ଭୁବନେଶ୍ୱର,୦୧/୦୧: ୨୦୨୫ ବର୍ଷରେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ଚାଲିବ ତ ? ସବୁଠି ଓଡ଼ିଆ ନାମଫଳକ, ଭାଷା ଅଧିନିୟମର କାର୍ଯ୍ୟକାରିତା ଓ ଏହାର ଖିଲାପୀଙ୍କୁ ଦଣ୍ଡବିଧାନ ଲାଗୁ ହେବ କି ? ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବ କି ? ନୂଆ ଓଡ଼ିଆ ଚଳଚ୍ଚିତ୍ର ନୀତି ପ୍ରଣୟନ ସାଙ୍ଗକୁ ନବୀକରଣ କଳିଙ୍ଗ ଷ୍ଟୁଡିଓର ଉଦ୍ଘାଟନ କେବେ ହେବ? ୨୦୨୫ରେ ଓଡ଼ିଶା ସରକାରଙ୍କ ଆଗରେ ଏସବୁ ରହିଛି ବଡ଼ ଆହ୍ୱାନ ।
ବଡ଼ କଥା ହେଲା ‘ଓଡ଼ିଆ ଅସ୍ମିତା’ ଓ ଏହାର ଠିକଣା କାର୍ଯ୍ୟକାରିତା । ଏଥି ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କଳା, ସ୍ଥାପତ୍ୟ, ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶକୁ ବି ଅଗ୍ରାଧିକାର ଦେବାକୁ ହେବ । ସମାନ୍ତରାଳ ଭାବେ ଜନଜାତି କଳା, ସଂସ୍କୃତିକୁ ବିଶ୍ୱବ୍ୟାପୀ କରାଇବାର ଅଛି ।ଏଥିପାଇଁ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ସରକାର ଦେଇଥିଲେ, ତାକୁ ପ୍ରତିଜ୍ଞାର ସହ ପୂରା କରିବାକୁ ହେବ । ତେବେ ଯାଇ ଏସବୁ କ୍ଷେତ୍ରରେ ସାମଗ୍ରିକ ବିକାଶକୁ ନେଇ ସରକାର ଯେଉଁ ଅସ୍ମିତାର ଚିତ୍ର ଆଙ୍କିଛନ୍ତି ତାହା ସଫଳ ହୋଇପାରିବ ବୋଲି ସଂସ୍କୃତିବିତ୍ କହିଛନ୍ତି ।
ବଡ଼ କଥା ହେଲା, ଏଥିପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି । ଶପଥ ନେବାର କିଛି ଘଣ୍ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ନିଷ୍ପତ୍ତି ସହ ୨୦୨୪-୨୫ ବର୍ଷ ବଜେଟ୍ରେ ଅର୍ଥ ବରାଦ କରିଛନ୍ତି । ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରଚାର, ପ୍ରସାର ପାଇଁ ୪୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ‘ଓଡ଼ିଆ ଅସ୍ମିତା’ କର୍ପସ ପାଣ୍ଠି ପାଇଁ ୨୦୦ କୋଟି, ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ପାଇଁ ୭୨ କୋଟି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜିଲ୍ଲା, ରାଜ୍ୟ ସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ପାଇଁ ୨୫ କୋଟି, ସ୍ମାରକୀ ଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷା ପାଇଁ ୧୫ କୋଟି ଏବଂ ରାଜ୍ୟ ସଂଗ୍ରହାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଏଥିସହ ଓଡ଼ିଆ ଅସ୍ମିତା ଭବନ ସ୍ଥାପନ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ବିଶ୍ୱସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ସ୍ଥାପନ, ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତୀକରଣ, ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପାଇଁ ପ୍ରୟାସ, କଳାକାରଙ୍କୁ ପ୍ରୋତ୍ସାହନ, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ, ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା, ଜିଲ୍ଲାସ୍ତରରେ ଇ-ଗ୍ରନ୍ଥାଳୟ ଏବଂ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ପାଇଁ ଅନେକ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦ କୋଟିର କର୍ପସ୍ ପାଣ୍ଠି ସହ ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏଥିସହ ବହୁ ପ୍ରତିକ୍ଷୀତ ବିଶ୍ୱସ୍ତରୀୟ ପ୍ରେକ୍ଷାଳୟ - କଳାମଣ୍ଡଳ ଆସନ୍ତା ମାର୍ଚ୍ଚରୁ ଏପ୍ରିଲ୍ ମାସ ମଧ୍ୟରେ ଉଦ୍ଘାଟନ ହେବାର ଯୋଜନା ରହିଛି ।
ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ରେ ସଂଶୋଧନ ଲାଗି ଦାବି ହେଉଥିଲା ବେଳେ ନୂଆ ଆଡ୍ଭେଞ୍ଚର୍ ଟୁରିଜିମ୍ ପଲିସି ପ୍ରଣୟନ ପାଇଁ ସରକାର ବିଚାର କରୁଛନ୍ତି । ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ଲାଗି ୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଏହାଛଡ଼ା ଓଡ଼ିଆ ସିନେମାର ପୂର୍ଣ୍ଣ ବିକାଶ ପାଇଁ ବି ସରକାର ଚିନ୍ତା କରୁଛନ୍ତି । ନୂଆ ଓଡ଼ିଆ ଚଳଚ୍ଚିତ୍ର ନୀତି ପ୍ରଣୟନ ସାଙ୍ଗକୁ ନବୀକରଣ କଳିଙ୍ଗ ଷ୍ଟୁଡିଓର ଉଦ୍ଘାଟନ ଏବଂ ରାଜ୍ୟର ପ୍ରତି ଜିଲ୍ଲାରେ ହଲ୍ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । କିନ୍ତୁ ଏହାକୁ କାର୍ଯ୍ୟକାରିତା ଉପରେ ସମସ୍ତଙ୍କ ନଜର ରହିବ । ଏତଦ୍ ବ୍ୟତୀତ ଓଡ଼ିଆ ଯାତ୍ରା ଅପେରାକୁ ନେଇ ଅନେକ ଘଟଣା ପରେ ସରକାର ଟାର୍ଗେଟ୍ ହୋଇଥିଲେ । ଏବେ ଏହା ଉପରେ କଟକଣା ଲଗାଇବାକୁ ଯାଇ ସରକାର ଯାତ୍ରା ପାଇଁ ମାର୍ଗଦର୍ଶିକା।