ନୂଆଦିଲ୍ଲୀ,୧୭/୦୮: ବୋମା, ଭୋକ ଓ ଅସହାୟତା ଭିତରେ ପ୍ରତିଦିନ ଆକାଶରୁ ଖସୁଛି ମୃତ୍ୟୁ । ପ୍ରତି ମୂହୁର୍ତ୍ତରେ ଜୀବନ ପ୍ରତି ବିପଦ । ଭୟ ଭିତରେ ବିତୁଛି ଜୀବନ । ଗାଜା ପଟ୍ଟିରେ ଲଗାତାର ଇସ୍ରାଏଲୀ ଆକ୍ରମଣର ନିଆଁ ସହ ଲଢେଇ ଚାଲିଛି । ହମଲା ଏତେ ଭୟଙ୍କର ହୋଇଛି ଯେ ପ୍ରତିଦିନ ଜୀବନ ଯାଉଛି । ରିପୋର୍ଟ ଅନୁସାରେ ୨୨ ମାସରେ ଇସ୍ରାଏଲ-ଗାଜା ସଂଘର୍ଷରେ ୬୧ ହଜାର ୮୨୭ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ୫୧ ପାଲେଷ୍ଟିନୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬୯ ଗୁରୁତର ଆହତ ହୋଇଛନ୍ତି । ଯିଏକି ସହୟତା ପାଇଁ ଏକାଠୀ ହୋଇଥିଲେ ।
ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବିକ, ୨୦୨୩ ଅକ୍ଟୋବରରୁ ଜାରି ସଂଘର୍ଷରେ ଏବେ ସୁଦ୍ଧା ୬୧ ହଜାର ୮୨୭ ପାଲେଷ୍ଟିନୀଙ୍କର ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ୧ ଲକ୍ଷ ୫୫ ହଜାର ୨୭୫ ଜଣ ଗୁରୁତର ଆହତ ହୋଇଛନ୍ତି । ଲଗାତାର ବୋମାବର୍ଷା, ଗୁଳିମାଡ଼ରେ ଗାଜାକୁ ଶଶ୍ମାନରେ ପରିଣତ କରିଛି । ଧ୍ୱଂସଲୀଳା ରଚିଛି । ସୁଉଚ୍ଚ ଅଟ୍ଟାଳିକା ଏବେ ଧ୍ୱଂସାବଶେଷ ଗଦାରେ ପରିଣତ ହୋଇଛି । ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପ୍ରକାଶ କରିଛି ଯେ, ମେ' ମାସରୁ ମାନବିକ ସହାୟତା ପାଇବା ପାଇଁ ଅପେକ୍ଷା କରିଥିବା ସମୟରେ ୧୭୬୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅଗଷ୍ଟ ଆରମ୍ଭରେ ଏହି ସଂଖ୍ୟା ୧,୬୧, ୮୨୭ ଥିଲା । ମେ' ପରେ ୧୮୯୮ ଲୋକଙ୍କ ମୃତ୍ୟୁର କାରଣ ସହାୟତା ମାଗିବା ସମୟରେ ହୋଇଛି । ହଜାର ହଜାର ଲୋକ ଆହତ ହୋଇଛନ୍ତି ।
ଭୋକ ସହ ଲଢେଇ- ଗାଜାରେ କେବଳ ଗୁଳି ଏବଂ ବୋମା ଯୋଗୁଁ ମୃତ୍ୟୁ ଘଟୁନାହିଁ, ବରଂ ଭୋକରେ ମଧ୍ୟ ଜୀବନ ଯାଉଛି । ମହିଳା ଏବଂ ବୃଦ୍ଧଙ୍କ ଲମ୍ବା ଧାଡ଼ିରେ ରିପିଫ୍ ସମଗ୍ରୀ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି । ଗୋଟିଏ ମୁଠା ଖାଇବା ବି ମିଳୁନାହିଁ । ଆକାଶରୁ ରିଲିଫ୍ ସାମଗ୍ରୀ ପହଞ୍ଚାଯାଉଛି । କିଛି ଲୋକ ପାଉଛନ୍ତି କିଛି ପାଉନାହାନ୍ତି ।
ସ୍କୁଲ ଉପରେ ଆକ୍ରମଣ- ଗାଜା ପଟ୍ଟିରୁ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଶୁକ୍ରବାର ଇସ୍ରାଏଲୀ ହମଲାରେ ଗୋଟିଏ ସ୍କୁଲ ଧ୍ୱଂସ ହୋଇଛି । ସେଠାରେ ବିସ୍ତାବିତ ପରିବାର ଶରଣ ନେଇଥିଲେ । ଏଥିରେ ମହିଳା ଓ ଶିଶୁ ସମେତ ଏକାଧିକଙ୍କର ମୃତ୍ୟୁ ହୋଇଛି । ସ୍କୁଲ ପରିସରରେ ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର ଶୁଣାଯାଇଥିଲା ।
ଅପପୁଷ୍ଟି ନେଉଛି ନୀରିହ ଜୀବନ- ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଗଷ୍ଟ ୧୪ରେ ଦେଇଥିବା ବିବୃତ୍ତିରେ କୁହାଯାଇଛି କି, ଏବେ ସୁଦ୍ଧା ଭୋକ ଓ ଅପପୁଷ୍ଟିରେ ୨୩୯ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୧୦୬ ଶିଶୁ ରହିଛନ୍ତି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବି କରିଛି କି, ଉତ୍ତରଗାଜାର ବେତ୍ ହନୁନ ଅଞ୍ଚଳରେ ହମାସର ଏକ ବଡ ସୁଡଙ୍ଗକୁ ବ୍ଲକ କରିଦିଆଯାଇଛି । ୨.୪ କିମି ଲମ୍ବ ସୁଡ଼ଙ୍ଗ ଧ୍ୱଂସ ହୋଇଛି ।
ଗାଜାର ଆର୍ତ୍ତ ଚିତ୍କାର- ଆଇଡିଏଫ କହିଛି ଯେ, ତାର ଅପରେସନରେ ନିକଟରେ, ଖାନ ୟୁନିସ ଅଞ୍ଚଳରେ ହମାସ କମାଣ୍ଡର ନାସିର ମୁସାର ମୃତ୍ୟୁ ହୋଇଛି । ଲୋକ ବାସହରା ହୋଇଛନ୍ତି । ଭୋକିଲା ଅଛନ୍ତି । ଭାଙ୍ଗି ପଡ଼ିଛନ୍ତି । ଗାଜାରୁ ସାରା ବିଶ୍ୱରେ ସେମାନଙ୍କ ଚିତ୍କାରର ପ୍ରତିଧ୍ୱନି ଶୁଣାଯାଉଛି। ବିଶ୍ୱର ଅନେକ ଦେଶ ସାହାଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସମସ୍ତେ ଖାଲି ହାତ ।