ତୁଡ଼ିଶାଳ ଶ୍ରୀକ୍ଷେତ୍ର ପୁରୀରୁ ଆନ୍ଦୋଳନ କରିବାକୁ  ପ୍ରସ୍ତୁତ ହେଲେଣି ।  

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି, ଗତ ସରକାରରେ ଆମେ ଧାରଣାରେ ବସିଥିଲୁ, ବହୁ  ଆଲୋଚନା ହୋଇଥିଲା । ଏବେ ନୂଆ ସରକାର ।  ଏଥିରେ ଅନେକ କଳାକାରଙ୍କୁ ନେତା ହେବାର  ସୁଯୋଗ ମିଳିଛି । ପୂର୍ବ ସରକାରରେ ମଧ୍ୟ ଅନେକ  କଳାକାର ବିଧାୟକ ଏବଂ ସାଂସଦ ଥିଲେ । ଓଡ଼ିଶାରୁ  ବି ଅନେକ କଳାକାର ନୂଆ ସରକାରରେ ଅଛନ୍ତି ।  ତା’ ପରେ ବି ସିନେ ଜଗତ ତଥା କଳାକାରଙ୍କ  ଉନ୍ନତି ନିମନ୍ତେ କିଛି ନହେବା ଅତି ଦୁଃଖର  କଥା । ଅଭିନେତା ମନୋଜ ମିଶ୍ର କହିଛନ୍ତି, ଓଡ଼ିଆ  ସିନେମାର ସୁପର୍‌ଷ୍ଟାର୍‌ ମାନେ ଧ୍ୟାନ ଦିଅନ୍ତୁ,  ଆପଣମାନେ ଦଳ ବଦଳେଇଲା ପରେ ବି ଆପଣଙ୍କ  ଦଳ ଏଥର ବଜେଟ୍‌ରେ ଓଡ଼ିଆ ସିନେମା ପାଇଁ କିଛି  କରିନାହାନ୍ତି । 

ଅଭିନେତା ପାର୍ଥସାରଥୀ ରାୟ କହିଛନ୍ତି,  ସିନେମା ଶିଳ୍ପ ପାଇଁ ସମ୍ପୂର୍ଣ୍ଣ ଉଦାସୀନ ମନୋଭାବ  ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଅଭିନେତା ସୋମେଶ  ମହାନ୍ତି ସୋସିଆଲ୍‌ ମିଡିଆରେ ବଜେଟ୍‌ର ଏକ ପୃଷ୍ଠା  ପୋଷ୍ଟ କରି ସିନେମା ପାଇଁ ସରକାରଙ୍କ ପଦକ୍ଷେପ  କ’ଣ ବୋଲି ପ୍ରଶ୍ନ କରିଛନ୍ତି ଏବଂ ବଜେଟ୍‌ରେ  ସିନେମାର ସ୍ଥାନ କେଉଁଠି ତାହା ଖୋଜିଛନ୍ତି ।  

ମିଡିଆ ପ୍ଲାନର୍‌ ପ୍ରଣୟ ଜେଠୀ କହିଛନ୍ତି,  ଓଡ଼ିଆ ସିନେମା ଶିଳ୍ପକୁ ଷ୍ଟୁଡିଓ ପରିସରରେ  ସୀମିତ ରଖିଥିବାରୁ ସରକାରଙ୍କୁ ଧନ୍ୟବାଦ ।  ସଂଘଗୁଡିକ ସରକାରଙ୍କୁ କି ପରାମର୍ଶ ଦେଲେ  କେଜାଣି ଆଜି ଏ ଅବସ୍ଥା । ପୂର୍ବ ସରକାର ୨୦୦  କୋଟି ଦେଇଛନ୍ତି ଯେ, ୨୦୨୧ ମସିହାରୁ ଷ୍ଟୁଡିଓର  ନବୀକରଣ ସରୁନି । ଏହାପରେ ପୁଣି ୨୦୨୩- ୨୪ ବଜେଟ୍‌ରେ ସରକାର ପୁନଃନିର୍ମାଣ ଲାଗି  ୫୫ କୋଟି ଦେଇଥିଲେ । ବର୍ଷକୁ ବର୍ଷ ଖାଲି  ଅନୁଦାନ ଦେଉଛନ୍ତି, ହେଲେ ଆଦାୟ କେତେ,  ଲାଭ କେତେ ଆଉ ସେଠି କ’ଣ ଚାଲିଛି ତାହା  ସରକାରଙ୍କୁ ଜଣା । ଏବେ କ’ଣ କହିଲେଣି  ଏଣ୍ଟରଟେନ୍‌ମେଣ୍ଟ ପାର୍କ ହେବ । ସମୀକ୍ଷକ  ଶ୍ୟାମା ପ୍ରସାଦ ମିଶ୍ର କହିଛନ୍ତି, ସମସ୍ତଙ୍କୁ ଏକାଠି  ହୋଇ ସରକାରଙ୍କୁ ଭଲରେ ବୁଝାଇ ବିଷଦ  ଭାବେ ଆଲୋଚନା କରିବାର ଆବଶ୍ୟକତା  ରହିଛି । ନଚେତ୍‌ ଓଡ଼ିଆ ସିନେମାର ଜନ୍ମସ୍ଥାନ  ପୁରୀରୁ ଶ୍ରୀମନ୍ଦିର ସିଂହଦ୍ୱାରରୁ ଆନ୍ଦୋଳନ ହେଉ ।  

ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, ସିନେମା  ଜଗତ ପାଇଁ ଏହା ନୈରାଶ୍ୟଜନକ ବଜେଟ୍‌ ।  ସରକାର ଭଲ ସିନେମା ନିର୍ମାଣ ପାଇଁ ୨୦ କୋଟି  ସବ୍‌ସିଡି ବ୍ୟବସ୍ଥା କରିଥିଲେ ଭଲ ହୋଇଥାନ୍ତା ।  ଏମିତିରେ ଷ୍ଟୁଡିଓକୁ ବହୁତ ଟଙ୍କା ଦିଆଯାଇଛି,  ଯାହାକୁ ନେଇ ବିବାଦ ଉପୁଜିଲାଣି । ଏବେ ପୁଣି ୨୦  କୋଟି ଦେଇ ସରକାର କାହାର ଉନ୍ନତି କରିବାକୁ  ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ପରିଜା ପ୍ରଶ୍ନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.