ଭୁବନେଶ୍ୱର ୦୯/୦୨: ରାସ୍ତାରେ ଘୂରି ବୁଲୁଛି ସ୍କୁଲ୍ । ବ୍ୟାଟେରୀ ଚାଳିତ ଗାଡ଼ିକୁ ଅବିକଳ ସ୍କୁଲ ଭଳି ସଜାଯାଇଛି । ଗାଡ଼ି ଭିତରେ ବହି, ଖାତାଠାରୁ ଆରମ୍ଭ କରି ଖେଳ ସାମଗ୍ରୀ, ଖାଦ୍ୟ, ପାନୀୟ ଓ ଔଷଧ ମହଜୁଦ ରହିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ‘ସ୍କୁଲ୍ ଅନ୍ ହୁଇଲ୍ସ’ ଗାଡ଼ି ଚଳାଉଥିବା ଡ୍ରାଇଭର ଜଣେ ଶିକ୍ଷକ ଯିଏ କି ପାଠ ଛାଡ଼ି ଥିବା ପିଲାମାନଙ୍କ ପାଖକୁ ଯାଇ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଦେଉଛନ୍ତି ପରାମର୍ଶ । ଭୁବନେଶ୍ୱରର ମୁଖ୍ୟ ୧୦ଟି ରାସ୍ତା ଏବଂ ବସ୍ତିର ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନଙ୍କୁ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଉଛନ୍ତି, ପାଠ ପଢ଼ାଉଛନ୍ତି ଏବଂ ସ୍କୁଲ୍ରେ ସେମାନଙ୍କ ନାମ ଲେଖାଉଛନ୍ତି । ଏହି ପିଲାମାନେ ବଡ଼ ହୋଇ ଯେପରି ଅପରାଧିକ କାର୍ଯ୍ୟରେ ଲିପ୍ତ ନ ହେବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ‘ରୁଚିକା ସମାଜ ମଙ୍ଗଳ ସଂଗଠନ’ ।
ସ୍କୁଲ ଅନ୍ ହୁଇଲ୍ସ(ଆମ ବିଦ୍ୟାଳୟ ଆମ ଘର) ୨୦୧୪ ମସିହାରେ ଆରମ୍ଭ ହୋଇଥିଲା । ‘ରୁଚିକା ସମାଜ ମଙ୍ଗଳ ସଂଗଠନ’ ଏହାକୁ ଆରମ୍ଭ କରିଥିଲା । ଟ୍ରଲିକୁ ସ୍କୁଲ ଘର ଭଳି ସଜାଯାଇଥିଲା । ଏହି ଟ୍ରଲିକୁ ନେଇ ଜଣେ ଶିକ୍ଷକ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିଲେ । ରାସ୍ତାକଡ଼ରେ ବୁଲୁଥିବା ପିଲାଙ୍କୁ ଏହି ଶିକ୍ଷକମାନେ ପଢ଼ାଉଥିଲେ । ଦୁଇ/ତିନି ବର୍ଷ ଚାଲିବା ପରେ ଏହା ବନ୍ଦ ହୋଇଯାଇଥିଲା । କାରଣ ଟ୍ରଲିରେ ରାସ୍ତାକଡ଼ ଏବଂ ବସ୍ତି ବୁଲି ପାଠ ପଢ଼ାଇବାକୁ ଶିକ୍ଷକମାନେ ଆଗ୍ରହ ପ୍ରକାଶ କଲେ ନାହିଁ । ଏହି ଶିକ୍ଷକ ଛାଡ଼ିବା ପରେ ଆଉ ଶିକ୍ଷକ ମିଳିନଥିଲେ । ସେଥିପାଇଁ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ବିଫଳ ହୋଇଯାଇଥିଲା ।
