ଉଦଳା, ୩୧/୫ : ବିଜ୍ଞାନ ଯୁଗରେ ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସିଛି। ଝିଅ ସାଜି ଯାଉଛି ସାପ। ଆଉ ସାପକୁ ଆଘାତ ହେଲେ ଝିଅ ଦେହରେ ଦେଖାଯାଉଛି ଚିହ୍ନ। ମୁଁ ଯିବି ନାହିଁ, ମୋତେ ନିଅ ନାହିଁ, ମୁଁ ଏହିଠାରେ ରହିବି। ଏଭଳି କହି କାନ୍ଦି କାନ୍ଦି ଭୂଇଁରେ ଗଡିଯିବା ସହିତ ମଝିରେ ମଝିରେ ସାପ ଭଳି ଗର୍ଜନ ମଧ୍ୟ କରୁଛି। କେବଳ ସେତିକି ନୁହେଁ ସାପ ଫଣା ଭଳି ହାତକୁ କରି ଗୁହାରି କରୁଛି ଝିଅଜଣକ। ଘରେ ଏକ ବିଷାକ୍ତ ନାଗ ସାପ ପଶିଥିବା ଖବରପାଇ ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ସାପ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ଅଚାନକ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ଉଦଳା ବ୍ଲକ ଅଞ୍ଚଳରେ।
ଉକ୍ତ ଗାଁରେ ଜନୈକ ବ୍ୟକ୍ତିଙ୍କ ମାଟିକାନ୍ଥ ଭିତରେ ଏକ ବିରାଟ ନାଗ ସାପ ପଶିଥିବା ନେଇ ସେ ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଂଚିବା ସହ ସାପ ପଶି ରହିଥିବା ମାଟିକାନ୍ଥକୁ ସେମାନେ ଭାଙ୍ଗିଥିଲେ ଏବଂ ସାପକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ଝିଅ ଅଚାନକ ସାପ ଭଳି ଗର୍ଜନ କରିବା ସହ ଭୂଇଁରେ ଲୋଟି ପଡ଼ି ସାପ ଫଣା ଟେକିବା ଭଳି ହୋଇଥିଲେ। ତା ସହିତ ମୋତେ ମାର ନାହିଁ ବା ନେଇ ଯାଅ ନାହିଁ ବୋଲି କାନ୍ଦି କାନ୍ଦି ଗୁହାରି କରିଥିଲେ। ଯାହା ଦେଖି ସମସ୍ତେ ତାଯୁବ ହୋଇଯାଇଥିଲେ। ପରେ ସାମ୍ନାକୁ ଆସିଥିଲା ପୁରା ଘଟଣା।
ଦିନକ ପୂର୍ବରୁ ପରିବାର ଲୋକେ ଉକ୍ତ ସାପକୁ ଦେଖି ବାଡ଼େଇ ମାରିବା ପାଇଁ ଚେଷ୍ଟା କରି ବାଡ଼ିରେ ଆଘାତ ଦେଇଥିବାବେଳେ ସାପଟି ଖସି ପଳାଇଥିଲା । ହେଲେ ଝିଅ ଦେହରେ ଅଚାନକ ମାଡ଼ର ଆଘାତ ଚିହ୍ନ ପରିବାର ଲୋକେ ଦେଖିବାକୁ ପାଇଥିଲେ। ଯାହା ଦେଖି ପରିବାର ଲୋକେ ହତବାକ ହୋଇଯାଇଥିଲେ। ପୁଣି ଆଜି ମଧ୍ୟ ଉକ୍ତ ସାପକୁ ନେଇ ଝିଅର ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ନାଗ ପଞ୍ଚମୀ ଓ ବସନ୍ତ ପଞ୍ଚମୀ ଏହି ଦୁଇ ଦିନରେ ଝିଅ ଦେହରେ ଏଭଳି ପ୍ରତିକ୍ରିୟା ଦେଖିବା ସହିତ ସାପ ଭଳି ଦେହରେ ଚିହ୍ନ ବସିଯାଉଥିବା କହିଛନ୍ତି ପରିବାର ଲୋକେ। ଯାହାକୁ ହାଲୁକା ଭାବେ ନେଉଥିବାବେଳେ ଏବେ ପୁଣି ଏଭଳି ଘଟଣା ଘଟିବା ପୁରା ପରିବାରକୁ ଚିନ୍ତାରେ ପକାଇଛି। ସେପଟେ ସାପ ଉଦ୍ଧାରକାରି ଦଳ ସାପ ଧରିନପାରି ଫେରି ଯାଇଥିଲେ।