ଜୟପୁର,୨୬ା୩(ବ୍ୟୁରୋ): ସରକାରଙ୍କ ମାନଦଣ୍ଡ ପୂରଣ କରୁଥିବା ଗରିବ ପରିବାରକୁ ମିଳିବ ପକ୍କାଘର । ଏଥିଲାଗି ବ୍ଲକ ପ୍ରଶାସନ ପକ୍ଷରୁ ନିଯୁକ୍ତ କର୍ମଚାରୀ ସର୍ଭେ କରୁଛନ୍ତି । ଏ ଭିତରେ ୧୧ ହଜାର ୯୫୯ ହିତାଧିକାରୀଙ୍କ ସର୍ଭେ କରାଯାଇଛି । ଆସନ୍ତା ୩୧ ତାରିଖ ସୁଦ୍ଧା ସର୍ଭେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଆଗକୁ ଏହିସଂଖ୍ୟା ବଢିବ ବୋଲି ଆକଳନ କରାଯାଉଛି । ଆବାସ ଯୋଜନାରେ ସାମିଲ ଲାଗି ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ସର୍ଭେ ଜାରି ରହିଛି । ହିତାଧିକାରୀ ରହୁଥିବା ଘର ଏବଂ ଆବାସ ନିର୍ମାଣ ଲାଗି ଚିହ୍ନଟ ହୋଇଥିବା ଜାଗାର ଫଟୋ ଉଠାଯାଉଛି । ସଂଗ୍ରହ ହୋଇଥିବା ତଥ୍ୟ ଆପ୍ରେ ଅପଲୋଡ କରାଯାଉଛି । ବ୍ଲକର କର୍ମଚାରୀମାନେ ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଯାଇ ସର୍ଭେ କରୁଛନ୍ତି । ହିତାଧିକାରୀ ଚାହିଁଲେ ନିଜେ ମଧ୍ୟ ସର୍ଭେ କରି ସ୍ୱତନ୍ତ୍ର ଆପ୍ରେ ତଥ୍ୟ ଅପ୍ଲୋଡ କରିପାରୁଛନ୍ତି । ପ୍ରଥମ ଥର ଲାଗି ଏଭଳି ବ୍ୟବସ୍ଥା କରାଯାଇଛି । ଗତ ଜାନୁଆରୀ ୨୩ରୁ ଜୟପୁର ବ୍ଲକରେ ସର୍ଭେ ଆରମ୍ଭ ହୋଇଛି । ଏ ଭିତରେ ୧୨୭ ଜଣ ହିତାଧିକାରୀ ବ୍ୟକ୍ତିଗତ ଭାବେ ସର୍ଭେ କରିଛନ୍ତି । ୧୧ ହଜାର ୮୩୨ ହିତାଧିକାରୀଙ୍କ ସର୍ଭେ କରିଛନ୍ତି ବ୍ଲକ କର୍ମଚାରୀ ।
ଜୟନ୍ତିଗିରି ପଞ୍ଚାୟତରେ ସର୍ବାଧିକ ୮୩୪ ଜଣ ଏବଂ ଡଙ୍ଗରଛିଞ୍ଚି ପଞ୍ଚାୟତରେ ସର୍ବନିମ୍ନ ୩୬୮ ଜଣ ହିତାଧିକାରୀଙ୍କ ସର୍ଭେ ହୋଇଛି । ଆମ୍ବାଗୁଡା ପଞ୍ଚାୟତରେ ୪୭୪ ହିତାଧିକାରୀଙ୍କ ସର୍ଭେ ହୋଇଥିବା ବେଳେ ଅନ୍ତାରେ ୭୦୪, ବଡଜିଉନାରେ ୩୯୯, ବାଲିଆରେ ୮୦୪, ବାରିଣୀପୁଟରେ ୪୭୭, ଧନପୁରରେ ୩୭୫, ଡଙ୍ଗରଛିଞ୍ଚିରେ ୩୬୮, ଏକମ୍ବାରେ ୫୭୨, ଗଡପଦରରେ ୪୫୦, ହାଡିଆରେ ୫୭୩, ଜାମୁଣ୍ଡାରେ ୪୩୫, ଜୟନ୍ତିଗିରିରେ ୮୩୪, କାଳିଆଗାଁରେ ୫୫୭, କେବିଡିରେ ୪୬୯, କଙ୍ଗାରେ ୪୬୯, କୁମୁଲିପୁଟରେ ୬୩୪, ଫାମ୍ପୁଣିରେ ୮୧୧, ପୂଜାରୀପୁଟରେ ୫୦୨, ରଣ୍ଡାପାଲ୍ଲୀରେ ୫୮୨, ରାଣୀଗଡରେ ୪୫୮, ଟାଙ୍କୁଆରେ ୪୨୪ ଏବଂ ଉମୁରୀ ପଞ୍ଚାୟତରେ ୪୭୪ ଜଣ ହିତାଧିକାରୀଙ୍କ ସର୍ଭେ ସରିଛି । ସୂଚନାଥାଉକି, ସର୍ଭେ ପରେ ଆସନ୍ତା ୫ବର୍ଷ ଲାଗି ଆବାସ ଯୋଜନାରେ ସାମିଲ ହେବାକୁ ଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ସରକାରଙ୍କ ମାନଦଣ୍ଡ ପୂରଣ କରୁଥିବା ହିତାଧିକାରୀଙ୍କୁ ଏଥିରେ ସାମିଲ କରିବା ପୂର୍ବରୁ ସର୍ଭେ କରିବାକୁ କୁହାଯାଇଛି । ଆସନ୍ତା ୩୧ ତାରିଖ ସୁଦ୍ଧା ସର୍ଭେ ଶେଷ ଲାଗି ନିର୍ଦ୍ଦେଶ ରହିଛି । ଆଗକୁ ଏହି ଅବଧି ବଢିପାରେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।