ଭୁବନେଶ୍ୱର, ୧୭/୦୨: ବଡକୁଡିଙ୍ଗ୍ ଛକ ନିକଟରେ ଏକ ପିକଅପ୍ ଗାଡ଼ିରୁ ୧୮ ଟି ଜରିବସ୍ତାରେ ଭର୍ତ୍ତି ଗଂଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଓଜନ ୪୧୬ କେଜି ହେବ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଗାଡ଼ିର ଡ୍ରାଇଭର ଏବଂ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି । ରାୟଗଡା ଜିଲ୍ଲା ଗୁଡାରି ଥାନା ବଡକୁଡିଙ୍ଗ୍ ଛକ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମତାବକ, ଏକ ପିକଅପ୍ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇ ଉକ୍ତ ଗାଡିର ପିଛା କରିଥିଲା ପୋଲିସ । ଏହା ଦେଖି ଗାଡି ଚାଳକ ଏବଂ ଗଞ୍ଜେଇ ମାଫିଆ ବଡକୁଡିଙ୍ଗି ଛକ ନିକଟରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା । ଏହି ଗାଡିରେ ଗଂଞ୍ଜେଇ ଭର୍ତ୍ତି ହୋଇ ଗୁଡାରିରୁ ଗୁମୁଡା ଅଭିମୁଖେ ଚାଲାଣ ହେଉଥିଲା । ଏହାପରେ ବାହାର ରାଜ୍ୟକୁ ଚାଲାଣ ହେବାର ଯୋଜନା ହୋଇଥାଇ ପାରେ ବୋଲି ଗୁଡାରି ପୋଲିସ ସନ୍ଦେହ କରୁଛି । ପୋଲିସ ଗାଡିକୁ ଜବତ କରିବା ସହ ସେଥିରେ ଥିବା ୧୮ ବସ୍ତା ଗଞ୍ଜେଇକୁ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଓଜନ ୪୧୬ କେଜି ରହିଥିବା ଜଣାପଡିଛି । ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ଗଞ୍ଜେଇର ଓଜନ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣର ଅଧିକା ତଦନ୍ତ ପୋଲିସ ଜାରି ରଖିଛି । ଏଥିରେ କିଙ୍ଗ୍ ପିନ୍ କିଏ, ଗାଡି ମାଲିକ କିଏ ଏବଂ ଚୋରାଚାଲାଣ ପଛରେ କେଉଁ ମାନେ ସଂମ୍ପୃକ୍ତି ରହିଛି ତାହାର ତଦନ୍ତ ଚଳାଇଛି ପୋଲିସ ।