ନୂଆଦିଲ୍ଲୀ: ପେରୁରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଉତ୍ତର-ପଶ୍ଚିମ ପେରୁରେ ଏକ ସପିଂ ମଲର ଫୁଡ୍ କୋର୍ଟର ଛାତ ଭୁଶୁଡ଼ି ପଡ଼ିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୭୮ ଜଣ ଆହତ ହୋଇଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମଲରେ ନିର୍ମିତ 'ଫୁଡ୍ କୋର୍ଟ'ରେ ଅନେକ ରେଷ୍ଟୁରାଣ୍ଟ ଏବଂ ଭୋଜନାଳୟ ଥିଲା। ଏଠାରେ ସବୁବେଳେ ବହୁତ ଗହଳି ଲାଗି ରହିଥାଏ। ଦୁର୍ଘଟଣା ସମୟରେ ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।
ଶୁକ୍ରବାର ରାତିରେ ଲା ଲିବର୍ଟାଡ୍ ଅଞ୍ଚଳର ଟ୍ରୁଜିଲୋ ସହରର ରିଅଲ୍ ପ୍ଲାଜା ଟ୍ରୁଜିଲୋ ସପିଂ ମଲରେ ଲୋକଙ୍କ ଉପରେ ଏକ ଭାରୀ ଲୁହା ଛାତ ଭୁଶୁଡ଼ି ପଡ଼ିଥିଲା। ପ୍ରତିରକ୍ଷା ମନ୍ତ୍ରୀ ୱାଲ୍ଟର ଆଷ୍ଟୁଡିଲୋ ଶନିବାର ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ଲା ଲିବର୍ଟାଡର ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, କୋଠା ଭୁଶୁଡ଼ିବା ପରେ ଘଟଣାସ୍ଥଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୫ ଜଣ ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।
ଆସ୍ତୁଡିଲୋ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ଏବଂ ୪୮ ଜଣ ଏବେ ବି ହସ୍ପିଟାଲରେ ଭର୍ତ୍ତି ଅଛନ୍ତି,ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଗ୍ନିଶମ ବିଭାଗ ମୁଖ୍ୟ ଲୁଇସ୍ ରୋନକାଲ୍ କହିଛନ୍ତି ଯେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି।