ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର ବାଛୁବାରୀ ସାହିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ସାମଗ୍ରୀ
  • ||

ମେଦ ହ୍ରାସ ଲାଗି ଯୋଗାସନ

Published By : Harapriya Sethi | April 9, 2025 9:30 AM

ବର୍ତ୍ତମାନ ସମୟରେ ମେଦବହୁଳତା ବା ଅତ୍ୟଧିକ ମୋଟା ହେବା ଏକ ସାମାଜିକ ସମସ୍ୟାରେ ପରିଣତ ହୋଇଛି । ଶରୀରରେ ଅଧିକ ଚର୍ବି ଜମା ହୋଇ ଲୋକ ମୋଟା ଦେଖାଯାଇଥାନ୍ତି । ଚର୍ବି ମୁଖ୍ୟତଃ ଅଣ୍ଟା, ଜଂଘ, ପେଟ ଇତ୍ୟାଦିରେ ଜମା ହୋଇଥାଏ । ଏହାଛଡ଼ା ଏହା ହୃତ୍‌ପିଣ୍ଡ ଓ ଲିଭର (ଯକୃତ)ରେ ମଧ୍ୟ ଜମା ହୋଇଥାଏ । ବୟସ ଓ ସ୍ତ୍ରୀ, ପୁରୁଷ ନିର୍ବିଶେଷରେ ଏହି ମୋଟା ହେବା ସମସ୍ୟା ଦେଖାଦେଇଥାଏ । ଅତ୍ୟଧିକ ମୋଟା ହେଲେ ଏହାର ପ୍ରଭାବ ଆମର ଶ୍ୱସନତନ୍ତ୍ର, ରକ୍ତ ସଞ୍ଚାଳନ ତଥା ରେଚନ ପ୍ରକ୍ରିୟାରେ ପଡ଼ିଥାଏ । ଫଳରେ ରୋଗ ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରି ଉଚ୍ଚ ରକ୍ତଚାପ, ଉଦ୍‌ବେଗ, ଶ୍ୱାସରୋଗ, ମଧୁମେହ, ହୃଦ୍‌ରୋଗ ଭଳି ସମସ୍ୟାକୁ ଡାକି ଆଣେ । ଏଣୁ ଏହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ମୁଖ୍ୟତଃ ଏହା ଅତ୍ୟଧିକ ଖାଦ୍ୟ ଗ୍ରହଣ, ଭୋକ ନ ଥାଇ ଖାଦ୍ୟ ଖାଇବା ଏବଂ ଅତ୍ୟଧିକ ତେଲମସଲା ଏବଂ ମଇଦାଯୁକ୍ତ ଖାଦ୍ୟ ଖାଇବାରୁ ହୋଇଥାଏ । ଏହାଛଡ଼ା ବ୍ୟାୟାମ ଅଭାବ, ଥାଇରଏଡ୍‌ଜନିତ ସମସ୍ୟା ତଥା ଆନୁବଂଶିକ କାରଣରୁ ମଧ୍ୟ ଏହା ହୋଇଥାଏ । ଏଣୁ ନିୟନ୍ତ୍ରିତ ଜୀବନଶୈଳୀ, ଉପଯୁକ୍ତ ଆହାର ବିହାର ତଥା କିଛି ପ୍ରଭାବୀ ଯୋଗାସନ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରେ ।

