ନୂଆଦିଲ୍ଲୀ, ୦୩/୦୨ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ନଇଁଲା ପାନାମା। ଚୀନକୁ ଦେଲା ଝଟ୍କା। ପାନାମା କେନାଲକୁ ନେଇ ଟ୍ରମ୍ପଙ୍କ ଚେତାବନୀ ପରେ ୱାନ ବେଲ୍ଟ ୱାନ୍ ରୋଡ୍ ପ୍ରୋଜେକ୍ଟରୁ ପଛଘୁଞ୍ଚା ଦେଲେ ପାନାମା ସରକାର। ଚୀନର ଏହି ପ୍ରୋଜେକ୍ଟକୁ ନବୀକରଣ କରିବାକୁ ମନା କରିଦେଲେ ପାନାମା ରାଷ୍ଟ୍ରପତି ଜୋସ୍ ରାଉଲ ମୁଲିନୋ। ଟ୍ରମ୍ପଙ୍କ ଧମକ ପରେ ୨୦୧୭ରେ ଚୀନ ଏବଂ ପାନାମା ମଧ୍ୟରେ ହୋଇଥିବା ବୁଝାମଣାକୁ କଲା ପ୍ରତ୍ୟାଖ୍ୟାନ। ଖୁବଶୀଘ୍ର ୱାନ ବେଲ୍ଟ ୱାନ୍ ରୋଡ୍ ପ୍ରୋଜେକ୍ଟରୁ ଚୀନକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇପାରେ ପାନାମା।
ରାଷ୍ଟ୍ରପତି ମୁଲିନୋ କହିଛନ୍ତି ଯେ, ଏବେ ପାନାମା ଇନଫ୍ରାଷ୍ଟକଚର ପ୍ରୋଜେକ୍ଟରେ ନୂଆ ନିବେଶ ଉପରେ ଆମେରିକା ସହ ମିଶି କାମ କରିବେ। ତାଙ୍କ ସରକାର ପାନାମା ପୋର୍ଟସ୍ କମ୍ପାନୀର ଅଡିଟ୍ କରିବ। ଏହି କମ୍ପାନୀ ଏବେ ପାନାମା କେନାଲରେ ଦୁଇଟି ବନ୍ଦର ଅପରେଟ୍ କରୁଥିବା ଚୀନ କମ୍ପାନୀ ସହ ଜଡ଼ିତ ଅଛି। ତେବେ ପାନାମା ଉପରେ ଚୀନ କବଜା କରିଥିବାରୁ ଆମେରିକା ତାର ଅଧିକାରକୁ ସୁରକ୍ଷା କରିବ ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାନାମା ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇଥିଲେ। ହେଲେ ପାନାମାକୁ ପୁଣି ଥରେ ନିଜ କବ୍ଜାକୁ ନେବାକୁ ଆମେରିକା ସୈନ୍ୟ ଶକ୍ତିର ବ୍ୟବହାର କରିବନି ବୋଲି ରାଷ୍ଟ୍ରପତି ମୁଲିନୋ ଏହାର ଉତ୍ତରରେ କହିଥିଲେ।
'ପାନାମାକୁ ଫେରେଇ ନେବୁ'
ସୂଚନା ଥାଉକି, ପାନାମାକୁ ପୁଣି ଥରେ ଆମେରିକା ନିଜ କବ୍ଜା ନେବ ଏବଂ ଏଥିପାଇଁ କିଛି ବଡ଼ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ। ଟ୍ରମ୍ପ କହିଥିଲେ ଯେ, ପାନାମା କେନାଲକୁ ପାନାମାକୁ ସମର୍ପିଦେବା ମୁର୍ଖତା ଥିଲା। ଚୀନକୁ ପାନାମା କେନାଲ ଦିଆଯାଇନଥିଲା। ହେଲେ ପାନାମା ଚୁକ୍ତିକୁ ଉଲ୍ଲଙ୍ଘନ କରିଛି ଏବଂ ଚୀନକୁ ସଞ୍ଚାଳନ ଦାୟିତ୍ଵ ଦେଇଛି। ତେଣୁ ଆମେରିକା ପାନାମାକୁ ନିଜ ଅକ୍ତିଆରକୁ ନେବ। ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ଆମ ନୌସେନା ଏବଂ ବ୍ୟବସାୟୀଙ୍କ ପ୍ରତି ଅନୁଚିତ ବ୍ୟବହାର କରାଯାଇଛି। ପାନାମା ଯେଉଁ ଫିସ୍ ନେଉଛି ତାହା ହାସ୍ୟସ୍ପଦ। ଯଦି ପାନାମା ଚ୍ୟାନେଲ୍କୁ ସୁରକ୍ଷିତ, କୁଶଳ ଏବଂ ବିଶ୍ଵାସନୀୟ ଭାବେ ସଞ୍ଚାଳନ କରାନଯାଏ ତେବେ ଆମେରିକା ଏହାକୁ ଫେରାଇ ନେବ।
ପାନାମାକୁ ନେଇ ଚୀନର ଭୂମିକା କ'ଣ ?
