ନୂଆଦିଲ୍ଲୀ,୧୪/୦୨: ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି ମାନିଥାନ୍ତି ଲୋକେ। କାରଣ ଡାକ୍ତରଙ୍କ କର୍ତ୍ତବ୍ୟ ହେଉଛି ମଣିଷକୁ ନୂଆଜୀବନ ଦେବା। କିନ୍ତୁ ଏହି ଲେଖାଟି ଏମିତି ଜଣେ ଡାକ୍ତରଙ୍କ କାହାଣୀ ଯିଏ ୧୭ ବର୍ଷ ପୂର୍ବେ ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ରଚିଥିଲା। ତାର ମନ୍ଦ ଷଡ଼ଯନ୍ତ୍ର ଯୋଗୁଁ, ମୁମ୍ବାଇରେ ଚାଲିଯାଇଥିଲା ୧୬୭ ଜଣ ଲୋକଙ୍କ ଜୀବନ। ଏବେ ସେହି ଡାକ୍ତରଙ୍କ ଅପରାଧର ହିସାବ ନେବାର ସମୟ ଆସିଛି। ଭାରତର କୌଣସି ଏକ ଜେଲ ତାର ମୃତ୍ୟୁ ପାଇଁ ଫାଶୀଫନ୍ଦା ପ୍ରସ୍ତୁତ କରି ରଖିଛି। କାରଣ ଏହି ଡାକ୍ତରର ଭାରତ ପ୍ରତ୍ୟର୍ପଣର ବାଟ ପରିଷ୍କାର ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହବୁରକୁ ଭାରତକୁ ହସ୍ତାନ୍ତର କରିବାକୁ ମଞ୍ଜୁରୀ ଦେଇଛନ୍ତି।
ତେହବୁର ରାଣା... ଯିଏ ଥରେ ପାକିସ୍ତାନ ସେନାରେ ଡାକ୍ତର ଥିଲା ଏବଂ ୨୬ ନଭେମ୍ବର ୨୦୦୮ର ମୁମ୍ବାଇ ଆକ୍ରମଣରେ ଏହାର ବିଧିବଦ୍ଧ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ଏକ ଏପରି ଆକ୍ରମଣ ଯାହାକୁ ଭାରତ କେବେ ଭୁଲିପାରିବ ନାହିଁ। ୨୬ ନଭେମ୍ବର ରାତିରୁ ୨୯ ନଭେମ୍ବର ସକାଳ ପର୍ଯ୍ୟନ୍ତ, ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ଚାଲିଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ମୁମ୍ବାଇ ଆସିଥିବା ଦଶ ଜଣ ଆତଙ୍କବାଦୀ ସହରର ମୁଖ୍ୟ ରେଳ ଷ୍ଟେସନ, ପଞ୍ଚତାରକା ହୋଟେଲ, ହସ୍ପିଟାଲ ଏବଂ ୟିହୁଦୀ ସାଂସ୍କୃତିକ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ସେହି ଦଶ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ କେବଳ ଜଣେ, ଅଜମଲ କସାବକୁ ଜୀବିତ ଧରାଯାଇପାରିବା ବେଳେ ବାକି ନଅ ଜଣ ପୁଲିସ ଏନକାଉଣ୍ଟରରେ ମରିଥିଲେ।
ଜୀବିତ ଭାବେ ଧରାଯାଇଥିବା ଅଜମଲ୍ କସାବକୁ ୨୦୧୨ରେ ଫାଶୀ ଦିଆଯାଇଥିଲା। ସେହି ଆକ୍ରମଣର ପ୍ରାୟ ଗୋଟିଏ ବର୍ଷ ପରେ, ସମଗ୍ର ଷଡ଼ଯନ୍ତ୍ରରେ ସାମିଲ ଥିବା ଆଉ ଦୁଇଜଣଙ୍କ ନାଁ ସାମ୍ନାକୁ ଆସିଲା। ଏମାନେ ହେଲେ ପାକିସ୍ତାନୀ ବଂଶୋଦ୍ଭବ ଆମେରିକୀୟ ନାଗରିକ ଡେଭିଡ୍ ହେଡଲି ଏବଂ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ୍ ତେହବୁର ରାଣା। ଉଭୟଙ୍କୁ ଆମେରିକୀୟ ଏଜେନ୍ସି ଏଫବିଆଇ ଚିକାଗୋରୁ ଗିରଫ କରିଥିଲା। ଅବଶ୍ୟ ଏହି ଗିରଫଦାରୀ ଅନ୍ୟ ଏକ ମାମଲାରେ କରାଯାଇଥିଲା। ଅଭିଯୋଗ ଥିଲା ଯେ ସେମାନେ ପେଗମ୍ବରଙ୍କ ଫଟୋ ଛାପୁଥିବା ଏକ ଡେନମାର୍କ ଖବରକାଗଜ ଉପରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର କରୁଥିଲେ।
