ପାଟଣା,୦୪/୧୦: ମା' ସହ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ୪ ବର୍ଷର ଶିଶୁପୁତ୍ର । ମୃତକ ରାଜୁ ମୁଣ୍ଡାଙ୍କ ପୁଅ ସନା ମୁଣ୍ଡା ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଙ୍ଗରପଡା ଦେଉଳି ସାହିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରାଜୁ ମୁଣ୍ଡାଙ୍କ ୪ ବର୍ଷର ପୁଅ ସନା ମୁଣ୍ଡା ତାଙ୍କ ମା'ଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ହଠାତ୍ ପୁଅ ସନା ପୋଖରୀରେ ବୁଡ଼ି ଯାଇଥିଲେ । ଏହା ଦେଖି ମା' ତୁରନ୍ତ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ପୁଅକୁ ପାଣିରୁ ଉଦ୍ଧାର କରିବା ବେଳକୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ସନା । ଏହା ଦେଖି ଆତ୍ମହରା ହୋଇପଡ଼ିଥିଲେ ତାଙ୍କ ମା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।