ଆପଣ ବି ନୈନତାଲ ଯିବାକୁ ଯୋଜନା କରୁଛନ୍ତି କି? ତେବେ ଆପଣ ଏହି ସବୁ ମନ୍ଦିର ବିଷୟରେ ଜାଣିବା ଜରୁରୀ । କାରଣ ନୈନିତାଲର ରାସ୍ତାରେ ଅନେକ ଏଭଳି ମନ୍ଦିର ପଡ଼ୁଛି। ଯାହାକୁ ଦର୍ଶନ କରିବା ଦ୍ବାରା ଶ୍ରଦ୍ଧାଳୁଙ୍କ ମନକୁ ଶାନ୍ତି ମିଳିବ ସହ ସମସ୍ତ ମନଃସ୍କାମନା ପୂରଣ ହୋଇଥାଏ। ପ୍ରତ୍ୟେକ ମନ୍ଦିରର ନଜସ୍ବ ମହତ୍ତ୍ବ ଓ ସୁନ୍ଦରତା ରହିଛି। ଯାହା ଆପଣଙ୍କ ଯାତ୍ରାକୁ ସ୍ମରଣୀୟ କରାଇଦେବ ।
ନୈନା ଦେବୀ ମନ୍ଦିର:
ନୈନା ଦେବୀ ମନ୍ଦିର ନୈନିତାଲର ସବୁଠୁ ମହତ୍ତ୍ବପୂର୍ଣ୍ଣ ଓ ପ୍ରତିଷ୍ଠିତ ମନ୍ଦିର ଭିତରୁ ଗୋଟିଏ। ଏହା ଦେବୀ ନୈନା ଦେବୀଙ୍କୁ ସମର୍ପିତ। ଆଉ ଏହାକୁ ଭାରତର ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ ବୋଲି ବିଶ୍ବାସ କରାଯାଏ । କିମ୍ବଦନ୍ତୀ ଅନୁସାରେ, ଏହି ସ୍ଥାନରେ ଦେବୀ ସତୀଙ୍କ ଚକ୍ଷୁ ପଡ଼ିଥିଲା। ମନ୍ଦିରଟି ନୈନି ହ୍ରଦର ଉତ୍ତର କୂଳରେ ଅବସ୍ଥିତ । ହ୍ରଦର ମନୋରମ ଦୃଶ୍ୟ ଦେଖିବାକୁ ମିଳେ । ଯାହା ଆଧ୍ୟାତ୍ମିକ ଅନୁଭୂତିକୁ ଆହୁରି ସ୍ୱତନ୍ତ୍ର କରିଥାଏ। ନନ୍ଦ ଅଷ୍ଟମୀ ସମୟରେ ଏଠାରେ ଏକ ବଡ଼ ମେଳା ଅନୁଷ୍ଠିତ ହୋଇଥାଏ।
ହନୁମାନଗଡ଼ୀ:
ହନୁମାନଗଡ଼ୀ ମନ୍ଦିର ପ୍ରଭୁ ହନୁମାନଙ୍କ ପ୍ରତି ସମର୍ପିତ। ଯିଏ ପ୍ରଭୁ ରାମଙ୍କ ପ୍ରତି ତାଙ୍କର ଶକ୍ତି ଏବଂ ଭକ୍ତି ପାଇଁ ଜଣାଶୁଣା। ୬,୪୦୧ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ମନ୍ଦିର । ହନୁମାନଗଡ଼ୀ କେବଳ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ ନାହିଁ ବରଂ ସୂର୍ଯ୍ୟାସ୍ତ ଏବଂ ଆଖପାଖର ପର୍ବତଗୁଡ଼ିକର ଚମତ୍କାର ଦୃଶ୍ୟ ମଧ୍ୟ ପ୍ରଦାନ କରେ। ଏହି ଶାନ୍ତ ପରିବେଶକୁ ଧ୍ୟାନ ଏବଂ ଆତ୍ମନିରୀକ୍ଷଣ ପାଇଁ ଆଦର୍ଶ ବୋଲି ବିବେଚନା କରାଯାଏ।
କୈଞ୍ଚି ଧାମ:
ନୈନିତାଲରୁ ପ୍ରାୟ ୧୭ କିଲୋମିଟର ଦୂରରେ ଅବସ୍ଥିତ କୈଞ୍ଚି ଧାମ ଏକ ପ୍ରସିଦ୍ଧ ଆଶ୍ରମ-ମନ୍ଦିର। ଏହା ପ୍ରସିଦ୍ଧ ସନ୍ଥ ନିମ କରାଉଲି ବାବାଙ୍କ ସହ ଜଡିତ। ପାହାଡ଼ ମଧ୍ୟରେ ଅବସ୍ଥିତ ଏହି ଶାନ୍ତ ସ୍ଥାନଟି ବହୁ ସଂଖ୍ୟକ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଯେଉଁଥିରେ ବିଦେଶରୁ ମଧ୍ୟ ଅନେକ ଲୋକ ଆସିଥାନ୍ତି। ଏଠାରେ ନିମ କରୋଲି ବାବାଙ୍କ ଦର୍ଶନ କରିବା ଦ୍ୱାରା ଲୋକଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ସେମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ବଜାୟ ରହେ ବୋଲି ବିଶ୍ବାସ ରହିଛି।
ପାଷାଣ ଦେବୀ ମନ୍ଦିର:
ମଲ୍ ରୋଡ୍ ନିକଟରେ ଅବସ୍ଥିତ ଏହି ମନ୍ଦିର। ଏହା ଅନ୍ୟ ପ୍ରସିଦ୍ଧ ମନ୍ଦିର ତୁଳନାରେ କମ୍ ଜଣାଶୁଣା । କିନ୍ତୁ ସ୍ଥାନୀୟ ଲୋକ ଏହି ମନ୍ଦିରକୁ ବେଶ ମାନିଥାନ୍ତି । ଦେବୀ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷା ଦେଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ମନ୍ଦିରଟି ଗୋଟିଏ ପଥରରେ ଖୋଳା ହୋଇଛି।
ମୁକ୍ତେଶ୍ୱର ମନ୍ଦିର:
ନୈନିତାଲରୁ ପ୍ରାୟ ୫୦ କିଲୋମିଟର ଦୂରରେ ମୁକ୍ତେଶ୍ୱର ପାହାଡ଼ ଉପରେ ଅବସ୍ଥିତ ଏହି ମନ୍ଦିର । ଏହା ଭଗବାନ ଶିବଙ୍କୁ ସମର୍ପିତ ଏକ ପ୍ରାଚୀନ ମନ୍ଦିର। ଏହି ମନ୍ଦିରଟି ପ୍ରାୟ ୩୫୦ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ । ଏହା ଚାରିପାଖରେ ଥିବା ହିମାଳୟ ଶିଖରର ଏକ ମନୋରମ ଦୃଶ୍ୟ ପ୍ରଦାନ କରେ। ଏହା ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ବିଶେଷ ତୀର୍ଥସ୍ଥଳ। ଏହା ବ୍ୟତୀତ ଭୀମତାଲରେ ଅବସ୍ଥିତ ଭୀମଶଙ୍କର ମହାଦେବ ମନ୍ଦିର। ଏହି ଐତିହାସିକ ମନ୍ଦିର ମହାଭାରତ ଯୁଗର ବୋଲି ବିଶ୍ୱାସ କରାଯାଏ।