ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବନ୍ଦ ହେବାକୁ ଯାଉଛି ଋଷ–ୟୁକ୍ରେନ ଯୁଦ୍ଧ। ଏନେଇ ଆମେରିକା ଏକ ରିଜଲ୍ୟୁସନ ପାସ କରିବା ସହ ଏହା ଉପରେ ଭୋଟ ମଧ୍ୟ କରିଛି। ଏହି ଭୋଟ ପ୍ରକ୍ରିୟାରେ ଇଉରୋପର ଅଧିକାଂଶ ଦେଶ ସହ ଆମେରିକା ଭୋଟ୍ ଦେଇଛନ୍ତି। କିନ୍ତୁ ଏହି ଭୋଟିଂ ପ୍ରକ୍ରିୟାରେ ଭାରତ ସାମିଲ ହୋଇନାହିଁ।
ଋଷ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧକୁ ନେଇ ମଙ୍ଗଳବାର ୟୁଏନରେ ତିନିଟି ପ୍ରସ୍ତାବ ପାରିତ କରାଯାଇଛି। ପ୍ରଥମ ଥର ପାଇଁ ଆମେରିକା କୌଣସି ପ୍ରସ୍ତାବରେ ଋଷକୁ ସମର୍ଥନ ଜଣାଇଛି। ଆମେରିକା, ଇସ୍ରାଏଲ, ଦକ୍ଷିଣ କୋରିଆ ସହ ଋଷକୁ ସମର୍ଥନ କରୁଥିବା ଅନ୍ୟ ୧୪ଟି ଦେଶ ଏହି ଆକ୍ରମଣ ପାଇଁ ଋଷର କୌଣସି ଦୋଷ ନାହିଁ ବୋଲି କହିଛନ୍ତି। କୌଣସି ମାମଲାରେ ଆମେରିକା ପ୍ରଥମ ଥରପାଇଁ ଋଷକୁ ଖୋଲାଖୋଲି ଭାବେ ସମର୍ଥନ କରୁଥିବାରୁ ସମଗ୍ର ବିଶ୍ୱରେ ଏହାକୁ ନେଇ ଅଲଗା ଅଲଗା ମତ୍ତ ପ୍ରକାଶ ପାଉଛି।
ଖବର ମୁତାବକ ଭାରତ, ଚୀନ, ଆର୍ଜେଣ୍ଟିନା, ଇରାନ ସମେତ ଅନେକ ଦେଶ ଏହି ଭୋଟିଂ ପ୍ରକ୍ରିୟାରେ ଭାଗ ନେଇ ନାହାନ୍ତି। ତେବେ ଏହି ପ୍ରସ୍ତାବ ସପକ୍ଷରେ ମୋଟ୍ ୯୩ ଟି ଦେଶ ଭୋଟ ଦେଇଥିବା ବେଳେ ୧୮ଟି ଦେଶ ଏହା ବିପକ୍ଷରେ ଭୋଟ୍ ପ୍ରଦାନ କରିଛନ୍ତି। ସବୁଠୁ ବଡ କଥା ହେଉଛି ୬୫ ଦେଶ ଏହି ଭୋଟିଂ ପ୍ରକ୍ରିୟାରେ ଭାଗ ନେଇନଥିବା ବେଳେ ୟୁରୋପର ଅଧିକାଂଶ ଦେଶ ଋଷ ସମର୍ଥନରେ ଭୋଟ ଦେଇଛନ୍ତି।
ଆମେରିକା ଓ ଋଷ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା ଶତ୍ରୁତା ବର୍ତ୍ତମାନ ଅନେକ ସୁଧାର ଦେଖିବାକୁ ମିଳିଛି। ଯୁକ୍ରେନ ରାଷ୍ଟ୍ରପତି ଜେଲେନ୍କି ଏନେଇ ବାରମ୍ବାର କହି ଆସୁଥିଲେ। କିନ୍ତୁ ବର୍ତ୍ତମାନ ଆମେରିକା ଋଷିଆକୁ ଦେଉଥିବା ଖୋଲା ସମର୍ଥନ ଦେଖି ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିଲାଣି ବୋଲି ଜଣାପଡୁଛି।
ଯୁଏନରେ ପାରିତ ହୋଇଥିବା ତିନୋଟି ପ୍ରସ୍ତାବରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ସହ ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ଉପରେ ଉଲ୍ଲେଖ ରହିଛି। ଏହି ପ୍ରସ୍ତାବ ପାରିତ ହେବା ପରେ ଉଭୟ ଦେଶରେ ବହୁ ଜଲଦି ଯୁଦ୍ଧ ବିରାମ ଲାଗିବ ବୋଲି ଆଶା ରହିଛି। ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶରେ ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରୁଥିବାରୁ ଏହା ବହୁ ଜଲଦି ହେବାକୁ ଯାଉଛି।