ନୂଆଦିଲ୍ଲୀ, ୨୪।୨: USAID ଉପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଆକ୍ସନ । ବିଶ୍ୱବ୍ୟାପୀ ଆମେରିକୀୟ ଆନ୍ତର୍ଜାତୀୟ ବିକାଶ ସଂସ୍ଥା USAIDର କିଛି କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଛୁଟିରେ ପଠାଇଥିବା ବେଳେ ଆମେରିକାରେ ପ୍ରାୟ ୨ ହଜାର ପଦବୀକୁ ଉଚ୍ଛେଦ କରିବାର ଘୋଷଣା କରିଛି ଟ୍ରମ୍ଫ ସରକାର । ବିବିସି ରିପୋର୍ଟ ଅନୁଯାୟୀ, ପ୍ରଶାସକଙ୍କ କାର୍ଯ୍ୟାଳୟ ପକ୍ଷରୁ USAID କର୍ମଚାରୀମାନଙ୍କୁ ଇମେଲରେ ଜରିଆରେ ସୂଚନା ଦିଆଯାଇଛି, ଇମେଲରେ ଲେଖାଯାଇଛି ଯେ, କାର୍ଯ୍ୟଶକ୍ତି ହ୍ରାସର ଅଂଶ ସ୍ୱରୂପ ପ୍ରାୟ ୨୦୦୦ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯିବ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ହଜାର ହଜାର USAID କର୍ମଚାରୀଙ୍କୁ ବହିଷ୍କାର କରିବାକୁ ଚେଷ୍ଟା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ତାଙ୍କୁ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏକ ଫେଡେରାଲ୍ କୋର୍ଟ ଟ୍ରମ୍ପ ପ୍ରଶାସନକୁ USAIDକୁ ଭାଙ୍ଗିବା ଲାଗି ବାରଣ କରିଥିଲେ, କିନ୍ତୁ ଏହି ରାୟ ସ୍ଥାୟୀ ନୁହଁ ବୋଲି ଶୁକ୍ରବାର ରାୟ ଦେଇଥିଲେ କୋର୍ଟ ।
କର୍ମଚାରୀମାନଙ୍କୁ ପ୍ରଶାସନିକ ଛୁଟି:
ରବିବାର ରାତିରେ ପଠାଯାଇଥିବା ନୋଟିସରେ, ଗୁରୁତ୍ୱପୂର୍ଣ୍ଣ ମିଶନ ଏବଂ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀଙ୍କ ବ୍ୟତୀତ ସମସ୍ତ USAID କର୍ମଚାରୀଙ୍କୁ ପ୍ରଶାସନିକ ଛୁଟିରେ ପଠାଯାଇଛି । ନୋଟିସରେ ସ୍ପଷ୍ଟ କରାଯାଇଛି ଯେ, ଗୁରୁତ୍ୱପୂର୍ଣ୍ଣ ମିଶନ କାର୍ଯ୍ୟରେ ଯାଇଥିବା କର୍ମଚାରୀ ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଛାଡ଼ି USAIDର ଅନ୍ୟ ସମସ୍ତ କର୍ମଚାରୀଙ୍କୁ ପ୍ରଶାସନିକ ଛୁଟିରେ ପଠାଯାଇଛି । କିନ୍ତୁ, କେତେ ଜଣ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ବିବେଚନା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏକ୍ସର ସିଇଓ ଏଲୋନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ USAIDକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି ।
କର୍ମଚାରୀଙ୍କ ଯାତ୍ରା ବ୍ୟବସ୍ଥା ପାଇଁ ୬୦୦ ଆମେରିକୀୟ କର୍ମଚାରୀ ନିୟୋଜିତ:
USAIDର ଡେପୁଟି ପ୍ରଶାସକ ପିଟ୍ ମାର୍କୋଙ୍କ ଅନୁଯାୟୀ, USAID କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ବିଦେଶ ଯାତ୍ରା ବ୍ୟବସ୍ଥା କରାଯାଉଛି । ଏସବୁର ଦାୟିତ୍ୱ ବୁଝିବାକୁ ୬୦୦ ଆମେରିକୀୟ କର୍ମଚାରୀ ସେଠାରେ ନିୟୋଜିତ ରହିବେ ।