ନୂଆଦିଲ୍ଲୀ,୦୨/୦୨:ଆସନ୍ତାକାଲି ମହାକୁମ୍ଭରେ ହେବାକୁ ଯାଉଛି ବସନ୍ତ ପଞ୍ଚମୀ ଅମୃତ ସ୍ନାନ । ଏଥିରେ କୋଟି କୋଟି ସାଧୁ,ସନ୍ଥ ଓ ଶ୍ରଦ୍ଧାଳୁ ଏହି ମାହାର୍ଘ୍ୟ ମୁହୂର୍ତ୍ତରେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ । ତେବେ ମୌନି ଅମାବାସ୍ୟାରେ ଘଟିଥିବା ଅଘଟଣର ପୁନରାବୃତ୍ତି ନହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ପ୍ରସ୍ତୁତି ସମୀକ୍ଷା କରିବା ସହ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବ୍ୟବସ୍ଥା ନିଶ୍ଚିତ କରିବାକୁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗୀ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଶ୍ରଦ୍ଧାଳୁଙ୍କ ସମ୍ଭାବିତ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଅଧିକାରୀମାନଙ୍କ ଉପରେ ଭିନ୍ନ ଭିନ୍ନ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଅମୃତ ସ୍ନାନ ପାଇଁ ଆଖାଡାଗୁଡିକର ଶୋଭାଯାତ୍ର ଯଥା ସମୟରେ ଓ ପାରମ୍ପରିକ ଭାବେ ଶେଷ କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି ।ସେହିପରି ପାର୍କିଂ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ସ୍ଥାନ ଫାଙ୍କା ରଖିବାକୁ କୁହାଯାଇଛି । ଏହି ଅମୃତସ୍ନାନ ସମୟରେ କୁମ୍ଭ ନଗରୀର ଭିଆଇପି ପ୍ରୋଟୋକଲ ମଧ୍ୟ ବନ୍ଦ ରଖାଯିବ । ପର୍ଯ୍ୟାପ୍ତ ମାତ୍ରାରେ ପୋଲିସ୍ ଫୋର୍ସ, ସ୍ବେଚ୍ଛାସେବୀ, ମେଡିକାଲ ଟିମ୍, ରାପିଡ ଆକ୍ସନ ଟିମ୍ ପ୍ରମୁଖ ମୁତୟନ ରହିବେ । ମୌନି ଅମାବାସ୍ୟା ପରି ସ୍ଥିତି ସୃଷ୍ଟି ନହେବା ପାଇଁ ସବୁସ୍ତରରେ ତ୍ରୁଟିଶୂନ୍ୟ ବ୍ୟବସ୍ଥା କରିବା ଓ ଏଥିରେ ସାମାନ୍ୟ ଅବହେଳା ନହେବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି ।