ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମହାକୁମ୍ଭରେ ଦିନକୁ ନିର୍ଗତ ହେଉଛି ୬୦୦ ମେଟ୍ରିକ ଟନ୍‌ ଆବର୍ଜନା, ସଫେଇ କର୍ମୀଙ୍କ ୮୦୦ ଟିମ୍‌ ନିୟୋଜିତ

Published By : Prameya | February 8, 2025 12:38 PM

ଉତ୍ତରପ୍ରଦେଶ, ୮।୨: ପ୍ରୟାଗରାଜ ମହାକୁମ୍ଭକୁ ଛୁଟିଆସୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଲକ୍ଷାଧିକ ଲୋକଙ୍କ ଯାତାୟାତ ଓ ରହଣି ଭିତରେ ସ୍ୱଚ୍ଛତା ବଜାୟ ରଖିବା ଏକ ବଡ଼ ଆହ୍ୱାନ । ୪୦୦୦ ହେକ୍ଟରରେ ବିସ୍ତୃତ ବିଶ୍ୱର ସର୍ବବୃହତ ଧାର୍ମିକ ଆୟୋଜନରେ ପ୍ରତିଦିନ ନିର୍ଗତ ହେଉଛି ୬୦୦ ମେଟ୍ରିକ ଟନ୍‌ ଆବର୍ଜନା । ମହାକୁମ୍ଭରେ ସ୍ୱଚ୍ଛତା ବଜାୟ ରଖବାକୁ ଚାଲିଛି ବିଶ୍ୱର ସର୍ବବୃହତ ସଫେଇ ଅଭିଯାନ । ମହାକୁମ୍ଭର ସଙ୍ଗମ ତଟରେ ଏକ ଅସ୍ଥାୟୀ ସହର ନିର୍ମାଣ କରିବା ଏବଂ ଏହାକୁ ନିୟମିତ ଭାବେ ସଫା ରଖିବା ସହଜ ନୁହେଁ । ଏହି କ୍ରମରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମେଳାକୁ ଆସୁଥିବା ଲୋକଙ୍କୁ ସ୍ୱଚ୍ଛ ପରିବେଶ ଓ ରହିବାକୁ ଜାଗା ଦେବା । ମହାକୁମ୍ଭରେ ଏହାର ମୁକାବିଲା ସବୁଠୁ ବଡ଼ ବିଷୟ । ଏହି ସ୍ଥିତିରେ ସ୍ୱଚ୍ଛତା ପାଇଁ କରାଯାଇଥିବା ପ୍ରବନ୍ଧନ ଓ ଏହାର ମାପଦଣ୍ଡ ସବୁରି ଧ୍ୟାନ ଆକର୍ଷଣ କରିଛି । ମହାକୁମ୍ଭରେ ପ୍ରତ୍ୟହ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି । 

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମେଳା କ୍ଷେତ୍ରରେ ୧ ଲକ୍ଷ ୫୦ ହଜାର ଶୌଚାଳୟ, ୪ ଲକ୍ଷରୁ ଅଧିକ ଡଷ୍ଟ୍‌ବିନ୍‌ ରହିଛି । ଏଗୁଡ଼ିକୁ ସଫା କରିବା ଲାଗି ସଫେଇ କର୍ମୀଙ୍କର ୮୦୦ ଟିମ୍‌ ଗଠନ ହୋଇଛି । ଗୋଟିଏ ଟିମ୍‌ରେ ୧୨ ଜଣ ଅଛନ୍ତି । ରାତିରେ ଏକ ତୃତୀୟାଂଶ କର୍ମଚାରୀ ଡ୍ୟୁଟି କରୁଛନ୍ତି । ରାତି ୮ଟାରୁ ଭୋର ୪ଟା ପର୍ଯ୍ୟନ୍ତ ଏହି ସିଫ୍ଟ ଚାଲୁଛି । ସଙ୍ଗମ, ଏରାବତ, ନାଗ ବାସୁକୀ ଓ ଅରୈଲ ଭଳି ଜନଗହଳି କ୍ଷେତ୍ରରେ ସଫେଇ ଏକ ବଡ଼ ଚାଲେଞ୍ଜ୍‌ । ସେଥିପାଇଁ ଏ ସ୍ଥାନମାନଙ୍କରେ ରାତିରେ ସଫେଇକର୍ମୀଙ୍କ ସଂଖ୍ୟା ବଢ଼ାଯାଇଛି । ସଫେଇ ଲାଗି ନଗର ନିଗମରୁ ୧୦୦-୧୫୦ ସଫେଇକର୍ମୀଙ୍କୁ ସାମିଲ କରାଯାଇଛି । ନଗର ବିକାଶ ବିଭାଗରୁ ମଧ୍ୟ ୬ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସଙ୍ଗମ ନୋଜ୍‌ରେ ମୁତୟନ କରାଯାଇଛି । ସମଗ୍ର ମେଳାକୁ ୨୫ ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ସେକ୍ଟରରେ କିଛି ସର୍କଲ ରହିଛି, ଯାହାକୁ ସମ୍ଭାଳୁଛନ୍ତି ସର୍କଲ ଇନ୍‌ଚାର୍ଜ ।

ସବୁଠୁ ଅଧିକ ଭିଡ଼ ମହାକୁମ୍ଭର ସଙ୍ଗମ ନୋଜ୍‌ । ଲୋକେ ସ୍ନାନ ପାଇଁ ଏଠାକୁ ଆସିଲେ, ପୋଷାକ ଓ ଅନ୍ୟ ସାମଗ୍ରୀ ସବୁକୁ ଦାନ ସ୍ୱରୂପ ଏଠାରେ ଛାଡ଼ି ଦିଅନ୍ତି । ତେଣୁ ଘାଟରେ ସଫେଇ ପାଇଁ କ୍ୱିକ୍‌ ରେସ୍‌ପନ୍ସ ଟିମ୍‌ ଗଠନ ହୋଇଛି । ଆବର୍ଜନା ହଟାଇବା ପାଇଁ ଅନେକ ମେସିନ୍‌ ପ୍ରୟୋଗ ହେଉଛି । ସମ୍ପୂର୍ଣ୍ଣ ରୂପେ ଜୈବବିଘଟନଯୋଗ୍ୟ ଲାଇନର ବ୍ୟାଗ୍‌ର ଉପଯୋଗ ହେଉଛି । ୧୫୦୦ ଗଙ୍ଗା ସେବା ଦୂତ ଏହି ମେଳାରେ ସ୍ୱେଚ୍ଛାସେବୀ ଭାବେ କାମ କରୁଛନ୍ତି । ଜଣେ ସଫେଇକର୍ମୀକୁ ୧୦ ବାଥ୍‌ରୁମ୍‌ ସଫା ଦାୟିତ୍ୱ ଦିଆଯାଇଛି । ଶୌଚାଳୟଗୁଡ଼ିକର ଆଇସିଟି ଆଧାରିତ ଯାଞ୍ଚ କରାଯାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.