ନୂଆଦିଲ୍ଲୀ ୧୭/୦୮: ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରୁ ଟାଟୁ ବାହାର କରି ତାକୁ ଫ୍ରେମ କରାଇ ଘରେ ଟାଙ୍ଗିଛନ୍ତି । ସେହି ଟାଟୁ ଯୋଗୁ ସ୍ୱାମୀ ସବୁବେଳେ ତାଙ୍କ ସାଙ୍ଗରେ ଥିବା ଭଳି ଅନୁଭବ ହେଉଥିବା ସେ ନିକଟରେ ଏକ ଭାଇରାଲ୍ ଭିଡିଓରେ ପ୍ରକାଶ କରିଛନ୍ତି । ପେସାରେ ନର୍ସ ହୋଇଥିବା ପଶ୍ଚିମ ଭର୍ଜିନିଆର ଆଞ୍ଜେଲିକା ରୋଡେଭସ୍କି (୩୫) ଓ ତାଙ୍କ ସ୍ୱାମୀ ଟିଜେ(୫୫) ୨୦୨୧ରେ ବିବାହ କରିଥିଲେ । ପୂର୍ବରୁ ସେମାନଙ୍କର ପ୍ରିଷ୍ଟେନ୍ ନାମରେ ଏକ ପୁତ୍ର ସନ୍ତାନ ରହିଛି । ତେବେ ଚଳିତବର୍ଷ ମାର୍ଚ୍ଚରେ ଆଞ୍ଜେଲିକା ଟିଜେଙ୍କୁ ହରାଇଥିଲେ । ଏହାପରେ ସେ ଏକ ସାହସିକ ନିର୍ଣ୍ଣୟ ନେଇଥିଲେ । ସ୍ୱାମୀଙ୍କର କୌଣସି ପାରମ୍ପରିକ ସ୍ମୃତିଚିହ୍ନ ବଦଳରେ ଟାଟୁଯୁକ୍ତ ତାଙ୍କ ତ୍ୱଚାର ଏକ ଖଣ୍ଡକୁ ସେ ସଂରକ୍ଷିତ କରାଇଥିଲେ । ପରବର୍ତ୍ତୀ ସମୟରେ ତାକୁ ଫ୍ରେମ କରି ଘରେ ଟାଙ୍ଗିଥିଲେ ।
ଭାଇରାଲ୍ ଭିଡିଓରେ ଆଞ୍ଜେଲିକା କହିଛନ୍ତି, ଏହା ଦମ୍ପତିଙ୍କର ମିଳିତ ନିଷ୍ପତ୍ତି ଥିଲା । ପୂର୍ବରୁ କଥା ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଏ ସଂପର୍କରେ ଥରେ ଆଲୋଚନା ହୋଇଥିଲା । ଟିଜେ ନିଜ ଶରୀରରେ ୭୦ଟି ଟାଟୁ କରିଥିଲେ । ସେଥିମଧ୍ୟରୁ ତାଙ୍କ ଡାହାଣ ହାତରେ ଥିବା ଏକ ଖପୁରିର ଟାଟୁ ତାଙ୍କର ସବୁଠୁ ପ୍ରିୟ ଥିଲା । ତାହା ତାଙ୍କର ପ୍ରଥମ ଟାଟୁ ହୋଇଥିବାବେଳେ ପୁଅ ପ୍ରିଷ୍ଟେନ୍ ବି ତାକୁ ପସନ୍ଦ କରୁଥିଲା । ତେଣୁ ସେ ସେହି ଟାଟୁକୁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଜଣେ ଶଲ୍ୟ ଚିକିତ୍ସକଙ୍କ ମାଧ୍ୟମରେ ଟିଜେଙ୍କ ଟାଟୁଯୁକ୍ତ ତ୍ୱଚାକୁ ସାବଧାନତାପୂର୍ବକ ହଟାଯାଇଥିଲା । ପରବର୍ତ୍ତୀ ସମୟରେ ତାକୁ ଟାଟୁ ସଂରକ୍ଷଣ କରୁଥିବା ଓହିଓର କମ୍ପାନି ସେଭ୍ ମାଇ ଇଙ୍କ୍ ଫରଏଭରକୁ ପଠାଯାଇଥିଲା । ଟାଟୁ ସଂରକ୍ଷଣ ପ୍ରକ୍ରିୟା ଲାଗି ୯୦ ଦିନ ସମୟ ଲାଗିଥିଲା । କମ୍ପାନୀ ଯେତେବେଳେ କାଚ ଫ୍ରେମଯୁକ୍ତ ଟାଟୁ ଫେରାଇଲା ତାହା ତାଙ୍କ ପାଇଁ ଏକ ଅତି ଭାବପ୍ରବଣ ମୁହୂର୍ତ୍ତ ଥିଲା । ସେହି ଟାଟୁ ସେମାନଙ୍କୁ ଟିଜେଙ୍କ ସହ ଭାବନାତ୍ମକ ଭାବେ ଯୋଡୁଛି । କୌଣସି ପାରମ୍ପରିକ ସ୍ମୃତିଚିହ୍ନ କେବେ ଏଭଳି କରିପାରିନଥାନ୍ତା ବୋଲି ଆଞ୍ଜେଲିକା ପ୍ରକାଶ କରିଛନ୍ତି ।