ପ୍ରୟାଗରାଜ ୧୧/୦୨: ଆସ୍ଥା ଓ ଭକ୍ତିର ମହାକୁମ୍ଭରେ ଏ ଥର ୧୧ ଜଣ ମହିଳା ମାତୃତ୍ୱ ଲାଭ କରିଛନ୍ତି । ଏହି ସୌଭାଗ୍ୟ ସେମାନଙ୍କ ମହାକୁମ୍ଭ ଯାତ୍ରାକୁ ଆହୁରି ସ୍ୱତନ୍ତ୍ର କରିଛି । ମାତୃତ୍ୱ ଲାଭ କରିଥିବା ଏ ସମସ୍ତ ମହିଳାଙ୍କ ପ୍ରସବ ମହାକୁମ୍ଭ ମେଳା କ୍ଷେତ୍ର ଭିତରେ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ହୋଇଛି । ଏହି ହସ୍ପିଟାଲ କୁମ୍ଭମେଳା କ୍ଷେତ୍ରରେ ୧୦୫ ମେଡିକାଲ କର୍ମଚାରୀ ଓ ୪ ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ୧୩ ହସ୍ପିଟାଲ ଓ ୧୦ ଫାଷ୍ଟ୍ଏଡ୍ ପୋଷ୍ଟ୍ ମଧ୍ୟରେ ଅନ୍ୟତମ । ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଏହି ହସ୍ପିଟାଲ ନିର୍ମିତ ହୋଇଛି ।
କୁମ୍ଭ ମେଳା କ୍ଷେତ୍ରରେ ପ୍ରସବ ବେଦନାର ସମ୍ମୁଖୀନ ହୋଇଥିବା ମହିଳାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲକୁ ନିଆଯାଇଥିଲା । ଏଠାରେ ପ୍ରସବର ସମସ୍ତ ପ୍ରକାର ସୁବିଧା ଓ ସରଞ୍ଜାମର ବ୍ୟବସ୍ଥା ରହିଛି । ଗର୍ଭବତୀ ମହିଳାଙ୍କ ପରିବାର କିମ୍ବା ମେଳା କ୍ଷେତ୍ରର ବିଭିନ୍ନ ସ୍ଥାନରେ ମୁତୟନ ୧୨୫ ଆମ୍ବୁଲାନ୍ସ ସେମାନଙ୍କୁ ହସ୍ପିଟାଲକୁ ଆଣିଥିଲେ । ମହାକୁମ୍ଭ ମେଳା ଔପଚାରିକ ରୂପେ ଗତ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇଥିଲା । କିନ୍ତୁ ଆଗନ୍ତୁକ ଡିସେମ୍ବର ମାସରୁ ଏଠାରେ ଡେରା ଜମାଇଛନ୍ତି । ସେବେଠୁ ସେଣ୍ଟ୍ରାଲ ହସ୍ପିଟାଲରେ ରୋଗୀ ସେବା କାର୍ଯ୍ୟ ଜାରି ରହିଛି । କୁମ୍ଭ କ୍ଷେତ୍ରରେ ପ୍ରଥମ ପ୍ରସବ ଗତ ଡିସେମ୍ବର ୨୯ ତାରିଖରେ ହୋଇଥିଲା । କୌଶମ୍ବୀ ବାସିନ୍ଦା ୨୦ ବର୍ଷୀୟା ସୋନମ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତାଙ୍କ ପରିବାର ଶିଶୁର ନାମ ଦେଇଥିଲେ କୁମ୍ଭ । ସୋନମଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କ ସ୍ୱାମୀ ରାଜା ତାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲକୁ ନେଇଥିଲେ । କାମ ଅନ୍ୱେଷଣରେ ଏହି ଦମ୍ପତି କୁମ୍ଭ ମେଳାକୁ ଆସିଥିଲେ । ସେମାନେ କୁମ୍ଭ କ୍ଷେତ୍ରରେ ମଧ୍ୟ ରହୁଥିଲେ ।
ତେବେ ପ୍ରସବ ପରେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ । ହସ୍ପିଟାଲରେ ସଦ୍ୟତମ ପ୍ରସବ ଗତ ୬ ତାରିଖରେ ହୋଇଛି । ବାରବାଙ୍କୀର ୩୦ ବର୍ଷୀୟା କାଞ୍ଚନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମେଳା କ୍ଷେତ୍ରରେ ଅଦ୍ୟାବଧି ସମସ୍ତ ଶିଶୁଙ୍କର ଜନ୍ମ ସ୍ୱାଭାବିକ ରୂପେ ହୋଇଥିବା ସେଣ୍ଟ୍ରାଲ ହସ୍ପିଟାଲର ମୁଖ୍ୟ ମେଡିକାଲ ସୁପରିଟେଣ୍ଡେଣ୍ଟ୍ ଡା. ମନୋଜ କୌଶିକ କହିଛନ୍ତି । ମେଳା କ୍ଷେତ୍ରର ଏହି ହସ୍ପିଟାଲରେ ସନ୍ତାନ ଜନ୍ମ ଦେଇଥିବା ମହିଳା ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲା ଯଥା- ବାନ୍ଦା, ଚିତ୍ରକୂଟ, କୌଶମ୍ବୀ ଓ ଜୌନପୁର ଏବଂ ବିଭିନ୍ନ ରାଜ୍ୟ ଯଥା ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଆସିଛନ୍ତି ।