ହେଡଲିକୁ କଠୋର ପଚରାଉଚରା କରିବା ପରେ, ମୁମ୍ବାଇ ଆକ୍ରମଣରେ ତାର ଭୂମିକା ସେ କହିଥିଲା। ସେ କହିଥିଲା କରିଥିଲେ ଯେ, ସେ ନିଜେ ଆକ୍ରମଣ ହୋଇଥିବା ସ୍ଥାନଗୁଡ଼ିକୁ ଦେଖିବା ପାଇଁ ପାଞ୍ଚଥର ଆମେରିକାରୁ ଭାରତ ଆସିଥିଲା। ସେ ଏହା ମଧ୍ୟ କହିଥିଲା ଯେ, ଏହି ଆକ୍ରମଣ ଲସ୍କର-ଏ-ତୈବା ଦ୍ୱାରା ଯୋଜନା କରାଯାଇଥିଲା। ମୁମ୍ବାଇରେ ନିଜର ପରିଚୟ ଲୁଚାଇବା ପାଇଁ, ହେଡଲି ତାଡଦେବ ଅଞ୍ଚଳରେ "ଫାଷ୍ଟ ୱାର୍ଲ୍ଡ ଇମିଗ୍ରେସନ ସର୍ଭିସେସ୍" ନାମକ ଏକ ଇମିଗ୍ରେସନ କମ୍ପାନୀର କାର୍ଯ୍ୟାଳୟ ଖୋଲିଥିଲା। ଏହି କମ୍ପାନୀର ମାଲିକ ଥିଲେ ତେହବୁର ରାଣା, ଏବଂ ଏହାର ସାରା ବିଶ୍ୱରେ ଶାଖା ଥିଲା।
୧୯୬୧ ମସିହାରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ତେହବୁର ରାଣା ସେନାରେ ଜଣେ ଡାକ୍ତର ଥିଲା ଏବଂ ତାର କ୍ୟାପଟେନ୍ ପଦବୀ ଥିଲା। ୧୯୯୭ ମସିହାରେ ସେ ସେନା ଛାଡି ତାର ଡାକ୍ତର ପତ୍ନୀଙ୍କ ସହିତ କାନାଡାରେ ବସତି ସ୍ଥାପନ କରିଥିଲା। ସେ ୨୦୦୧ ମସିହାରେ କାନାଡାର ନାଗରିକତା ପାଇଥିଲା। ତଥାପି, ସେ ଚିକାଗୋରେ ରହୁଥିଲା ଏବଂ ସେଠାରୁ ତାର ଇମିଗ୍ରେସନ କମ୍ପାନୀ ଚଲାଉଥିଲା।
ଚିକାଗୋରେ, ସେ ତାଙ୍କର ପୁରୁଣା ବନ୍ଧୁ ଡେଭିଡ୍ ହେଡଲିକୁ ଭେଟିଥିଲା, ଯିଏକି ପାକିସ୍ତାନର ଲସ୍କର-ଏ-ତୈବା ଶିବିରରେ ତାଲିମ ପାଇଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ମେଜର ଇକବାଲ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରରେ ଉଭୟଙ୍କୁ ସାମିଲ କରିଥିଲେ। ସ୍ଥାନଗୁଡ଼ିକ ଉପରେ ନଜର ରଖିବାକୁ ରାଣା ନିଜେ ତାର ପତ୍ନୀଙ୍କ ସହ ଥରେ ମୁମ୍ବାଇ ଆସିଥିଲା ଏବଂ ସେହି ତାଜମହଲ ହୋଟେଲରେ ରହିଥିଲା, ଯାହାକି ପରେ ଆକ୍ରମଣର ଶିକାର ହୋଇଥିଲା।
ଆମେରିକାରେ ହେଡ୍ଲି ଦେଇଥିଲା ରାଣାର ସୂଚନା:
ଆମେରିକାରେ ଧରାପଡ଼ିବା ପରେ, ହେଡଲି ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ରରେ ତାର ଏବଂ ରାଣାର ଭୂମିକା ବିଷୟରେ ତଦନ୍ତକାରୀ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଇଥିଲା। ଆମେରିକାର କୋର୍ଟ ହେଡଲିକୁ ୩୫ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ, କିନ୍ତୁ ମୁମ୍ବାଇ ଆକ୍ରମଣ ମାମଲାରେ ରାଣାକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତଥାପି, ଡେନମାର୍କରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ତାକୁ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା। ଏହାରି ଭିତରେ ଭାରତ ଆଉ ଜଣେ ୨୬/୧୧ ଆକ୍ରମଣ ଅଭିଯୁକ୍ତ ଜାବିଉଦ୍ଦିନ୍ ଅନସାରି ଓରଫ ଆବୁ ଜୁନ୍ଦଲକୁ ଗିରଫ କରିଛି। ମୁମ୍ବାଇ ପୋଲିସ ହେଡଲିକୁ କୋର୍ଟରୁ କ୍ଷମା କରାଇ ତାକୁ ସରକାରୀ ସାକ୍ଷୀ କରିଥିଲା। ଭିଡିଓ କଲ୍ ମାଧ୍ୟମରେ ହେଡଲି କୋର୍ଟରେ ଆକ୍ରମଣର ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କରିଥିଲା ଏବଂ ରାଣାର ଭୂମିକା ବିଷୟରେ ମଧ୍ୟ କହିଥିଲା।
