ଭୁବନେଶ୍ୱର,୨୪/୦୪: ରାଜ୍ୟରେ ଗଠନ ହେବ ୨୦ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) । ଏନ୍ଏସି ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଜିଲ୍ଲାରୁ ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଲା ପରେ ଗଠନ ହେବ ନୂଆ ଏନ୍ଏସି । ଏ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ।
ଡା. ମହାପାତ୍ରଙ୍କ ସୂଚନା ଅନୁସାରେ, ପୂର୍ବରୁ ନୂଆ ଏନଏସି ଗଠନ ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ପଠାଇବାକୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲା ଗୃହ ଓ ନଗର ଉନ୍ନୟନ ବିଭାଗ । ବର୍ତ୍ତମାନ ସୁଦ୍ଧା ୨୦ ଏନଏସି ପାଇଁ ରିପୋର୍ଟ ପହଞ୍ଚିଛି । ରାଜ୍ୟରେ ୧୭ ପ୍ରତିଶତ ସହରାଞ୍ଚଳ ରହିଛି । ଏହାକୁ ୩୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଯୋଜନା କରିଛନ୍ତି ସରକାର । ସେହି ଅନୁସାରେ ନୂଆ ଏନଏସି, ମ୍ୟୁନିସିପାଲିଟି ଗଠନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ଗତ ନିର୍ବାଚନ ପୂର୍ବରୁ ରାଜ୍ୟରେ ୫୭ ନୂଆ ଏନଏସି ଗଠନ ସହ ୬ ଏନଏସିକୁ ପୌରପାଳିକା (ମ୍ୟୁନିସିପାଲିଟି)କୁ ଉନ୍ନୀତ କରିବା ପାଇଁ ବିଜେଡି ସରକାର ଘୋଷଣା କରିଥିଲା । ବିଜେପି ସରକାର ଆସିବା ପରେ ନୂଆ ଏନଏସି ପାଇଁ ପ୍ରସ୍ତାବ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ବହୁବାର ଚିଠି ଲେଖିଥିଲା ନଗର ଉନ୍ନୟନ ବିଭାଗ । ଏବେ ସରକାର ଏ ଦିଗରେ ଆଉ ପାଦେ ଆଗକୁ ଯାଇଛନ୍ତି । ସହରୀକରଣରେ ଓଡ଼ିଶା ଦେଶରେ ପଛୁଆ ରାଜ୍ୟ ଭାବେ ରହିଛି । ଜାତୀୟସ୍ତରରେ ସହରୀକରଣ ୩୬% ଥିବା ବେଳେ ଓଡ଼ିଶାରେ ମାତ୍ର ୧୭% ରହିଛି । ଏପରିକି ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ୨୫% ସହରୀକରଣ ହୋଇଥିବା ବେଳେ ଛତିଶଗଡ଼ରେ ୨୩%, ଗୁଜୁରାଟରେ ୪୨%, କେରଳରେ ୪୭% ଓ ତେଲେଙ୍ଗାନାରେ ୪୮% ରହିଛି ।