ଚକ୍କି ଚଳନାସନ-

ଗୋଡ଼କୁ ଲମ୍ବାଇ ଭୂଇଁରେ ବସିଯାଆନ୍ତୁ । ଦୁଇ ପାଦ ଏକ ଫୁଟ ବ୍ୟବଧାନରେ ରହିବ । ଦୁଇ ହାତ ଆଙ୍ଗୁଳିକୁ ପରସ୍ପର ଛନ୍ଦି ସାମନାକୁ ସିଧା କରି ରଖନ୍ତୁ । ଏହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସିଧା ହୋଇ ରହିବ, କହୁଣି ଭାଙ୍ଗିବେ ନାହିଁ । ଯେତେ ପାରିବେ ଶରୀରକୁ ଆଗକୁ ନେଇ ନିଃଶ୍ୱାସ ଛାଡ଼ି ଛନ୍ଦିଥିବା ହାତକୁ ପାଦର ଉପର ଦେଇ ବାମରୁ ଡାହାଣକୁ ଘୂରାଇ ଯେତେ ପାରିବେ ପଛକୁ ଝୁଲିବେ ଏବଂ ଦେହକୁ ଅଣ୍ଟା ପାଖରୁ ବୁଲାଇ ପୁନଃ ପୁନଃ ଅଭ୍ୟାସ କରିବେ । ଦେହକୁ ପଛକୁ ଝୁଲାଇବା ବେଳେ ପ୍ରଶ୍ୱାସ ନେବେ ଏବଂ ଆଗକୁ ଆସି ହାତକୁ ପାଦ ଉପରେ ଘୂରାଇଲା ବେଳେ ନିଃଶ୍ୱାସ ଛାଡ଼ିବେ । ଏହା ଗୋଟିଏ ଚକ୍ର, ଏହିପରି ୫ ଚକ୍ର ଅଭ୍ୟାସ କରନ୍ତୁ ଏବଂ ବିପରୀତ ଦିଗରେ ମଧ୍ୟ ୫ ଚକ୍ର ଅଭ୍ୟାସ କରନ୍ତୁ । ପ୍ରକାରାନ୍ତରେ ଦୁଇପାଦର ବ୍ୟବଧାନ ଯେତେ ସମ୍ଭବ ଅଧିକ ରଖି ଏହାକୁ ଅଭ୍ୟାସ କରାଯାଇପାରେ ।

ଦ୍ରୁତ ହଳାସନ-

ଦ୍ରୁତ ହଳାସନରେ ଆମେ ଦୁଇ ପ୍ରକାର ଆସନ ଯଥା ହଳାସନ ଏବଂ ପଶ୍ଚିମୋତ୍ତାନାସନର ଉପକାର ପାଇଥାଉ । ପ୍ରଥମେ ପିଠିରେ ସିଧା ହୋଇ ଶୋଇଯିବା । ଗୋଡ଼ ଓ ପାଦ ଏକାଠି ରହିବ । ହାତ ଦେହ ପାଖରେ ପାପୁଲି ତଳକୁ କରି ରଖିବେ । ସାରା ଦେହକୁ ଢିଲା କରିବେ । ବାହୁକୁ ତଳେ ଚାପ ଦେଇ ପ୍ରଶ୍ୱାସ ନେଇ ଦୁଇ ଗୋଡ଼କୁ ଉପରକୁ ଉଠାଇ ଗୋଡ଼କୁ ମୁଣ୍ଡ ଉପର ଦେଇ ପାଦ ଆଙ୍ଗୁଳିକୁ ଭୂଇଁରେ ଲଗାଇବାକୁ ଚେଷ୍ଟା କରିବେ । ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ସ୍ଥିତିକୁ ଫେରି ଆସି ବସିଯିବେ । ନିଃଶ୍ୱାସ ଛାଡ଼ି ଗୋଡ଼ର ବୃଦ୍ଧାଙ୍ଗୁଳିକୁ ଧରି କପାଳକୁ ଆଣ୍ଠୁରେ ଲଗାଇବାକୁ ଚେଷ୍ଟା କରିବେ ଏବଂ ପୁନର୍ବାର ବସିବା ସ୍ଥିତିକୁ ଫେରି ପିଠିରେ ଶୋଇଯିବେ । ଏହା ଗୋଟିଏ ଚକ୍ର, ଏହିଭଳି ଦଶଚକ୍ର ପର୍ଯ୍ୟନ୍ତ ପୁନଃ ପୁନଃ ଅଭ୍ୟାସ କରନ୍ତୁ । ହାର୍ଣ୍ଣିଆ, ସାଇଟିକା, ବେକ ଓ ଅଣ୍ଟାରେ ଅସୁବିଧା ଥିଲେ ଏବଂ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଥିଲେ ଏହି ଅଭ୍ୟାସ ବର୍ଜନୀୟ । 

                                                                                                                                               ସୁନୀଲ କୁମାର ପ୍ରଧାନ 

                                                                                                                                                     ଯୋଗ ପ୍ରଶିକ୍ଷକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.