ଆମେରିକାରୁ ରାଣାକୁ ପ୍ରତ୍ୟର୍ପଣ ପାଇଁ ଭାରତର ଦାବି:
ହେଡଲିର ବୟାନ ପରେ, ଭାରତ ସରକାର ଆମେରିକା ଠାରୁ ରାଣାର ପ୍ରତ୍ୟର୍ପଣ ଦାବି କରିଥିଲେ। ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଆମେରିକା ତେହବୁରକୁ ଭାରତ ପଠାଇବାକୁ ପ୍ରସ୍ତୁତ ଥିଲା, କିନ୍ତୁ ରାଣା ସ୍ଥାନୀୟ କୋର୍ଟରେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା। ସେ କହିଥିଲା ଯେ ତାକୁ ଏହି ମାମଲାରେ ଫସାଇ ଦିଆଯାଉଛି ଏବଂ ଭାରତ ପାଖରେ ତା ବିରୁଦ୍ଧରେ କୌଣସି ଠୋସ୍ ପ୍ରମାଣ ନାହିଁ।
ତଥାପି, କୋର୍ଟ ରାଣାର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ତାକୁ ଭାରତ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଣା ଏହି ନିଷ୍ପତ୍ତିକୁ ଉଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲା, କିନ୍ତୁ ଜାନୁଆରୀ ୧ ତାରିଖରେ ତାର ଆବେଦନ ଖାରଜ ହୋଇଯାଇଥିଲା। ଏବେ ରାଣାକୁ ଭାରତ ଆଣିବାର ବାଟ ସହଜ ହୋଇଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ ତେହୱୁରକୁ ଭାରତକୁ ହସ୍ତାନ୍ତର କରିବେ। ତାକୁ ଭାରତରେ ନ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିବ। ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି।
ତେହବୁରକୁ ଭାରତ ପଠାଇବାକୁ ପ୍ରସ୍ତୁତ ଆମେରିକା:
୨୬/୧୧ ମୁମ୍ବାଇ ଆକ୍ରମଣ ଦୋଷୀ ତେହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଅନୁମୋଦନକୁ ଦୁଇ ଦେଶ ମଧ୍ୟରେ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ବର୍ତ୍ତମାନ ସମୟରେ ସୀମାପାର ଆତଙ୍କବାଦ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ସେ କହିଥିଲେ ଯେ ଆମେ ଆତଙ୍କବାଦ ବିରୋଧରେ ଲଢ଼ିବାରେ ସହଯୋଗ କରିବୁ। ତଥାପି, ଆମେରିକାରେ ତାଙ୍କ ପାଖରେ ଏବେ ବି କିଛି ଆଇନଗତ ବିକଳ୍ପ ଉପଲବ୍ଧ ଅଛି। ଯଦି ଭାରତରେ ତାଙ୍କର ବିଚାର ହୁଏ ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଏ, ତେବେ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ଅପେକ୍ଷା ଅଧିକ ଉପଯୁକ୍ତ ଦଣ୍ଡ ଆଉ କିଛି ହେବ ନାହିଁ।