ନୂଆଦିଲ୍ଲୀ: କାନାଡା ନିଜ ପ୍ରବାସୀ ଆଇନରେ ଏକ ବିରାଟ ପରିବର୍ତ୍ତନ କରିଛି। ତେବେ ନୂଆକରି ଆରମ୍ଭ ହୋଇଥିବା ପ୍ରବାସୀ ଓ ଶରଣାର୍ଥୀ ସୁରକ୍ଷା ଅଧିନିୟମ ଗତ ଜାନୁଆରୀ ୩୧ ତାରିଖରୁ ଲାଗୁ ହୋଇସାରିଲାଣି। ଏହି ଅଧିନିୟମ ଅନୁସାରେ ସିମା ଅଧିକାରୀମାନଙ୍କୁ ବିଭିନ୍ନ ଅସ୍ଥାୟୀ ବାସିନ୍ଦା ଦଲିଲ ଯଥା ଇଲୋକଟ୍ରୋନିକ ଟ୍ରାଭେଲ ଅଥୋରିଜେସନ(ଇଟିଏଏସ) ଓ ଅସ୍ଥାୟୀ ବାସିନ୍ଦା ଭିସା(ଟିଆରଭି)କୁ ରଦ୍ଧ କରିବାକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି।
ଏହି ନୂଆ ଅଧିନିୟମ ଲାକ୍ଷାଧିକ ବୈଦେଶିକ ନାଗରିକମାନଙ୍କ ଉପରେ ପ୍ରଭାବ ପକାଇବ। ଏମାନଙ୍କ ମଧ୍ୟରେ ସର୍ବାଧିକ ଭାରତୀୟମାନେ କ୍ଷତିଗ୍ରସ୍ତ ହେବେ ବୋଲି ଅନୁମାନ କରାଯାଉଛି। କାନାଡାରେ ରହୁଥିବା ଭାରତୀୟ ଛାତ୍ର, କର୍ମି ଓ ଅସ୍ଥାୟୀ ବାସିନ୍ଦାମାନେ ଏଥିରେ କ୍ଷତିଗ୍ରସ୍ତ ହେବେ।
ବିଦେଶରେ ଉଚ୍ଚ ଶିକ୍ଷା ଗ୍ରହଣ କରିବାର ସ୍ୱପ୍ନ ଦେଖୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କାନାଡାକୁ ସବୁଠାରୁ ଅଧିକ ପସନ୍ଦ କରାଯାଇଥାଏ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁସାରେ ଭାରତରୁ ପ୍ରାୟ ୪ ଲକ୍ଷ ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀ କାନାଡାରେ ପାଠ ପଢୁଛନ୍ତି।
ଛାତ୍ରଛାତ୍ରୀଙ୍କ ଛଡା ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ଲୋକ କାନାଡା ଭ୍ରମଣ କରିବାକୁ ଯାଇଥାନ୍ତି। ରିପୋର୍ଟ ମୁତାବକ ୨୦୨୪ ମସିହାରେ ଜାନୁଆରୀ ମାସଠୁ ଜୁଲାଇ ମାସ ମଧ୍ୟରେ କାନାଡା ୩,୬୫,୭୫୦ ଲୋକଙ୍କୁ ଟୁରିଷ୍ଟ ଭିସା ପ୍ରଦାନ କରିଥିଲା। ତେବେ ୨୦୨୩ ମସିହା ସମାନ ସମୟସିମା ମଧ୍ୟରେ ମୋଟ୍ ୩,୪୫,୬୩୧ ଜଣଙ୍କୁ କାନାଡା ପକ୍ଷରୁ ଟୁରିଷ୍ଟ ଭିସା ପ୍ରଦାନ କରାଯାଇଥିଲା।
ଖବର ମୁତାବକ, ଗତବର୍ଷ ନଭେମ୍ବର ମାସରେ କାନାଡା ପକ୍ଷରୁ ଷ୍ଟୁଡେଣ୍ଟ ଡାଇରେକ୍ଟ ଭିସା(ଏସଡିଏସ) ପ୍ରୋଗ୍ରାମକୁ ରଦ୍ଧ କରାଯାଇଥିଲା। ଭାରତୀୟ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ଏହି ଭିସା ମାଧ୍ୟମରେ କାନାଡାକୁ ପାଠ ପଢିବାକୁ ଯାଉଥିଲେ। ଏହି ଭିସା ବନ୍ଦ ହୋଇଯିବା ପରେ ଭାରତୀୟ ଛାତ୍ରଛାତ୍ରୀମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ।
୨୦୧୮ରେ କାନାଡା ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଏସଡିଏସ ଭିସା ମଧ୍ୟରେ ଭାରତ ସମେତ ଅନେକ ଦେଶକୁ ସାମିଲ କରାଯାଇଥିଲା। ଯାହାଫଳରେ ଏହି ଭିସା ପାଇଥିବା ଛାତ୍ରଛାତ୍ରୀମାନେ କାନାଡାରେ ଟ୍ୟୁସନ ଫି ଉପରେ ରିହାତି ପାଉଥିବା ବେଳେ ଚଳିବା ପାଇଁ ତାଙ୍କୁ ଗ୍ୟାରେଣ୍ଟିଡ ଇନଭେଷ୍ଟନେଣ୍ଟ ସାର୍ଟିଫିକେଟ(ଜିଆଇସି) ମଧ୍ୟ ମିଳୁଥିଲା।
ନୂତନ ନିୟମ ଅନୁଯାୟୀ, ଯଦି କାନାଡା ପକ୍ଷରୁ ଅଧ୍ୟୟନ ଅନୁମତି ପ୍ରତ୍ୟାହାର କରାଯାଏ, ତେବେ ଛାତ୍ରମାନଙ୍କୁ ପାଠପଢ଼ା ସମାପ୍ତ କରିବାରେ କିମ୍ବା ସ୍ନାତକ ପରେ କାର୍ଯ୍ୟ ଅନୁମତି ନିଳିବାରେ ସମସ୍ୟା ହେବ। ଏହା ସହ ସେଠାରେ ଅସ୍ଥାୟୀ ବାସିନ୍ଦା ଭିସା ପାଇ ରହୁଥିବା ଲୋକମାନଙ୍କୁ ମଧ୍ୟ ଦେଶରୁ କାଡିଦବାର ଅନେକ ସମ୍ଭାବନା ରହିଛି।