ନୂଆଦିଲ୍ଲୀ: ଫ୍ରାନ୍ସର ମାର୍ସେଲରେ ଥିବା ରୁଷ ବାଣିଜ୍ୟ ଦୂତାବାସରେ ଆଜି (ସୋମବାର) ଏକ ବିସ୍ଫୋରଣ ଘଟିଛି। ଏହାକୁ ନେଇ ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି ଯେ, ଏହା ଏକ ଆତଙ୍କବାଦୀ ଆକ୍ରମଣ ପରି ମନେ ହେଉଛି। ବିସ୍ଫୋରଣ ସ୍ଥାନରେ ପ୍ରାୟ ୩୦ ଜଣ ଅଗ୍ନିଶମ କର୍ମଚାରୀ ପହଞ୍ଚିଛନ୍ତି।
ଏହି ସମୟରେ ରୁଷୀୟ ସମାଚାର ଏଜେନ୍ସି ତାସ୍, ଫ୍ରାନ୍ସର BFMTV ର ଏକ ରିପୋର୍ଟକୁ ଉଦ୍ଧୃତ କରି କହିଛି ଯେ, ଏହି ଘଟଣାରେ କୌଣସି ମୃତାହତର ଖବର ନାହିଁ। ତାସ୍ ଏକ ପତ୍ରିକା ରିପୋର୍ଟକୁ ଉଦ୍ଧୃତ କରି କହିଛି ଯେ, ଅଜ୍ଞାତ ବ୍ୟକ୍ତି ମାନେ ବାଣିଜ୍ୟ ଦୂତାବାସର ବଗିଚାରେ ଦୁଇଟି ପେଟ୍ରୋଲ ବୋମା ଫିଙ୍ଗିଛନ୍ତି। ଘଟଣାସ୍ଥଳ ନିକଟରେ ଏକ ଚୋରି କାର ମଧ୍ୟ ମିଳିଛି।
ପୂର୍ବରୁ ଫ୍ରାନ୍ସରେ ମଧ୍ୟ ଛୁରୀ ଆକ୍ରମଣର ଏକ ମାମଲା ରିପୋର୍ଟ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ତିନି ଜଣ ଆହତ ହୋଇଥିଲେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ଆକ୍ରମଣକୁ ଇସଲାମିକ ଆତଙ୍କବାଦ ବୋଲି ବର୍ଣ୍ଣନା କରିଛନ୍ତି। ଜର୍ମାନ ସୀମା ନିକଟବର୍ତ୍ତୀ ମୁଲହାଉସରେ ଘଟିଥିବା ଏହି ଘଟଣାରେ ଜଣେ ପର୍ତ୍ତୁଗୀଜ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସାତ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।