ନୂଆଦିଲ୍ଲୀ,୨୯/୧୨: ଆଉ ଦୁଇ ଦିନ ପରେ ସରିଯିବ ୨୦୨୪ । ଚଳିତ ବର୍ଷ ଭାରତୀୟ ସେନା ପାଇଁ ସଫଳ ସାବ୍ୟସ୍ତ ହୋଇଛି । ୨୦୨୪ରେ ଭାରତୀୟ ସେନା ପକ୍ଷରୁ ବଡ ବଡ ଆତଙ୍କୀ ଦମନ ଅଭିଯାନ ହୋଇଥିଲା । ଏଥିରେ ଜମ୍ମୁ କାଶ୍ମୀରରେ କେବଳ ୭୫ ଆତଙ୍କୀ ନିପାତ ହୋଇଛନ୍ତି । ସେଥିରୁ ଅଧିକାଂଶ ପାକିସ୍ତାନୀ ଆତଙ୍କୀ ।
ବର୍ଷ ୨୦୨୪ ଜାନୁଆରୀରୁ ଡିସେମ୍ବର ୨୯ ଯାଏ ଏକ ରିପୋର୍ଟ ଆଧାରରେ ଜମ୍ମୁକାଶ୍ମୀର ସୁରକ୍ଷାବଳ ଆତଙ୍କୀ ବିରୋଧରେ ସଫଳ ଅପରେସନ କରିଥିଲେ । ମୋଟ ୭୫ ଆତଙ୍କୀ ନିପାତ କରିବାରେ ସଫଳ ହୋଇଥିଲେ । ଯେଉଁଥିରେ ୬୦ ପ୍ରତିଶତ ପାକିସ୍ତାନୀ ଆତଙ୍କୀ ହୋଇଥିବା ଜଣାପଡିଛି । ଏଲଓସି ଓ ଆଇବିରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୧୭ ଆତଙ୍କବାଦୀଙ୍କୁ ସଫା କରିଥିଲା ସୁରକ୍ଷାବଳ । କେବଳ ଜମ୍ମୁକାଶ୍ମୀର ଅଞ୍ଚଳରେ ଗୁଳି ବିନିମୟରେ ୨୬ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଚଳିତବର୍ଷ ଘାଟିରେ ବାରମୁଲ୍ଲା, ବାନ୍ଦିପୋରା, କୁପୱାଡା ଓ କୁଲଗାମ ଜିଲ୍ଲାରେ ବିଦେଶୀ ଆତଙ୍କୀ ନିପାତ କରିବାରେ ସଫଳ ହୋଇଥିଲା ଭାରତୀୟ ସେନା । ଜମ୍ମୁ କାଶ୍ମୀରର ୯ ଜିଲ୍ଲାରେ ବିଦେଶୀ ଆତଙ୍କବାଦୀଙ୍କ ଗତିବିଧି ନେଇ ଖବର ପାଇବା ପରେ ଅପରେସନ କରିଥିଲା ଭାରତୀୟ ସେନା । ତାଲିକାରେ ବାରମୁଲା ଆଗରେ ରହିଛି । ବାରମୁଲ୍ଲାରେ ୯ ଥର ସେନା ଓ ଆତଙ୍କବାତୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୧୪ ଆତଙ୍କୀ ନିପାତ ହୋଇଥିଲେ ।
ରିପୋର୍ଟ ଆଧାରରେ ଜମ୍ମୁକାଶ୍ମୀରରେ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ସଂଖ୍ୟା କମିଛି । କେବଳ ପାକିସ୍ତାନୀ ଆତଙ୍କୀ ସକ୍ରିୟ ଅଛନ୍ତି । ୨୦୨୪ରେ ସୀମାରେ ହୋଇଥିବା ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ହୋଇଥିବା ୬୦ଟି ଗୁଳିବିନିମୟରେ ୩୨ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ ୨୬ ଯବାନ ଶହୀତ ହୋଇଛନ୍ତି ।