ବେଙ୍ଗଳୁରୁ, ୧୨/୦୨: ଦେଶର ଅନ୍ୟତମ ଲୋ-କଷ୍ଟ ଏୟାରଲାଇନ୍ ସ୍ପାଇସଜେଟ୍ ଛଟେଇ କରିବାକୁ ଯାଉଛି । ସୋମବାର ସ୍ପାଇସଜେଟ୍ ପକ୍ଷରୁ କୁହାଯାଇଛି, କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଅଣାଯାଇ କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ । ଏହା ଦ୍ୱାରା ବାର୍ଷିକ ପ୍ରାୟ ୧୨ ମିଲିଅନ୍ ଟଙ୍କା ସଞ୍ଚୟ କରି ହେବ ।
ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ, ସ୍ପାଇସଜେଟ୍ ଏୟାରଲାଇନ୍ ପ୍ରାୟ ୧୪୦୦ କର୍ମଚାରୀଙ୍କୁ ଛଟେଇ କରିପାରେ । ଯାହାକି ସ୍ପାଇସଜେଟର ମୋଟ ୯ ହଜାର କର୍ମଚାରୀର ୧୫ ପ୍ରତିଶତ । ତେବେ ସ୍ପାଇସଜେଟ୍ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ କେତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରାଯିବ । ଏବେ କମ୍ପାନୀ ପ୍ରାୟ ୩୦ଟି ବିମାନ ଚଳାଚଳ କରୁଛି ।
ସ୍ପାଇସଜେଟ୍ କହିଛି, ଛିଡ଼ା ହୋଇଥିବା ବିମାନର ପୁନରୁଦ୍ଧାରରେ ସହାୟତା ଲାଗି ଅର୍ଥ ନିବେଶ ଲାଗି କିଛି ପରିବର୍ତ୍ତନ ଅଣାଯାଉଛି । ଏଥିପାଇଁ ଖର୍ଚ୍ଚ କାଟ୍ ପନ୍ଥା ଆପଣା ଯାଉଛି । ଏକଦା ସ୍ପାଇସ୍ ଜେଟ୍ ଭାରତର ଦ୍ୱିତୀୟ ବଡ଼ ବିମାନସେବା ପ୍ରଦାନକାରୀ ସଂସ୍ଥା ଥିଲା । କମ୍ପାନୀ ୨୨.୫୦ ବିଲିଅନ୍ ଟଙ୍କା ଯୋଗାଣ ପାଇଁ ଉଦ୍ୟମ କରୁଥିବା ବେଳେ ଏବେ ସୁଦ୍ଧା ୭.୪୪ ବିଲିଅନ୍ ଟଙ୍କା ସଂଗ୍ରହ ହୋଇ ପାରିଛି ।
କମ୍ପାନୀ ଅନୁସାରେ, ନିବେଶ ଲାଗି ଛଟେଇ ନିହାତି ଆବଶ୍ୟକ । କମ୍ପାନୀ ଏବେ ଦରମା ବାବଦକୁ ୬୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି । ଛଟେଇ ନେଇ ଅନେକଙ୍କୁ କଲ୍ ଆସିଥିବା ବେଳେ କେତେକ ଜାନୁଆରୀ ମାସର ଦରମା ମଧ୍ୟ ପାଇ ନାହାନ୍ତି ।
୨୦୧୯ରେ ସ୍ପାଇସଜେଟ୍ ପାଖରେ ୧୧୮ଟି ବିମାନ ଥିବାବେଳେ ୧୬ ହଜାର କର୍ମଚାରୀ ରହିଥିଲେ । ଯାହାକି ଅକାଶା ଏୟାରକୁ ଟକ୍କର ଦେଉଥିଲା । ସେତେବେଳେ ଅକାଶା ଏୟାର ପାଖରେ ୩୫୦୦ କର୍ମଚାରୀ ଏବଂ ୨୩ଟି ବିମାନ ରହିଥିଲା ।