ଭଦ୍ରକ,୨୬/୩ : ବାଟ ଓଗାଳୁଛି ଜବତ ଗାଡ଼ି । ରାଜ୍ୟ ରାଜପଥକୁ ମାଡ଼ି ବସିଛି ଏହି ଅଚଳ ଯାନ । ମାଲି ମକଦ୍ଦମାରେ ଫଶିଥିବା ଯାନ ଗୁଡ଼ିକ ମୁକଳିପାରୁନି । ବର୍ଷ ବଷି ଧରି ଥାନା ସମ୍ମୁଖରେ ପଡ଼ି ରହିଛି । ଥାନା ସମ୍ମୁଖରେ ରହିବା ଯେତିକି ଅସୁବିଧା ନୁହଁ, ବେଶୀ ଯନ୍ତ୍ରଣା ଦାୟକ ହୋଇଛି ରାଜପଥ ମାଡ଼ିବସିବା । ସ୍ଥିତି ଏମିତି ହୋଇଛି ଯେ, ଉଭୟ ପାଶ୍ୱର୍ରେ ବଡ଼ ଭାରୀଯାନ କିମ୍ବା ୨ଟି ବସ ପରସ୍ପର ଅତିକ୍ରମ କରିବା ସହଜସାଧ୍ୟ ହେଉନି । ଭଦ୍ରକ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଏଭଳି ଅଚଳାବସ୍ଥାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ତେଜିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ସମ୍ମୁଖ ଦେଇ ଯାଇଛି ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ । ଜିଲ୍ଲାର ପ୍ରମୁଖ ବ୍ୟସ୍ତ ବହୁଳ ସର୍ବାଧିକ ଗମନାଗମନର ମାଧ୍ୟମ ଏହି ସଡ଼କ । ଏପରିସ୍ଥଳେ ପୁଲିସ ଦ୍ୱାରା ବିଭିନ୍ନ ମାମଲାରେ ଟଣା ହୋଇ ଆସୁଥିବା ଗାଡ଼ିଗୁଡ଼ିକ ରାଜପଥ ଉପରେ ରଖାଯାଉଛି । ଦୀର୍ଘ ଦିନର ଏହି ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି । ନିକଟରେ ମାଟିଚୋରି ଧରଗପଗଡ଼ ବେଳେ ମୋଟି ବୋଝେଇ ଟ୍ରାକ୍ଟର ସହ ଜେସିବି ମେସିନ ଜବତ ହୋଇଥିଲା । ପୁଣି ତା ପୂର୍ବରୁ ଭିନ୍ନ ଭିନ୍ନ ମାମଲାର ଭାରୀଯାନ ଟ୍ରକ ସମେତ ଅନ୍ୟ ଗାଡ଼ିକୁ ପୁଲିସ ଟାଣିଥିଲା । ସେହି ସବୁ ଗାଡ଼ି ଗୁଡ଼ିକ ରାଜପଥ କଡ଼ର ଉଭୟ ପାଶ୍ୱର୍ରେ ଥୁଆ ଯାଇଛି ।
ଜଣେ ବସ କର୍ମଚାରୀ କହିଛନ୍ତି, ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ସବୁବେଳେ ଗହଳି ଲାଗି ରହୁଛି । ଥାନା ପାଇଁ ଅନେକ ଲୋକ ବହୁ ସମୟରେ ବାଦ ବିବାଦରେ ଫଶି ବିବ୍ରତ ଅବସ୍ଥାରେ ଆସୁଛନ୍ତି । ଆମେ ଏଥିପ୍ରତି ସଜାଗ ରହି ଗାଡ଼ି ଅତି ଧୀରେ ନେଉଛି । ହେଲେ ଉଭୟ ପାଶ୍ୱର୍ରେ ଜବତ ଗାଡ଼ି ରହିବା ଦ୍ୱାରା ରାସ୍ତା ସଙ୍କୁଚିତ ହେଉଛି । ଗାଡ଼ି ଗଡ଼ାଇ ନେବା ପରେ ବିପକ୍ଷ ଦିଗରୁ ଟ୍ରକ କିମ୍ବା ବସ ଆସିଲେ ଅତିକ୍ରମ କରିବା ମୁସ୍କିଲ ହୋଇ ପଡ଼ୁଛି । ଗତ ୩ ମାସରେ ଭିତରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ତୁରନ୍ତ ରାଜ୍ୟ ରାଜପଥ ପାଶ୍ୱର୍ରୁ ଜବତ ଗାଡ଼ିକ ହଟାଇବାକୁ ସେ ଦାବି କରିଛନ୍ତି । କେବଳ ବସ ନୁହେଁ, ରାଜ୍ୟ ରାଜପଥର ଦୌନିକ ଶହ ଶହ ଟାଟା ମେଜିକ ଚାଲୁଛି ।
ଏହା ବାଦରେ ଅନେକ ଭିଭିଆଇପି ଗାଡ଼ି ସାଙ୍ଗକୁ ଘରୋଇ ଗାଡ଼ି ଅତିକ୍ରମ କରୁଛି । ଟ୍ରାଫିକ ଜାମ୍ ପାଇଁ ପୁଲିସ ଭୟରେ କେହି ମୁହଁ ଖୋଲୁନାହାନ୍ତି । ତୁରନ୍ତ ରାଜ୍ୟ ରାଜପଥର ଥାନା ସମ୍ମୁଖ ରାସ୍ତା ଉପରୁ ଜବତ ଗାଡ଼ି ହଟାଇବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।