କେନ୍ଦୁଝର ସଦର,୩୧/୫ : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର କଲେଜ ଛକ ନିକଟରୁ ଶନିବାର ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ଦୁଇ ଜଣ ଦୁର୍ବୃତ୍ତ ନମ୍ବର ବିହୀନ କଳା ରଙ୍ଗର ପଲସର ବାଇକରେ ଆସି ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନାଚେନ ଝାମ୍ପି ନେଇଛନ୍ତି।
ଶନିବାର ପଦ୍ମପୁର ଗ୍ରାମର ନିର୍ମଳ କୁମାର ସାହୁଙ୍କ ସ୍ତ୍ରୀ ପ୍ରତିମା ସାହୁ(୪୮) ପଦ୍ମେଶ୍ବର ପୀଠରୁ ଶିବ ବିବାହ ଉତ୍ସବକୁ ଯାଇଥିଲେ। ତିନି ଜଣ ମହିଳା ଘରକୁ ଫେରୁଥିବାବେଳେ ଛକ ନିକଟରୁ ଦୁଇ ଜଣ ଦୁର୍ବୃତ୍ତ ପଲସର ବାଇକ୍ ଆସି ପ୍ରତିମାଙ୍କ ବେକରୁ ଚେନ କଟରରେ କାଟି ନେଇଥିଲେ।ସେ ବେକରେ ଦୁଇଟି ସୁନାଚେନ୍ ପିନ୍ଧିଥିବାବେଳେ ଲୁଟେରା ମାନେ ଗୋଟିଏ ଚେନ୍ ଝାମ୍ପି ନେବାରେ ସଫଳ ହୋଇଛନ୍ତି । ଖବରପାଇ ସଦର ଥାନା ଅଧିକାରୀ ଅମିତ କୁମାର ଭୁୟାଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଲୁଟ ହୋଇଥିବା ଗହଣାର ମୂଲ୍ୟ ଦୁଇ ଲକ୍ଷ ହେବ ବୋଲି ପ୍ରତିମା କହିଛନ୍ତି।