୨୦୨୦ ମସିହାରେ କମିଶନ୍ରେଟ୍ ପୁଲିସ ଏବଂ ଟୁରିଜିମ୍ କର୍ପୋରେସନ୍ର ସହାୟତାରେ ବ୍ୟାଟେରୀ ଚାଳିତ ଅଟୋକୁ ନେଇ ଆରମ୍ଭ ହେଲା ଶିକ୍ଷାଦାନ । ଶିକ୍ଷକ ଓ ଶିକ୍ଷୟିତ୍ରୀ ଗାଡ଼ି ଚଳାଇ ପିଲାଙ୍କ ପାଖରେ ପହଞ୍ଚିଲେ । ଗାଡ଼ିରେ ସାଉଣ୍ଡ୍ ଲାଇଟ୍, ଫାଷ୍ଟ୍ଏଡ୍ ବକ୍ସ, ପାଣି, ଖେଳ ସାମଗ୍ରୀ, ଖାଦ୍ୟ, ବହି ଆଦି ରହିଲା । ୬ରୁ ୧୪ବର୍ଷ ପିଲା ଯେଉଁମାନେ ସ୍କୁଲ ଯାଇ ପାଠପଢ଼ି ପାରିବେ ସେମାନଙ୍କୁ ଏହି ‘ସ୍କୁଲ୍ ଅନ୍ ହୁଇଲ୍ସ’ରେ ପ୍ରଥମେ ଶିକ୍ଷା ଦିଆଯାଉଛି । ‘ରୁଚିକା ସମାଜ ମଙ୍ଗଳ ସଂଗଠନ’ରେ ୫ଟି ଏଭଳି ସ୍କୁଲ୍ ଅଟୋ ରହିଛି । ୧୦ଟି ଷ୍ଟ୍ରିଟ୍ ଏଜୁକେସନ୍ ସେଣ୍ଟର୍ (ରାସ୍ତାକଡ଼ ଶିକ୍ଷା କେନ୍ଦ୍ର)ରେ ପାଠ ପଢ଼ାଯାଉଛି ।
୨୦୨୦ ମସିହାରୁ ଏ ପର୍ଯ୍ୟନ୍ତ ୩୫୦ରୁ ଅଧିକ ପିଲା ସ୍କୁଲରେ ପଢ଼ୁଛନ୍ତି । ଆହୁରି ୩୦୦ରୁ ଅଧିକ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ସାମିଲ କରିବା ଲାଗି ପ୍ରସ୍ତୁତ କରାଯାଉଛି । ଏହାବାଦ୍ ଯେଉଁ ପିଲାମାନେ ସ୍କୁଲରେ ପଢ଼ୁଛନ୍ତି ସେମାନଙ୍କୁ ଏବଂ ସେମାନଙ୍କ ପିତାମାତାଙ୍କୁ କାଉନସେଲିଂ କରାଯାଉଛି । ୫ଟି ‘ସ୍କୁଲ ଅନ୍ ହୁଇଲ୍ସ’ରେ ୭ଜଣ ଶିକ୍ଷକ ଅଛନ୍ତି । ସେଥିରୁ ଦୁଇ ଜଣ ମହିଳା । ‘ରୁଚିକା ସମାଜ ମଙ୍ଗଳ ସଂଗଠନ’ର ନିର୍ଦ୍ଦେଶକ ବେଣୁଧର ସେନାପତି କହନ୍ତି, ଏହି ପିଲାମାନେ ସେମାନଙ୍କ ପରିବାରକୁ ପୋଷୁଥିଲେ । ତେଣୁ ପ୍ରଥମେ ସେମାନଙ୍କ ଅଭିଭାବକଙ୍କୁ ସ୍କୁଲର ଗୁରୁତ୍ୱ ବୁଝାଗଲା । ଆଖପାଖ ପିଲା ଯେତେବେଳେ ଭଲ ପୋଷାକ ପିନ୍ଧି, ସଫାସୁତୁରା ହୋଇ ସ୍କୁଲ ବାହାରିଲେ ସେମାନଙ୍କ ଅଭିଭାବକ ଏହା ଦେଖି ନିଜ ପିଲାଙ୍କୁ ପଠାଇବା ଲାଗି ଆଗ୍ରହ ପ୍ରକାଶ କଲେ ।