ନୂଆଦିଲ୍ଲୀ ୧୧/୦୨: ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଲାଗୁ ହେବା ପରଠୁ ଏଥି ସହ ଜଡ଼ିତ ଠକେଇ ମାମଲା ବଢ଼ି ଚାଲିଛି । ୨୦୨୪ ଏପ୍ରିଲଡିସେମ୍ବର ଅବଧିରେ ସାରା ଦେଶରେ ୧.୮୮ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଠକେଇର ପର୍ଦାଫାଶ କରିଛନ୍ତି କେନ୍ଦ୍ରୀୟ ଜିଏସ୍ଟି ଅଧିକାରୀ । ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ଚୌଧୁରୀ କହିଛନ୍ତି, ଏହି ଅବଧିରେ ୭୨,୩୯୩ ଇନ୍ପୁଟ ଟାକ୍ସ କ୍ରେଡିଟ (ଆଇଟିସି) ଠକେଇ ମାମଲା ସାମ୍ନାକୁ ଆସିଛି । ୧୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦,୨୧୮ କୋଟି ଟଙ୍କା ଆଦାୟ କରାଯାଇଛି । ଆର୍ôଥକ ବର୍ଷ ୨୦୨୩-୨୪ ଅବଧିରେ କେନ୍ଦ୍ରୀୟ ଜିଏସ୍ଟି ଅଧିକାରୀମାନେ ୨୦,୫୮୨ ମାମଲାରେ ୨.୩୦ ଲକ୍ଷ କୋଟିର ଜିଏସ୍ଟି ଠକେଇ ଠାବ କରିଥିଲେ ।
ଏହି ମାମଲା ଗୁଡ଼ିକରେ ୩୧,୭୩୫ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ୨୨୩ ଲୋକଙ୍କୁ ଗିରଫ କରାଯାଇଥିଲା । ୨୦୨୧-୨୨ ଏବଂ ୨୦୨୨-୨୩ ଅବଧିରେ ଏହି ଠକେଇ ପରିମାଣ ଯଥାକ୍ରମେ ୭୩,୨୩୮ କୋଟି ଏବଂ ୧.୩୨ ଲକ୍ଷ କୋଟି ଟଙ୍କା ରହିଥିଲା । ଜିଏସ୍ଟି ବ୍ୟବସ୍ଥାରେ ୪ଟି ପ୍ରମୁଖ ସ୍ଲାବ ଯଥା-୫%,୧୨%,୧୮% ଏବଂ ୨୮% ଭାବେ ଟିକସ ଆଦାୟ କରାଯାଉଛି । ସୁନା, ରୁପା, ହୀରା ଏବଂ ଗହଣା କ୍ଷେତ୍ରରେ ୩ଟି ସ୍ୱତନ୍ତ୍ର ହାର ୩%, ୧.୫% ଏବଂ ୦.୨୫% ଲାଗୁ ହେଉଛି । ତମାଖୁ, ତମାଖୁ ଜାତୀୟ ଉତ୍ପାଦ, ଗାଡ଼ି ଏବଂ ମୃଦୁ ପାନୀୟ ଉପରେ ଜିଏସ୍ଟି କ୍ଷତିପୂରଣ ସେସ୍ ଲାଗୁ କରାଯାଉଛି ।
ଜିଏସ୍ଟିର ଜାଲ୍ ପଞ୍ଜୀକରଣ ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଅଧିକାରୀ ମାନେ ୨୦୨୩ ମେରୁ ଅଗଷ୍ଟ ଏବଂ ୨୦୨୪ ଅଗଷ୍ଟରୁ ଅକ୍ଟୋବର ଯାଏ ସ୍ୱତନ୍ତ୍ର ଅଭିଯାନ ହାତକୁ ନେଇଥିଲେ । ପ୍ରଥମ ଅଭିଯାନରେ ୨୧,୮୦୮ ଜାଲ୍ ଜିଏସ୍ଟିଏନ୍ ଏବଂ ୨୪,୩୫୭ କୋଟିର ଟିକସ ଠକେଇ ଠାବ କରିବାକୁ ସକ୍ଷମ ହୋଇଥିଲେ ଅଧିକାରୀ । ଏହି ସମୟରେ ୮ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୬୮,୩୯୩ ଜାଲ୍ ଜିଏସ୍ଟିଏନ୍ ଏବଂ ୨୫,୩୪୬ କୋଟିର ଠକେଇ ସାମ୍ନାକୁ ଆସିଥିଲା । ଏଥିରେ ୧୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଜିଏସ୍ଟି ଠକେଇ ଠାବ କରିବା ଲାଗି ଟିକସ ଅଧିକାରୀ ମାନେ ବିଶେଷ କରି ବିକ୍ରିକୁ କମ୍ କରି ଦେଖାଇବା, ଜାଲ୍ ଇନ୍ଭଏସ ପ୍ରଦାନ ଏବଂ ଜାଲ୍ ଇନ୍ପୁଟ ଟିକସ କ୍ରେଡିଟ ଭଳି ପ୍ରମୁଖ ଦିଗ ଗୁଡିକୁ ଦେଖିଥାନ୍ତି ।
କେନ୍ଦ୍ର ସରକାରଙ୍କ ରାଜସ୍ୱର ପ୍ରମୁଖ ଭାଗ ପରୋକ୍ଷ ଟିକସ ବା ଜିଏସ୍ଟିରୁ ଆସିଥାଏ । ଏଭଳି ଠକେଇ ମାମଲା ବଢ଼ିଲେ ରାଜକୋଷ ଉପରେ ଚାପ ପଡିବାର ଢ଼େର ଆଶଙ୍କା ରହିଛି । ଏହା ଉପରେ ରୋକ ଲଗାଇବା ଲାଗି ସରକାର ତତ୍ପରତା ଦେଖାଉଛନ୍ତି । କାରଣ ଟିକସ ହ୍ରାସ ହେଲେ ଜନକଲ୍ୟାଣକାରୀ ଯୋଜନା ବାବଦ ଖର୍ଚ୍ଚ ମଧ୍ୟ ପ୍ରଭାବିତ ହେବ । ଏହା ସହ ଦେଶର ବିତ୍ତୀୟ ସ୍ଥିରତା ଉପରେ ମଧ୍ୟ ଚାପ ରହିବ । ଏହି ମାମଲା ଗୁଡିକର ତଦନ୍ତ କରି ଟିକସ ଦାବିକୁ ଅସୁଲ କରିବାକୁ ଅଭିଯାନ ଜୋରଦାର କରାଯାଉଛି । ଜିଏସ୍ଟି ଫାଙ୍କୁଥିବା ସଂସ୍ଥାଗୁଡିକ ଅନୁପାଳନ କରୁଥିବା ସଂସ୍ଥା ତୁଳନାରେ ଅନୈତିକ ଉପାୟରେ ଲାଭ ହାସଲ କରିଥାନ୍ତି । ଏ କ୍ଷେତ୍ରରେ ତଦନ୍ତ ହେବା ଦ୍ୱାରା ବେଆଇନ ସଂସ୍ଥା ଗୁଡିକ ଉପରେ ସରକାର ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥାନ୍ତି । ତେବେ ଠକେଇ ମାମଲା ଗୁଡିକୁ ସାମ୍ନାକୁ ଆଣିବା ଲାଗି ସରକାର ଏବେ ଟେକ୍ନୋଲୋଜି ବ୍ୟବହାରକୁ ତ୍ୱରାନ୍ୱିତ କରିଛନ୍ତି । ଜିଏସ୍ଟି ରିଟର୍ଣ୍ଣ, ଇୱେ ବିଲ୍, ବ୍ୟାଙ୍କ ନେଣଦେଣ ତଥ୍ୟ ଆଧାରରେ ସନ୍ଦିଗ୍ଧ କାର୍ଯ୍ୟକଳାପକୁ ଠାବ କରାଯାଉଛି ।
ଯଦି କୌଣସି ବ୍ୟକ୍ତି ବିଶେଷ ଠିକସ ଫାଙ୍କିଥିବା ଅଧିକାରୀ ମାନେ ଜାଣିବାକୁ ପାନ୍ତି ତାଙ୍କ ବିରୋଧରେ ଜରିମାନା, ସୁଧ ଏବଂ ଜେଲ ଦଣ୍ଡ ରହିଛି । ଜିଏସ୍ ଟି ଆଇନରେ ଅନୁପାଳନକୁ ଦୃଢ଼ କରିବା ଏବଂ ଟିକସ ଫାଙ୍କି ଉପରେ ରୋକ ଲଗାଇବା ଲାଗି ବିଭିନ୍ନ ନିୟମ ରହିଛି । ତେବେ କମ୍ପାନି ଗୁଡିକ ଟିକସ ଫାଙ୍କିବା ଲାଗି ଜାଲ୍ ସଂସ୍ଥାଙ୍କ ସହ କାରବାର ସହ କମ୍ କାରବାର ମଧ୍ୟ ଦେଖାଇଥାନ୍ତି । ଟିକସ ପ୍ରଦାନ ନ କରିବା ଏବଂ ଧାର୍ଯ୍ୟ ଟିକସ ତୁଳନାରେ ଅପେକ୍ଷାକୃତ କମ୍ ଟିକସ ଦେବା ମଧ୍ୟ ଟିକସ ଫାଙ୍କି ପରିସରଭୁକ୍ତ ହୋଇଥାଏ । ୨୦୧୭ରେ ଜିଏସ୍ଟି ଲାଗୁ ହେବା ପରଠାରୁ ଏ କ୍ଷେତ୍ରରେ ଟିକସ ଫାଙ୍କି ଲଗାତାର ବଢ଼ି ଚାଲିଛି । ୨୦୧୭- ୧୮ରେ ଏହା ୭୮୭୯ କୋଟି ଥିବା ବେଳେ ୨୦୧୮-୧୯ରେ ୧୯,୩୧୯ କୋଟି, ୨୦୧୯- ୨୦ରେ ୨୧,୭୩୯ କୋଟି, ୨୦୨୦-୨୧ରେ ୫୦,୩୨୫ କୋଟି କୋଟି ଟଙ୍କା ରହିଥିଲା ।