ଖଲ୍ଲିକୋଟ ,୧୩/୦୪-ମେରୁ ଯାତ୍ରାକୁ ଟାର୍ଗେଟ କରୁଛନ୍ତି ଲୁଟେରା। ଯାତ୍ରା ଗହଳିର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପି ନେଉଛନ୍ତି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଓ ପଥରା ଗ୍ରାମ ରେ ମାସନ୍ତ ମେରୁ ଯାତ୍ରାରେ ୪ ମହିଳାଙ୍କ ଠାରୁ ୭୦ ଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି। ମହିଳା ଭକ୍ତଙ୍କ ବେକରୁ ସୁନା ଚେନ , ଶୋରିସିଆ ମାଳି , ସୁନା ହାର ଓ ଅନ୍ୟ ସୁନା ସାମଗ୍ରୀ ଚୋରୀ କରିଥିବା ନେଇ ଥାନା ରେ ଅଭିଯୋଗ ହୋଇଛି।
ନଳିନାକ୍ଷପୁର ଗ୍ରାମର ମନୋରମା ରଣା ପଥରା ମେରୁ ଦେଖିବା ପାଇଁ ଆସିଥିଲେ। ମନ୍ଦିର ସମ୍ମୁଖରେ ଦଣ୍ଡ କାଳୀଙ୍କୁ ପ୍ରଣାମ କରୁଥିବା ବେଳେ ପାଖରେ ଛିଡା ହୋଇଥିବା ଅନ୍ୟ ଜଣେ ମହିଳା ମନୋରମା ଙ୍କ ବେକ ରୁ ସୁନା ସୋରିଷଆ ମାଳି ଛିଣ୍ଡାଇ ନେଇଥିଲା। ଏତିକି ବେଳେ ମନୋରମା ସେହି ମହିଳାଙ୍କ ହାତ କୁ ଧରି ପକାଇ ଥିଲେ। ତୁରନ୍ତ ଉକ୍ତ ମହିଳା ପାଖରେ ଛିଡା ହୋଇଥିବା ଆଉ ଜଣେ ମହିଳାଙ୍କୁ ସୁନା ଅଳଙ୍କାର ଦେଇ ଦେଇଥିଲା ଏବଂ ମନୋରମାଙ୍କ ଆଙ୍ଗୁଠିକୁ କାମୁଡି ଦେଇ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପାଟି ଶୁଣି ଲୋକମାନେ ଦୌଡ଼ି ଆସି ସମ୍ପୃକ୍ତ ମହିଳା କୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ଉକ୍ତ ମହିଳା ଙ୍କୁ ଥାନା କୁ ଆଣି ପଚରାଉଚୁରା କରୁଥିବା ଜଣାପଡ଼ିଛି।
ଆଉ ଜଣେ ମହିଳା ଭକ୍ତ ନୀଳାଦ୍ରି ପ୍ରଧାନଙ୍କୁ ମଧ୍ୟ ଉକ୍ତ ମହିଳା ଠେଲି ଦେଇଥିଲେ। ଗହଳି ଭିତରେ ନୀଳାଦ୍ରି ତଳେ ପଡିଯିବା ପରେ ତାଙ୍କ ବେକ ରୁ ସୁନା ଚେନ ଲୁଟି ନେଇଥିଲେ। ନୀଳାଦ୍ରି ଙ୍କ ୩୦ ଗ୍ରାମ ଓଜନ ର ସୁନା ଚେନ ଚୋରି ହୋଇଥିବା ବେଳେ ମନୋରମା ଙ୍କ ୧୫ ଗ୍ରାମ ଓଜନ ର ସୁନା ସୋରିସିଆ ମାଳି ଚୋରି ହୋଇଛି। ଦୁହେଁ ଖଲ୍ଲିକୋଟ ଥାନା ରେ ଏ ନେଇ ଅଭିଯୋଗ କରିଛନ୍ତି। ଏମାନଙ୍କ ବ୍ୟତୀତ ଆଉ ଦୁଇ ଜଣ ମହିଳା ଭକ୍ତ ଙ୍କ ମଧ୍ୟ ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ତେବେ ଗତ ବର୍ଷ ମଧ୍ୟ ଲଙ୍ଗଳେଶ୍ୱର ମେରୁ ଯାତ୍ରା ରେ ୩ ଜଣ ମହିଳା ଙ୍କ ଠାରୁ ସୁନା ଅଳଙ୍କାର ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷା ଲାଗି ପୁଲିସ କଡା ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ ହେଉଛି।