ନୂଆଦିଲ୍ଲୀ ୦୩/୦୨: ପ୍ରୟାଗରାଜରେ ଗତ ୨୯ ତାରିଖରେ ଦଳାଚକଟା ଘଟଣା ପରେ ସ୍ଥାନୀୟ ହୋଟେଲଗୁଡ଼ିକର ବେପାର କମିଛି । ହୋଟେଲ ରୁମ୍ ବୁକିଂ କମିଥିବାରୁ ବ୍ୟବସାୟ ଧିମେଇଛି । ତେବେ ବସନ୍ତ ପଞ୍ଚମୀ ଅବସରରେ ସାହି ସ୍ନାନକୁ ଦୃଷ୍ଟିରେ ରଖି ବେପାର ବଢ଼ିବା ଆଶା ରଖିଛନ୍ତି ହୋଟେଲ ମାଲିକ । ଏପରିକି ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ଥିବା ନେଇ ହୋଟେଲ ବ୍ୟବସାୟୀ ଯାତ୍ରୀଙ୍କୁ ବୁଝାଉଛନ୍ତି । କେତେକ ହୋଟେଲ ମାଲିକ ନିଜେ ଗ୍ରାହକଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଆସିବା ଲାଗି ପ୍ରେରିତ କରୁଛନ୍ତି ।
ପ୍ରୟାଗରାଜ ହୋଟେଲ ଏବଂ ରେଷ୍ଟୁରାଣ୍ଟ ୱେଲଫେୟାର ଆସୋସିଏଶନ ଅଧ୍ୟକ୍ଷ ସର୍ଦ୍ଦାର ହରଜିତ ସିଂ କହିଛନ୍ତି, ଜାନୁଆରୀ ୨୯ ଘଟଣା ପରେ ହୋଟେଲ ବୁକିଂ ହ୍ରାସ ପାଇଛି । କାରଣ ଶ୍ରଦ୍ଧାଳୁମାନେ ହୋଟେଲ ପର୍ଯ୍ୟନ୍ତ ପହଞ୍ଚି ମଧ୍ୟ ପାରି ନ ଥିଲେ । ଏବେ ସ୍ଥିତି ସ୍ୱାଭାବିକ ହୋଇଛି । ବସନ୍ତ ପଞ୍ଚମୀ ସ୍ନାନ ପରେ ଶ୍ରଦ୍ଧାଳୁମାନେ ଆସିବାକୁ ସେ ଅପିଲ କରିଛନ୍ତି । ଫଳରେ ସେମାନଙ୍କୁ ମହାକୁମ୍ଭ ଆସିବାରେ ଏବଂ ରହଣି କରିବାରେ ବେଶୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି।
ଆଉ କେତେଜଣ ହୋଟେଲ ବ୍ୟବସାୟୀଙ୍କ କହିବା ଅନୁସାରେ, ଜାନୁଆରୀ ୨୮ରୁ ୩୦ ପର୍ଯ୍ୟନ୍ତ ଅନକେ ତୀର୍ଥଯାତ୍ରୀଙ୍କୁ ସୀମାରେ ହିଁ ଅଟକାଇ ଦିଆଯାଇଥିଲା । ଫଳରେ ସେମାନେ ହୋଟେଲ ପର୍ଯ୍ୟନ୍ତ ଆସିବା କଷ୍ଟକର ହୋଇପଡ଼ିଥିଲା । ଦଳାଚକଟା ଖବର ମିଳିବାପରେ ଅନେକ ଗ୍ରାହକ ବୁକିଂ ବାତିଲ କରିଦେଇଥିଲେ । ଏଥିଯୋଗୁ ୪୦ରୁ ୫୦ ପ୍ରତିଶତ ହୋଟେଲ ରୁମ୍ ଖାଲି ରହିଯାଇଥିଲା । ତେଣୁ ପଞ୍ଚମୀ ସ୍ନାନ ପରେ ଆସିଲେ ମେଳା ଭିତରକୁ ଯାନବାହନ ଏଣ୍ଟ୍ରି ପୁଣି ଖୋଲିଯିବ ଏବଂ ଯାତ୍ରୀ ସୁବିଧାରେ ରହଣି କରିପାରିବେ ।