ଏବେ ରଜ ନାହିଁ କି ଦଶହରା ନାହିଁ । ତଥାପି ଗୋଟିଏ ଦିନରେ ଅର୍ଥାତ୍ ଏପ୍ରିଲ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ତିନି ତିନିଟି ଓଡ଼ିଆ ଚଳଚ୍ଚିତ୍ର ‘ଆଜିର ରେବତୀ’, ‘ପାଦେ ଆକାଶ’ ଓ ‘ଡଷ୍ଟବିନ୍’ । ତେବେ ତିନିଟି ଫିଲ୍ମ ଗୋଟିଏ ଦିନରେ ପ୍ରେକ୍ଷାଳୟକୁ ଆସୁଥିଲେ ହେଁ ଦର୍ଶକ କାହାକୁ ଦେଖିବେ, କାହାକୁ ଦେଖିବେ ନାହିଁ ଭାବନାରେ ଛନ୍ଦି ହେବେ ନାହିଁ । କାରଣ ଏ ତିନି ଫିଲ୍ମର କଥାବସ୍ତୁ ପୂରାପୂରି ଭିନ୍ନ ।
ପାଦେ ଆକାଶ
‘ଶତ୍ରୁ କବଳରୁ ଦେଶମାତୃକାକୁ ରକ୍ଷା କରିବା ପାଇଁ ଜବାନ ଯେମିତି ଦେଶର ସୀମାରେଖାକୁ ଜଗି ବସିଥାଏ, ଜଣେ ଜଣେ ଦକ୍ଷ ଆଇଏଏସ୍ ଅଫିସର ସେମିତି ଦେଶର ଭାଗ୍ୟରେଖାକୁ ଜଗିଥାନ୍ତି । ସେମାନଙ୍କ ସଚ୍ଚୋଟତା ଓ ଦୂରଦୃଷ୍ଟି ଦେଶକୁ ଆଗକୁ ନିଏ ।’ ବାପାଙ୍କର ଏହି ପଦେ ଉପଦେଶ ଶ୍ରୁତିଙ୍କ ମନରେ ଜାଗ୍ରତ କରିଥିଲା ଆଇଏଏସ୍ ହେବାର ସ୍ୱପ୍ନ । ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ । ମାତ୍ର ଗୋଟିଏ ଦୁର୍ଘଟଣା ଭାଙ୍ଗି ଚୁର୍ମାର କରିଦେଲା ସବୁ ସ୍ୱପ୍ନ । ଅଚଳ ହୋଇଗଲା ଶ୍ରୁତିଙ୍କ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ । ଚାକିରି ଯିବାର ଦୁଃଖ, ଏଣେ ଆମ ସମାଜରେ ଭିନ୍ନକ୍ଷମଙ୍କ ପ୍ରତି ଲୋକଙ୍କ ଘୃଣା, ଅସହଯୋଗ, ହତାଦର ଓ ଲାଞ୍ଛନା । ଗୋଟିଏ ନୂଆ ଅନୁଭବ ଲାଭ କଲେ ଶ୍ରୁତି । ସଂକଳ୍ପ ନେଲେ, ଲୋକଙ୍କର ଏ ଦୃଷ୍ଟିଭଙ୍ଗୀ ବଦଳେଇବି । ବଦଳେଇଲେ ବି । ଶ୍ରୁତି ମହାପାତ୍ରଙ୍କର ଏ ସଂଘର୍ଷ, ସଫଳତାର ଯାତ୍ରାକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପ୍ରସ୍ତୁତ କରିଛି ଚଳଚ୍ଚିତ୍ର ‘ପାଦେ ଆକାଶ’ । ଫିଲ୍ମରେ ଶ୍ରୁତିଙ୍କ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଅର୍ଚ୍ଚିତା । ସୁଶାନ୍ତ ମଣି ଏ ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ବିପ୍ଳବ ସିଂ ଓ ଦେବୀଦତ୍ତ ମହାନ୍ତି । ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ପ୍ରେମ ଆନନ୍ଦ ଓ ଗୀତ ଲେଖିଛନ୍ତି ବିଜୟ ମଲ୍ଲ । ପ୍ରଯୋଜନା କରିଛନ୍ତି ଲିତିସା ମଙ୍ଗତ ପଣ୍ଡା ।
ଡଷ୍ଟବିନ୍
ପିକେ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଛି ‘ଡଷ୍ଟବିନ୍’ । କେ.କେ. ସାହୁଙ୍କ ପ୍ରଯୋଜନାରେ ନିର୍ମାଣାଧୀନ ଏ ସିନେମାର ମୁଖ୍ୟ ଚରିତ୍ରରେ ନଜର ଆସିବେ ପପୁ ପମ୍ପମ୍ ଓ ପ୍ରାଚୀ । ଫିଲ୍ମର କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ସହିତ ନିର୍ଦ୍ଦେଶନାର ଗୁରୁ ଦାୟିତ୍ୱ ତୁଲାଉଛନ୍ତି ପପୁ ପମ୍ପମ୍ । ଦୀପକ ଜେନା ସଂଳାପ ରଚନା କରିଥିବାବେଳେ ଗୀତ ଲେଖିଛନ୍ତି ଡ. ନିର୍ମଳ ନାୟକ ଓ ରଞ୍ଜନ ନାୟକ । କୁଲଦୀପ, ଅନ୍ତରା ଚକ୍ରବର୍ତ୍ତୀ, ଅନୁରାଗ ଦାସ, ଅନନ୍ୟା ଶ୍ରୀତମ ନନ୍ଦ ଓ ଦେବେଶ ପତି ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି । ପ୍ରଚାର ମୁଖ୍ୟ ରହିଛନ୍ତି ହରପ୍ରସାଦ ମହାପାତ୍ର । ପପୁ ଓ ପ୍ରାଚୀଙ୍କ ସହିତ ସୁକୁମାର ଟୁଡୁ, ଦୀପନ୍ୱିତ ଦାସ ମହାପାତ୍ର ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ଟୁକୁନା ଷ୍ଟାଇଲିସ୍ ଓ ମନୋଜ ସ୍ୱାଇଁ ‘ଡଷ୍ଟବିନ’ର ଅନ୍ୟାନ୍ୟ ଚରିତ୍ରରେ ନଜର ଆସିବେ । ପପୁଙ୍କ ସିନେମାରୁ ଦର୍ଶକ ଭରପୂର କମେଡି ଆଶା କରିଥାନ୍ତି । ସୁନ୍ଦର ସୁନ୍ଦର ଗୀତ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ଏସବୁ ‘ଡଷ୍ଟବିନ୍’ରେ ନିଶ୍ଚିତ ଅଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ତିନି ଫିଲ୍ମର ମୁଖ୍ୟ ଚରିତ୍ର ଶୀତଲ, ଅର୍ଚ୍ଚିତା ଓ ପପୁଙ୍କ ଭିତରେ ଜମିବ ଲଢ଼େଇ । ତେବେ ଏ ଲଢ଼େଇ ବେଶ୍ ବନ୍ଧୁତ୍ୱପୂର୍ଣ୍ଣ ଓ ଏହା ଓଡ଼ିଆ ସିନେପ୍ରେମୀଙ୍କୁ ଏକ ସୁଖଦ ଅନୁଭୂତି ଦେବ ବୋଲି ପ୍ରକାଶ କରିଛନ୍ତି ତିନି କଳାକାର ।
ଆଜିର ରେବତୀ
ରେବତୀ ଏକ ପ୍ରତୀକ । ଏକ ବିପ୍ଲବ । ଏକ ଆହ୍ୱାନ । ଭାଙ୍ଗି ଯାଉଥିବା ସଂସାରକୁ ଯୋଡ଼ିଦେବା ପାଇଁ, ଅସହାୟ ମୁହଁରେ ଟିକେ ହସ ଦେବା ପାଇଁ ସେ ଜୀବନକୁ ବାଜି ଲଗାଇଦିଏ । ଏ ରେବତୀ, ଫକୀରମାହନଙ୍କ ରେବତୀ ନୁହେଁ । ଆଜିର ରେବତୀ, ଯେ ଶିକ୍ଷାବିକାଶ, ସଂସ୍କୃତି -ପରମ୍ପରାର ସୁରକ୍ଷା ଓ ନାରୀ ଜାଗରଣ ପାଇଁ ସର୍ବସଂହାରୁ ପାଲଟିଯାଏ ଦୁର୍ଗା । ଝିଅମାନେ ନିଜ ରୁଚି ଅନୁସାରେ ପଢ଼ିବେ ଓ ନିଜକୁ ଗଢ଼ିବେ - ଏପରି ଏକ ଚିନ୍ତାଧାରା ପାଇଁ ସେ ଜିଲ୍ଲାରେ ହୁଏ ପୁରସ୍କୃତ । ଅସଜଡ଼ା ଘରକୁ ସଜାଡ଼ିଦିଏ । ସେ ବି ଭଲ ପାଇଛି । ଗୀତର ତାଳେ ତାଳେ ନାଚିଛି, ଗାଇଛି । ସେ ଆମ ଝିଅ ହେଉ, ବୋହୂ ହେଉ ବା ଆମ ପାଖରେ ମାଆ ଭାବେ ଠିଆ ହୋଇଯାଉ । ହଁ, ଏଭଳି ଏକ ଦମ୍ଦାର ଅର୍ଥାତ୍ ରେବତୀ ଚରିତ୍ର ନିର୍ବାହ କରିଛନ୍ତି ଶୀତଲ । ବଦ୍ରି ମିଶ୍ର ଏହାର କାହାଣୀ ଲେଖିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାସ । ପ୍ରଯୋଜନା କରିଛନ୍ତି ରମେଶ ବାରିକ । ପ୍ରଚାର ପ୍ରସାରରେ ଅଛନ୍ତି ପ୍ରଣୟ ଜେଠୀ । ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ପ୍ରେମ ଆନନ୍ଦ । ବନି ସେନଗୁପ୍ତା ଶୀତଲଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ । ଅନ୍ୟାନ୍ୟ ଚରିତ୍ରରେ ପୁଷ୍ପା ପଣ୍ଡା, ପୃଥ୍ୱୀରାଜ ନାୟକ, ସୁକାନ୍ତ ରଥ, ଉଷଶୀ ମିଶ୍ର, ରବି ମିଶ୍ର, ନୈନା ଦାସ ପ୍ରମୁଖ ଅଭିନୟ କରିଛନ୍ତି ।