ପାନାମା କେନାଲକୁ ଚୀନ ସଞ୍ଚାଳନ କରୁଥିବା ନେଇ କୌଣସି ଠୋସ୍ ପ୍ରମାଣ ନାହିଁ। ହେଲେ ପାନାମାରେ ବହୁ ଚୀନ କମ୍ପାନୀ ଦବ୍ଦବା ଜାହିର କରିଛନ୍ତି। ପାନାମା କେନାଲକୁ ସବୁଠୁ ଅଧିକ ବ୍ୟବହାର କରିବାରେ ଆମେରିକା ପରେ ଚୀନ ରହିଛି। ୨୦୨୩ ରୁ ୨୦୨୪ ମଧ୍ୟରେ ଏହି କେନାଲ ଦେଇ ଚୀନର ୨୧.୪ ପ୍ରତିଶତ ଜାହାଜ ଯାଇଛି। ପାନାମାରେ ଥିବା ବନ୍ଦର ଏବଂ ଟର୍ମିନାଲ ଗୁଡ଼ିକରେ ଚୀନ ବିପୁଳ ନିବେଶ କରିଛି।

କାହା ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ ପାନାମା ?
ବିଶ୍ୱ ଭୂରାଜନୀତିରେ ପାନାମା କେନାଲର ଗୁରୁତ୍ୱ ରହିଛି। ଏହି ୮୨ କିଲୋମିଟର ଲମ୍ବା କେନାଲ ଆଟଲାଣ୍ଟିକ ମହାସାଗର ଏବଂ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଛି। ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ୬ ପ୍ରତିଶତ ଏହି କେନାଲ ମାଧ୍ୟମରେ ହୋଇଥାଏ। ଏହି କେନାଲ ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଆମେରିକାର ୧୪ ପ୍ରତିଶତ ବାଣିଜ୍ୟ ପାନାମା କେନାଲ ମାଧ୍ୟମରେ ହୁଏ। ଆମେରିକା ସହିତ, ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକର ବହୁ ପରିମାଣରେ ଆମଦାନୀ ଏବଂ ରପ୍ତାନି ମଧ୍ୟ ପାନାମା କେନାଲ ମାଧ୍ୟମରେ ହୁଏ। ଯଦି ଏସିଆରୁ କାରିବିଆନ ଦେଶଗୁଡ଼ିକୁ ସାମଗ୍ରୀ ପଠାଇବାକୁ ପଡ଼େ, ତେବେ ଜାହାଜଗୁଡ଼ିକ କେବଳ ପାନାମା କେନାଲ ଦେଇ ଯାଆନ୍ତି। ଯଦି ପାନାମା କେନାଲ କବଜା କରାଯାଏ, ତେବେ ସାରା ବିଶ୍ୱରେ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ପାନାମା କେନାଲର ନିର୍ମାଣ କାର୍ଯ୍ୟ ୧୮୮୧ ମସିହାରେ ଫ୍ରାନ୍ସ ଦ୍ୱାରା ଆରମ୍ଭ କରାଯାଇଥିଲା, କିନ୍ତୁ ୧୯୦୪ ମସିହାରେ ଆମେରିକା ଏହି କେନାଲ ନିର୍ମାଣର ଦାୟିତ୍ୱ ନେଇଥିଲା। ୧୯୧୪ ମସିହାରେ ଆମେରିକା ଏହି କେନାଲର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲା। ଏହାପରେ, ପାନାମା କେନାଲ ଆମେରିକାର ନିୟନ୍ତ୍ରଣରେ ରହିଲା, କିନ୍ତୁ ୧୯୯୯ ମସିହାରେ ଆମେରିକା ପାନାମା କେନାଲର ନିୟନ୍ତ୍ରଣ ପାନାମା ସରକାରଙ୍କୁ ହସ୍ତାନ୍ତର କରିଥିଲା। ଏହା ବର୍ତ୍ତମାନ ପାନାମା କେନାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ।