ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମଣିପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି, ଦୁଇଦିନ ଭିତରେ ନିଯୁକ୍ତ ହେବେ ନୂଆ ମୁଖ୍ୟମନ୍ତ୍ରୀ, ପୁଲିସ ଓ ଯବାନ ମୁତୟନ

Published By : Prameya | February 11, 2025 1:20 PM

ଇମ୍ଫାଲ ୧୧/୦୨: ମଣିପୁରରେ ଦୀର୍ଘ ୨୧ ମାସ ଧରି ହିଂସା ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହ ରବିବାର ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଜରୁରିକାଳୀନ ସ୍ଥିତିର ମୁକାବିଲା ଲାଗି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିଂହଙ୍କ ଇସ୍ତଫା ପରେ ବିକ୍ଷୋଭ ଆଶଙ୍କା କରି ସମ୍ବେଦନଶୀଳ ଅଞ୍ଚଳରେ ବହୁ ସଂଖ୍ୟକ ପୁଲିସ କର୍ମୀ ଓ ଯବାନ ମୁତୟନ ହୋଇଛନ୍ତି । ବିଶେଷ କରି ରାଜନୈତିକ ଭାବେ ସମ୍ବେଦନଶୀଳ ଭ୍ୟାଲି ଅଞ୍ଚଳ ଉପରେ ଫୋକସ୍‌ କରାଯାଉଛି । କୌଣସି ପ୍ରକାର ବିଶୃଙ୍ଖଳାର ମୁକାବିଲା ଲାଗି ସେଠାରେ ମୁତୟନ ପୁଲିସ, ଯବାନମାନଙ୍କ ନିକଟରେ ଡ୍ରୋନ୍‌, ହ୍ୟାଣ୍ଡ ଜାମର ପ୍ରଭୃତି ରହିଛି । କିଛି ବୁଲେଟପ୍ରୁଫ୍‌ ଗାଡି଼ ମଧ୍ୟ ମଗାଯାଇଛି । 

ସେପଟେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ନ ହେବା ଯାଏ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୀରେନ୍‌ ସିଂହ । ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିପାରନ୍ତି । ଏଥିଲାଗି ବିଜେପି ବିଧାୟକ ୱାଇ ଖେମଚାନ୍ଦ ସିଂହଙ୍କ ନାମ ଚର୍ଚ୍ଚାରେ ରହିଛି । ଖେମଚାନ୍ଦ ସିଂହ କହିଛନ୍ତି, ରାଜ୍ୟରେ ସାମାନ୍ୟ ସ୍ଥିତି ଫେରାଇ ଆଣିବା ବର୍ତ୍ତମାନ ମୁଖ୍ୟ ଚାଲେଞ୍ଜ । ଦଳର ବ୍ୟବସ୍ଥା ଅନୁସାରେ ହାଇକମାଣ୍ଡ ଯାହା ସ୍ଥିର କରିବେ ତାକୁ ଆମେ ଗ୍ରହଣ କରିବୁ । ମଣିପୁରରେ ୨୦୨୩ ମେ ମାସରୁ କୁକି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସା ଲାଗି ରହିଛି । ସେଥିଯୋଗୁ ୨୦୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି । ଏହି ହିଂସା ଯୋଗୁ ବୀରେନ୍‌ ସିଂହଙ୍କ ଉପରେ ଚାପ ଥିଲା । ତାଙ୍କ ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.