ବୁଗୁଡ଼ା,୩୦/୫ : ବୁଗୁଡ଼ା ସହର ଉପକଣ୍ଠସ୍ଥ ସ୍ବାଗତ ତୋରଣ ନିକଟରେ ପ୍ରାତଃଭ୍ରମଣରେ ଯାଇଥିବା ଜନୈକା ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ସ୍ଥାନୀୟ ଶକ୍ତିନଗର ନିବାସୀ ଅଭିମନ୍ୟୁ ସାହୁଙ୍କ ପତ୍ନୀ ସୁକାନ୍ତି ସାହୁ ।
ପ୍ରକାଶ ଯେ, ଆଜି ୫ଟା ସମୟରେ ସୁକାନ୍ତି ସାହିର ଅନ୍ୟ ୩ ଜଣ ମହିଳାଙ୍କ ସହ ମିଶି ପ୍ରାତଃଭ୍ରମଣରେ ଯାଇଥିଲେ। ସହର ଉପକଣ୍ଠସ୍ଥ ସ୍ବାଗତ ତୋରଣ ପରେ ତିନି ଜଣ ମହିଳା ଏକ କଲଭର୍ଟଠାରେ ବିଶ୍ରାମ ନେଇଥିଲେ ଏବଂ ସୁକାନ୍ତି ଆଉ ଅଳ୍ପ ଦୂର ଆଗକୁ ଯାଇଥିଲେ। ଏହି ସମୟରେ ବାଇକରେ ଦୁଇ ଜଣ ଆସି ତାଙ୍କ ପାଖରେ ଅଟକିଲେ। ଜଣେ ବାଇକରୁ ଓହ୍ଲାଇ ପଛପଟୁ ମାଆ-ମାଆ ବୋଲି ଡାକିଲା । ସୁକାନ୍ତି ଯେତେବେଳେ ପଛକୁ ବୁଲିଛନ୍ତି ସେତେବେଳେ ଦୁବୃର୍ତ୍ତ ଜଣକ ସେ ପିନ୍ଧିଥିବା ଆଗକାଳର ୧୦ଭରି ଓଜନର ଏକ କାଟା ଚେନ୍ ଓ ତିନି ଭରି ଓଜନର ମଙ୍ଗଳସୂତ୍ରଟିକୁ ଝାମ୍ପି ଛିଣ୍ଡାଇ ଦେଇ ବାଇକରେ ବସି ଷୋଳମଇଲି ଅଭିମୁଖେ ଦ୍ରୁତଗତିରେ ଚାଲିଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ କ୍ରମେ ପୋଲିସ କେଶ୍ ନଂ୩୫୩/୨୫ରେ ଏକ ମାମଲା ରୁଜୁ କରି ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ପୂର୍ବକ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଏହି ଘଟଣା ପରେ ପ୍ରାତଃଭ୍ରମଣକାରୀଙ୍କ ଛାତିରେ ଛନକା ପଶିଥିବାବେଳେ ପୋଲିସ ପାଇଁ ଏହା ଚ୍ଯାଲେଞ୍ଜ ସୃଷ୍ଟି କରିଛି।